ଖଲ୍ଲିକୋଟ ନିର୍ବାଚନୀ ହିଂସା ପାଇଁ ଗଠନ ହେଲା SIT

ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT । ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ ଏସ୍ଆଇଟି । ସାଇଣ୍ଟିଫିକ୍, ଫୋରେନ୍ ସିକ୍ ଓ ଡିଜିଟାଲ ତଥ୍ୟ ଆଧାରରେ ତଦନ୍ତ କରିବ । ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ ।

ଛତ୍ରପୁରରେ ଜଣେ ଏଡିଜି ରହି ଆଇନଶୃଙ୍ଖଳା ତଦାରଖ କରିବେ । ଏଡିଜି ରାଧାକୃଷ୍ଣ ଶର୍ମା ଛତ୍ରପୁରଠାରେ ରହି ଆଇନଶୃଙ୍ଖଳା ତଦାରଖ କରିବେ ବୋଲି ସୂଚନା ମିଳିଛି । ଖଲ୍ଲିକୋଟରେ ନିର୍ବାଚନୀ ହିଂସାରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଅଭିଯୋଗକୁ ୩୬ ଘଣ୍ଟା ବିତିଥିଲେ ମଧ୍ୟ ଏବେବି ସ୍ଥିତି ଉତ୍ତେଜନାମୂଳକ ରହିଛି ।

ସେପଟେ ଗତକାଲି ଗଞ୍ଜାମ ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଦିଲୀପ ପାହାଣ ନାମକ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିଲା । ମରଣାନ୍ତକ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଜୀବନ ଯାଇଛି । ଖଲ୍ଲିକୋଟ୍ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ନେଇ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

ଗାଁରେ ବିଜେପି କର୍ମୀ ବ୍ୟାନର ମାରୁଥିବାକୁ ବିରୋଧ କରିବାରୁ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଥିଲା । ଆକ୍ରମଣରେ ୪ ଜଣ ବିଜେପି କର୍ମୀ ଗୁରୁତର ହୋଇଥିଲେ । ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବିଳମ୍ବିତ ରାତିରେ ଗୁରୁତର ଦିଲ୍ଲୀପ ପାହାଣ ନାମକଙ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ତେବେ ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଖବର ସାମନାକୁ ଆସିଥିଲା । ଆଠଗଡ଼, ଭୁବନେଶ୍ୱର ଓ ବରଗଡ଼ରେ ବିଜେଡି-ବିଜେପି କର୍ମୀ ମାର୍‌ପିଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା । ସେହିପରି କଟକ ଆଠଗଡ଼ରେ ନିର୍ବାଚନୀ ହିଂସା ଘଟିଥିଲା । ଖୁଣ୍ଟୁଣି ଥାନା ସମ୍ମୁଖରେ ବିଜେପିର ଏକ ରାଲିକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ ।

ଥାନା ଆଗରେ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ଢେଲା ମାଡ଼ ଅଭିଯୋଗ ହୋଇଥିଲା । ଆଠଗଡ଼ର ୩ ନମ୍ବର ଜୋନ୍ ଅନନ୍ତପୁରରେ ବିଜେପି ପକ୍ଷରୁ ଏକ ନିର୍ବାଚନୀ ରାଲି କରାଯାଉଥିଲା । ତେବେ ଏହି ସମୟରେ ବିଜେପି ସମର୍ଥକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ସେହିଭଳି ଭୁବନେଶ୍ୱର ୟୁନିଟ୍-୬ର ୪୬ ନମ୍ବର ୱାର୍ଡରେ ବିଜେପି କର୍ମୀଙ୍କୁ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ବେଳେ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଥିଲା ।

ବିଜେଡି କର୍ପୋରେଟରଙ୍କ ଲୋକମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ଜଣେ ମହିଳା ବିଜେପି କର୍ମୀ । ସେପଟେ ବରଗଡ଼ ଅମ୍ବାଭୋନା ବ୍ଲକର କୁମ୍ବୋ ଗାଁରେ ବି ନିର୍ବାଚନୀ ହିଂସା ଅଭିଯୋଗ ହୋଇଥିଲା । ବିଜେପି ପ୍ରଚାର ଗାଡି ପ୍ରଚାର କରୁଥିବା ବେଳେ ସେମାନଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିବା ନେଇ ଅମ୍ବାଭୋନା ଥାନାରେ ଅଭିଯୋଗ ହୋଇଥିଲା ।

Related Posts