ସମାଜର କଳଙ୍କ: HIV ଆକ୍ରାନ୍ତ ମହିଳାଙ୍କୁ ଛୁଇଁ ନଥିବା ବାରିପଦା ଡାକ୍ତର

(ସତ୍ୟପାଠ ବ୍ୟୁରୋ) ସରକାରଙ୍କ 5-T ସଚିବଙ୍କ ନାଲିଆଖିକୁ ବାଏଁ ବାଏଁ ଉଡେଇଦେଲେ ଡାକ୍ତର । ଜଣେ HIV ଆକ୍ରାନ୍ତଙ୍କ ଚିକିତ୍ସା କରିବେ କ’ଣ ତାଙ୍କୁ ଛୁଇଁଲେ ବି ନାହାନ୍ତି ଡାକ୍ତର ମହୋଦୟ । ଡ଼ାକ୍ତରଙ୍କ ଅବହେଳାରୁ ମହିଳାଙ୍କ ଗର୍ଭରେ ଶିଶୁର ଜୀବନ ଚାଲିଗଲା ବୋଲି ଅଭିଯୋଗ କରିଛନ୍ତି HIV ପଜିଟିଭି ପ୍ରସୂତି ମହିଳାଙ୍କ  ସ୍ୱାମୀ । ଏଭଳି  ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ।

ସୂଚନା ଅନୁସାରେ ଯାମଦା ପରିବାର ଜଣେ ପ୍ରସୂତି ପ୍ରଥମେ ୧୨ ତାରିଖ ସକାଳେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ଯନ୍ତ୍ରଣା ଅଧିକ ହେବାରୁ ସେହି ଦିନ ରାତି ୧୧ ଟାରେ ବାରିପଦା  ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଗଲା । ପ୍ରସବ ବେଦନାରେ ଦୀର୍ଘ ୩୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଛଟପଟ ହେଲେ, ସମୟ ସମୟରେ କଷ୍ଟ ସହି ନ ପାରି ମୁର୍ଚ୍ଛା ମଧ୍ୟ ଗଲେ ମହିଳା । କିନ୍ତୁ ବିଡ଼ମ୍ବନା ଡାକ୍ତର ସେଠାରେ ମହିଳାଙ୍କ ଚିକିତ୍ସା କଲେ ନାହିଁ । କାରଣ ଉକ୍ତ ପ୍ରସୂତି ଥିଲେ ଜଣେ HIV ଆକ୍ରାନ୍ତ ।  ପ୍ରସୂତିଙ୍କୁ ଏଡ୍ସ ହୋଇଥିବାରୁ ଡାକ୍ତର ତାଙ୍କୁ ନଛୁଇଁ ନରମାଲ ଡେଲିଭରି ହେବାକୁ ଅପେକ୍ଷା କରିବାକୁ ପରିବାର ଲୋକଙ୍କୁ କହିଥିଲେ, ଯେତେବେଳେ କି ପରିବାର ଲୋକ ଚାହୁଁଥିଲେ ମହିଳାଙ୍କର ଅସ୍ତ୍ରପୋଚାର କରି ଶିଶୁ ଜନ୍ମ ଦେବା ପାଇଁ । ଏଭଳି ଅଭିଯୋଗ କରିଛନ୍ତି ଉକ୍ତ ମହିଳାଙ୍କ ସ୍ବାମୀ ଏବଂ ତାଙ୍କ ସାଥିରେ ଥିବା ଆଶା କର୍ମୀ । ଶୁକ୍ରବାର ମହିଳାଙ୍କ ପେଟରେ ଶୁଶୁଟିର ମୃତ୍ୟୁ ହେଇଥିବା ଜଣାପଡ଼ିଛି । ସେପଟେ ମହିଳାଙ୍କ ଅବସ୍ଥା ଗୁରୁତ୍ବର ରହିଛି । ଯାହାକୁ ନେଇ ପୂରା ମୟୂରଭଞ୍ଜ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି  । ଯେଇଁଠି ଆଦିବାସୀ ଅଦ୍ୟୁଷିତ ଅଞ୍ଚଳରୁ ଅନ୍ଧବିଶ୍ବାସକୁ ଦୂର କରିବାକୁ ସରକାର ଏବଂ ଶିକ୍ଷିତ ଲୋକମାନେ ଚେଷ୍ଟା କରୁଛନ୍ତି ଲୋକଙ୍କୁ ବୁଝାଉଛନ୍ତି ସେଠି ଜଣେ ପାଠ ପଢ଼ୁଆ ଡାକ୍ତରଙ୍କ ଅନ୍ଧବିଶ୍ବାସ ପ୍ରତି ଜଣେ ନିଷ୍ପାପ ଶିଶୁର ଜୀବନ ନେଇଛି । ଯାହାକୁ ନେଇ ଏବେ ଅପେକ ପ୍ରଶ୍ନ ଉଠିଛି । ଏଥିପାଇଁ ମୟୂରଭଞ୍ଜରେ ସମ୍ପୃକ୍ତ ଡାକ୍ତର ଏବଂ ରାଜ୍ୟ ସରକାର, ମୋ ସରକାର, 5-ଟି ସଚିବଙ୍କୁ ସିଧା ସିଧା ଲୋକେ ସମାଲୋଚନା କରିଛନ୍ତି ।

