ଅଡ଼ୁଆରେ ସିଦ୍ଧୁ; ୩୪ ବର୍ଷ ପୁରୁଣା ରୋଡରେଜ ମାମଲାରେ ସୁପ୍ରିମକୋର୍ଟରେ ଆଜି ହେବ ଶୁଣାଣି

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ରହିଛି । ଏନେଇ ରାଜନୈତିକ ଦଳମାନେ ମଧ୍ୟ ନିଜର ପ୍ରଚାର କରିବାରେ ଲାଗିଛନ୍ତି । ସେପଟେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ଏହି ଲିଷ୍ଟରେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ମଧ୍ୟ ଅଛନ୍ତି । ଏସବୁ ମଧ୍ୟରେ ନିଜର ବୟାନକୁ ନେଇ ବାରମ୍ବାର ବିବାଦ ଘେରରେ ରହୁଥିବା ସିଦ୍ଧୁଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ତେବେ ୩୪ ବର୍ଷ ପୂର୍ବେ ରୋଡରେଜ ମାମଲାରେ ତାଙ୍କ ବିରୋଧରେ ହୋଇଥିବା ସମୀକ୍ଷା ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ହତ୍ୟା ମାମଲାରେ ସୁପ୍ରିମକୋର୍ଟ ୨୦୧୮ ରେ ସିଦ୍ଧୁଙ୍କୁ ମାତ୍ର ଏକ ହଜାର ଟଙ୍କା ଜୋରିମାନା ଶୁଣାଇଥିଲେ । ସେପଟେ ପୀଡ଼ିତ ପକ୍ଷରୁ ଏହାକୁ ପୁନଃବିର୍ଚାର କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାର ଶୁଣାଣି ଆଜି ହେବା ପାଇଁ ଯାଉଛି । ଅନ୍ୟପଟେ ୨୦୧୮ ମସିହା ମେ’ ମାସରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଧାରା ୩୨୩ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ।

କିନ୍ତୁ ଏଥିପାଇଁ ତାଙ୍କୁ ଜେଲ ଦଣ୍ଡ ମିଳିନାହିଁ। ତାଙ୍କୁ ମାତ୍ର ଏକ ହଜାର ଟଙ୍କା ଜରିମାନା ଦେଇ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏଥିରେ ପୀଡିତାଙ୍କ ପରିବାର ନିରାଶ ହୋଇଥିଲେ। ପୀଡ଼ିତାଙ୍କ ପରିବାର ଏହି ଦଣ୍ଡର ଉନ୍ନତି ପାଇଁ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରିଥିଲେ। ସେପଟେ ରୋଡ୍ ରେଜ ମାମଲା ୨୭ ଡିସେମ୍ବର ୧୯୮୮ ରୁ ଆରମ୍ଭ ହୋଇଥିଲା । ମାମଲା ଅନୁଯାୟୀ, ନବଜୋତ ସିଂ ସିଦ୍ଧୁ ପଟିଆଲାରେ କାରରେ ଯାଉଥିବାବେଳେ ଗୁରୁନାମ୍ ସିଂ ନାମକ ଜଣେ ବୃଦ୍ଧଙ୍କ ସହ ଝଗଡା କରିଥିଲେ। ଅଭିଯୋଗ ହୋଇଛି ଯେ କ୍ରୋଧରେ ନବଜୋତ ସିଦ୍ଧୁ ଗୁରୁନମ ସିଂଙ୍କୁ ପିଟିଥିଲେ, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂଙ୍କ ବିରୋଧରେ ପାଟିଆଲା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ପଞ୍ଜାବ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts