ଟ୍ରକରେ ବସି ଦିଲ୍ଲୀରୁ ଚଣ୍ଡିଗଡ ଗଲେ ରାହୁଲ ଗାନ୍ଧି, ଶୁଣିଲେ ଡ୍ରାଇଭରଙ୍କ ‘ମନ କୀ ବାତ୍’

ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ନିର୍ବାଚନ ପରେ ରାହୁଲଙ୍କ ନୂଆ ଅବତାର । ଏବେ ଟ୍ରକ ଡ୍ରାଇଭର ଭାବେ ଦେଖିବାକୁ ମିଳିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ହଠାତ୍ ଗତକାଲି ମଧ୍ୟରାତ୍ରରେ ଦିଲ୍ଲୀରୁ ଟ୍ରକରେ ରାହୁଲ ଗାନ୍ଧୀ ଚଣ୍ଡିଗଡ ଉଦ୍ଦେଶ୍ୟରେ ବାହାରିଥିଲେ । ଅମ୍ବାଲରେ ଓହ୍ଲାଇଥିଲେ । ସେଠାରେ ଟ୍ରକ ଡ୍ରାଇଭରଙ୍କ ସହ ଆଲୋଚନା କରିଥିଲେ ।ତାଙ୍କ ସମସ୍ୟା ବିଷୟରେ ବି ପଚାରି ବୁଝିଥିଲେ ।ଏ ସମସ୍ତ ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି ।

ରାହୁଲଙ୍କ ଅଚାନକ ଆବିର୍ଭାବ ଅନେକ ସମୟରେ ଦେଖିବାକୁ ମିଳିଥାଏ । କେତେବେଳେ ସାଧାରଣ ଲୋକଙ୍କ ସହ ହୋଟେଲରେ ତ ରାତିରେ ଛାତ୍ରଙ୍କ ଗହଣରେ କଲେଜ ହଷ୍ଟେଲରେ । କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ଏବେ ରାହୁଲ ଆଉ ଅଧିକ ଉତ୍ସାହିତ ହୋଇ ପଡିଛନ୍ତି। ପୁରା ଜୋଶରେ ଟ୍ରକ ଡ୍ରାଇଭର ଙ୍କ ସହ ଆଲୋଚନା କରିଛନ୍ତି। ଏନେଇ କଂଗ୍ରେସ ପକ୍ଷରୁ କୁହା ଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ କୀ ବାତ ଲୋକଙ୍କୁ କହୁଛନ୍ତି । ହେଲେ ରାହୁଲ ଟ୍ରକରେ ବୁଲିବୁଲି ଡ୍ରାଇଭରଙ୍କ ମନ କୀ ବାତ୍ ଶୁଣୁଛନ୍ତି ।

ରାହୁଲଙ୍କର ଏହି ଟ୍ରକ ଯାତ୍ରା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ୟୁଜର୍ସ ବେଶ ମତାମତ ବି ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ବିଳମ୍ବିତ ରାତିରେ ରାହୁଲ ଟ୍ରକ ଡ୍ରାଇଭରଙ୍କୁ ଭେଟିଲେ । କଥାବାର୍ତ୍ତା ହେଲେ । ସେମାନଙ୍କ ସମସ୍ୟ ସମ୍ପର୍କରେ ପଚାରିଲେ । ଟ୍ରକ ଡ୍ରାଇଭରଙ୍କ ଦେଶୀ ଗୀତକୁ ଉପଭୋଗ କଲେ । କେତେଜଣ ନେତା ବିନି ମିଡିଆରେ ଏପରି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

କଂଗ୍ରେସ ପକ୍ଷରୁ ରାହୁଲଙ୍କର ଏହି ଭିଡିଓକୁ ମଧ୍ୟ ଟୁଇଟରରେ ସେୟାର କରାଯାଇଛି । ଏରିଥିରେ କୁହାଯାଇଛି, ଭାରତର ସଡକରେ ୯୦ ଲକ୍ଷ ଡ୍ରାଇଭର ଗାଡି ଚଲାଉଛନ୍ତି । ସେମାନଙ୍କ ଅନେକ ସମସ୍ୟା ରହିଛି । ସେମାନଙ୍କର ମନ କୀ ବାତ ଶୁଣିବା କାମ ରାହୁଲ କରୁଛନ୍ତି ।

Related Posts