କିଛି ଦିନତଳେ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ ଆସିଥିଲେ 5-ଟି ସଚିବ । କିନ୍ତୁ କ’ଣ ହେଲା, ମେଡିକାଲରେ ରୋଗୀ ସେବା ଉପରେ କିଛି ପରକ ପଡ଼ିଲା ନାହିଁ । ଏଠି ପ୍ରଶ୍ନ ଉଠୁଛି ଯଦି5-ଟି ସଚିବଙ୍କ ଗସ୍ତ ଦ୍ବାରା ମେଡିକାର ସ୍ଥିତି ସୁଧୁରୁନି ତେବେ ସରକାରୀ ଅର୍ଥରେ ମେଡିକାଲ ଗସ୍ତର ଡ୍ରାମା କାହିଁକି କରୁଛନ୍ତି ପାଣ୍ଡିଆନ ବାବୁ । କିଛି ଦିନତଳେ କ୍ୟାଣ୍ଟିନରେ କାର୍ଯ୍ୟ କରୁଥିବା ମହିଳା, ରୋଗୀକୁ ଇଞ୍ଜେକ୍ସନ ଦେଇ କାର୍ଯ୍ୟରୁ ବହିସ୍କୃତ ହୋଇଥିଲେ  । ହେଲେ ଡ଼ାକ୍ତରଙ୍କ ଅବହେଳାରୁ ମାଆ ପେଟରେ ଦୁନିଆ ଦେଖିବା ଆଗରୁ ଶିଶୁର ମୃତ୍ୟୁ ପାଇଁ ପାଣ୍ଡିଆନ ସାର ଚୁପ୍ ବସିଛନ୍ତି । ଘଟଣାକୁ ନେଇ ରଘୁନାଥ ମୁର୍ମୁ ମେଡିକାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦିଆଯାଇନଥିବା ବେଳେ ସ୍ବସ୍ତ୍ରମନ୍ତ୍ରୀ ନବ କିଶୋର ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଯଦି ସେ ଦୋଷୀ ହେବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ଘଟଣାରେ ସମ୍ପୃକ୍ତ ଡାକ୍ତର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁସାରେ HIV ଏଡ୍‌ସ ନିୟନ୍ତ୍ରଣ ଆଇନ 2017 କହୁଛି ଯଦି କୌଣସି ବ୍ୟକ୍ତି ଯେକୌଣସି କାରଣରୁ ହେଉନା କାହିଁକି ଏଡ୍‌ସ ରୋଗୀଙ୍କ ଭେଦଭାବ କରିବ ନାହିଁ । ଖାସ୍‌ କରି  ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯଦି ରୋଗୀଙ୍କୁ ଉଚିତ ବ୍ୟବହାର କରାଗଲା ନାହିଁ ତାହା ଏଡ୍‌ସ ରୋଗୀଙ୍କୁ ଅସ୍ବୀକାର କରାଯାଉଥିବା ପ୍ରମାଣିତ ହେବ । ଏହା ଛଡ଼ା ଯେକୌଣସି ସଂସ୍ଥା ବା ପ୍ରତିଷ୍ଠାନ ହେଉ କି ଡାକ୍ତରଖାନା ହେଉ ସବୁଠି ଏଡ୍‌ସ ରୋଗୀଙ୍କ ପ୍ରତି ଭଲ ବ୍ୟବହାର ଦେଖାଇବା ଉଚିତ । ରୋଗୀଙ୍କ ପାଇଁ ମେଡିକାଲରେ ଏକ ସୁରକ୍ଷିତ ପରିବେଶ ରଖିବା ପାଇଁ ପଦକ୍ଷେପ ଉଠାଇବା ଉଚିତ । କିନ୍ତୁ ରୋଗୀଙ୍କ ସହ ଭେଦଭାବ କରିବା ଆଇନ ବିରୋଧୀ ବୋଲି ସ୍ପଷ୍ଟ ଲେଖା ହୋଇଛି ।  ଧାରା 4 ଆଇନ କହୁଛି ଯଦି ଏଡ୍‌ସ ରୋଗୀଙ୍କ ବିରୋଧରେ କିଏ କେଉଁଠି କିଛି ଲେଖୁଛି ବା କହୁଛି ତେବେ ଉକ୍ତ ବ୍ୟକ୍ତିଙ୍କୁ ସର୍ବନିମ୍ନ 3 ମାସ ଜେଲ ସହ ଜୋରିମାନା ହେବ  । ଏପରିକି ଦଣ୍ଡ 3 ମାସରୁ ଏକ ବର୍ଷ ଏବଂ ଜୋରିମାନାର ପାରିମାଣ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ କିମ୍ବା ଉଭୟ ଜେଲ ଓ ଜୋରିମାନା ବି ହୋଇପାରେ  ।

