ବିଷାକ୍ତ ମଦ ପିଇ ବିହାରରେ ୧୭ ଜଣଙ୍କର ମୃତ୍ୟୁ

ପାଟନା: ବିଷାକ୍ତ ମଦ ନେଲା ପୁଣି ଜୀବନ | ବିହାରରୁ ପୁଣି ସାମ୍ନାକୁ ଆସିଲା ବିଷାକ୍ତ ମଦ ମୃତ୍ୟୁ ମାମଲା । ୧୭ ଜଣଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ସେମାନଙ୍କ ମଧ୍ୟରୁ ଔରାଙ୍ଗବାଦରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମଧେପୁରାରେ ଦୁଇ ଜଣ, ଗୟାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ।

ଗତ ୪ ଦିନ ମଧ୍ୟରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ଲୋକେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ହୋଇଥିବା କହୁଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଗତ ମଙ୍ଗଳବାର ଔରାଙ୍ଗବାଦରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଜଣେ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୭୦ ଜଣଙ୍କୁ ଗିରଫ କରାଯାଇଥିଲା । ଏହା ପରେ ଏହି ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପଡୋଶୀ ରାଜ୍ୟ ଝାଡଖଣ୍ଡରୁ ଏହି ବିଷାକ୍ତ ମଦ ଅଣାଯାଇଥିଲା । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ କହିଛନ୍ତି ମନ୍ତ୍ରୀ ସୁନିଲ କୁମାର ।ଗୟାରେ ବିଷାକ୍ତ ମଦ ଯୋଗୁଁ ୪ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ୬ଜଣ ଗୁରୁତର ରହିଛନ୍ତି । ଗତ ସୋମବାର ସମସ୍ତେ ମଦ୍ୟପାନ କରିଥିବା ବେଳେ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ଏହାପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ମଧେପୁରାରେ ବିଷାକ୍ତ ମଦ ପିଇ ଭିଣେଇ ଶାଳକଙ୍କ ମୃତ୍ୟୁ ହୋଇଛି ।

Related Posts