ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବା ପରେ ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଉଛନ୍ତି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ସମସ୍ତ ମଦ୍ରାସାରେ ଦୈନିକ ପ୍ରାର୍ଥନା ସଭା ସମୟରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ଏକ ସରକାରୀ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି ।

ପୂର୍ବରୁ ଏହି ନିୟମ କେବଳ ସାଧାରଣ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଲାଗୁ ଥିବାବେଳେ, ଏବେ ଏହାକୁ ମଦ୍ରାସା ଗୁଡ଼ିକ ପାଇଁ ମଧ୍ୟ ଲାଗୁ କରାଯାଇଛି । ରାଜ୍ୟର ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ମନ୍ତ୍ରୀ ଖୁଦିରାମ ଟୁଡୁ ଏହି ନିଷ୍ପତ୍ତିକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ଅନ୍ୟ ସରକାରୀ ସ୍କୁଲ ଭଳି ଏବେ ସମସ୍ତ ସ୍ୱୀକୃତିପ୍ରାପ୍ତ ମଦ୍ରାସାରେ ମଧ୍ୟ ସକାଳ ପ୍ରାର୍ଥନା ସମୟରେ ‘ବନ୍ଦେ ମାତରମ୍’ ଗାନ କରାଯିବ । ଏହି ନିଷ୍ପତ୍ତି ପଛର କାରଣ ଦର୍ଶାଇ ମନ୍ତ୍ରୀ ଖୁଦିରାମ ଟୁଡୁ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଏମିତି ଅନେକ ସରକାରୀ ବିଦ୍ୟାଳୟ ଅଛି ଯେଉଁଠାରେ ସାନ୍ତାଳୀ ଭାଷାରେ ପାଠପଢ଼ା ହୁଏ ।

ଯଦି ସେହି ସବୁ ସ୍କୁଲରେ ‘ବନ୍ଦେ ମାତରମ୍’ ଗାନ କରିବା ବାଧ୍ୟତାମୂଳକ ହୋଇପାରୁଛି, ତେବେ ରାଜ୍ୟର ସ୍ୱୀକୃତିପ୍ରାପ୍ତ ମଦ୍ରାସାଗୁଡ଼ିକରେ ଏହାକୁ କାହିଁକି ଲାଗୁ କରାଯାଇପାରିବ ନାହିଁ ? ଏହି ଚିନ୍ତାଧାରାକୁ ଆଧାର କରି ପଶ୍ଚିମବଙ୍ଗ ମଦ୍ରାସା ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଅଧିକାରିକ ଆଦେଶ ଜାରି କରାଯାଇଛି, ଯାହାଦ୍ୱାରା ସମସ୍ତ ସହାୟତା ପ୍ରାପ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ସେପଟେ ପୂର୍ବରୁ ଜାରି ହୋଇଥିବା ସମସ୍ତ ପୁରୁଣା ଆଦେଶ ଓ ପ୍ରଥାକୁ ରଦ୍ଦ କରାଯାଉଛି । ପଶ୍ଚିମବଙ୍ଗର ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ସରକାରୀ ମଡେଲ ମଦ୍ରାସା, ସ୍ୱୀକୃତିପ୍ରାପ୍ତ ସରକାରୀ ସହାୟତା ପ୍ରାପ୍ତ ମଦ୍ରାସା, ଅନୁମୋଦିତ MSK (ମଦ୍ରାସା ଶିକ୍ଷା କେନ୍ଦ୍ର), ଅନୁମୋଦିତ SSK (ଶିଶୁ ଶିକ୍ଷା କେନ୍ଦ୍ର) ଏବଂ ସମସ୍ତ ସ୍ୱୀକୃତିପ୍ରାପ୍ତ ବେସରକାରୀ (ଅଣ-ସହାୟତା ପ୍ରାପ୍ତ) ମଦ୍ରାସାରେ ଏହି ନିୟମ ଲାଗୁ ହେବ ।