ମୟୂରଭଞ୍ଜ ଜିଲ୍ଲାରେ ଏଡସ୍‌ ରୋଗୀଙ୍କୁ ସବୁବେଳେ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି । ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ମୋଟ‌୍‍ ୧୦୮୯ ଜଣ ଏଚ‌୍‍.ଆଇ.ଭି. ପଜେଟିଭ ରୋଗୀ ଥିବାବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ୬୦୦, ମହିଳା ୪୩୭ ଏବଂ ଛୋଟ ପିଲା ୫୨ ଜଣ ରହିଛନ୍ତି । ପ୍ରତିବର୍ଷ ୧୪ ରୁ ୧୯ ଜଣ ଏଚ‌୍‍.ଆଇ.ଭି. ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହେଉଥିବା ପରିସ୍ଥିତିରେ ଏଚ‌୍‍.ଆଇ.ଭି. ସଂକ୍ରମିତ ରୋଗୀଙ୍କୁ ଅବହେଳା ଉଦ୍‌ବେଗ୍‌ର କାରଣ ପାଲଟିଛି । ଆଶା କରାଯାଉଛି 5-ଟି ସାର ଏହି ତଥ୍ୟ ଜାଣିଥିବେ । କେବଳ ମୟୂରଭଞ୍ଜ ନୁହେଁ ସମଗ୍ର ରାଜ୍ୟର ସମସ୍ତ ମେଡିକାଲର ଅବସ୍ଥା ଏହିପରି । ଯଦି ମେଡିକାଲରେ ଏଡ୍ସ ରୋଗୀଙ୍କ ଚିକିତ୍ସା ଡାକ୍ତର କରିବେ ନାହିଁ ତେବେ ଏଡ୍‌ସ ସଚେତନା ନାଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର କିଛି ମାନେ ନାହିଁ । ତେଣୁ ନବୀନ ବାବୁ ଏକଂ 5-ଟି ସାର ପ୍ରଚାର ପ୍ରସାର ଛାଡ଼ି ଲୋକଙ୍କ ପ୍ରକୃତ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରନ୍ତୁ ବୋଲି ଦାବି ହୋଇଛି ।

Related Posts