5-Tର ଧୂଆଁ: 110 ହସ୍ପିଟାଲରେ ନାହାନ୍ତି ଡାକ୍ତର

ଡାକ୍ତର ନୁହେଁ ଯମ କରୁଛି ରୋଗୀ ଚିକିତ୍ସା

(ସତ୍ୟପାଠ ବ୍ୟୁରୋ) ନବୀନ ବାବୁଙ୍କ 5-ଟି କାର୍ଯ୍ୟକ୍ରମ କେବଳ ଧୂଆଁ । ଓଡ଼ିଶାର ସରକାରୀ ଡାକ୍ତରଖାନା ଉପରେ ରହିଛି ଯମର ଆଖି । ରାଜ୍ୟର 110ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ନାହନ୍ତି ଜଣେ ହେଲେ ବି ଡାକ୍ତର । ଏପରି ଚମକାଇଦେଲା ଭଳି ତଥ୍ୟ ଲୋକସଭାରେ ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ଚୌବେ ।

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ଓଡ଼ିଶାରେ ମୋଟ 1288ଟି ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । ସେଥିମଧ୍ୟରୁ 110ଟି ଡାକ୍ତରଖାନାରେ ରେଗୀଙ୍କ ସେବା କରିବାକୁ ନାହାନ୍ତି ଜଣେ ହେଲେ ବି ଡାକ୍ତର । ଅର୍ଥାତ ଏହି ସବୁ ଡାକ୍ତରଖାନାରେ ଯମ ଚିକିତ୍ସା କରୁଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ବିହାର, ତେଲଙ୍ଗାନା, ଆସାମ, ଆନ୍ଧ୍ର ପ୍ରଦେଶ, ମଣିପୁର, ରାଜସ୍ଥାନ ଭଳି 17ଟି ରାଜ୍ୟର ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ 4 ଜଣ ଲେଖାଏଁ ଡାକ୍ତର ଥିବା ବେଳେ ଓଡ଼ିଶାରେ ଜଣେ ବି ଡାକ୍ତର ନରହିବା ଚିନ୍ତାର ବିଷୟ ।  1288ଟି PHCରୁ କେବଳ 2ଟିରେ ଅଛନ୍ତି 3ଜଣ ଲେଖାଏଁ ଡାକ୍ତର । ସେହିଭଳି 585ଟି ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଛନ୍ତି ଜଣେ ଲେଖାଏଁ ଡାକ୍ତର । 578ଟି ଡାକ୍ତରଖାନାରେ ରୋଗୀ ସେବା କରୁଛନ୍ତି 2 ଜଣ ଲେଖାଏଁ ଡାକ୍ତର ।

5-ଟିରେ ଅନେକ ପ୍ରଚାର ପ୍ରସାର ଚାଲିଛି । ରାଜ୍ୟରେ ସ୍ବାସ୍ଥ୍ୟାବସ୍ଥାରେ ଆଉ କିଛି ଅସୁବିଧା ନାହିଁ, ଏବେ ସୁବ କିଛି ଠିକ୍‌ ଚାଲିଛି ବୋଲି କୁହାଯାଉଛି । 5-ଟି ସଚିବ ଚାରିଆଡ଼େ ବୁଲି ସବୁ ଠିକ୍‌ କରିଦେଉଛନ୍ତି ବୋଲି ମଧ୍ୟ କୁହାଯାଉଛି । ତେବେ ଲୋକସଭାରେ ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ଏହି ନଗ୍ନ ଚିତ୍ର ଆସିଲା କାହିଁକି ? କେନ୍ଦ୍ର ତ କହୁଛି ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟକୁ ଟଙ୍କା ଦେଉଛି । ହେଲେ ସେହି ଟଙ୍କା ଯାଉଛି କୁଆଡ଼େ ? କେନ୍ଦ୍ର ଟଙ୍କାକୁ ‘ଟ୍ରାଭେଲ 5-ଟି’ ନାଁରେ ସାରୁ ନାହାନ୍ତି ତ ସରକାର ? ଏଥିପାଇଁ କିଏ ଦାୟୀ । କୁଆଡେ ଗଲା ନବୀନ ବାବୁଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ବାସ୍ଥ୍ୟ ମନ୍ତ୍ରୀ ରାଜ୍ୟକୁ ବଳକା ଡାକ୍ତର ରାଜ୍ୟ କରିବାକୁ କହୁଥିଲେ । ନବ ବାବୁ ପ୍ରକୃତରେ ରାଜ୍ୟର ସ୍ବାସ୍ଥ୍ୟାବସ୍ଥା ବିଷୟରେ କିଛି ତଥ୍ୟ ଜାଣିଥିଲେ ନା ନବୀନ ବାବୁଙ୍କ ନିକଟତର ହେବାକୁ ଫିଲ୍ମ ଡାଏଲଗ ମାରିଦେଇଥିଲେ । ଯଦି ରାଜ୍ୟରେ 110ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ହେଲେ ବି ଡାକ୍ତର ନାହାନ୍ତି ସେ ରାଜ୍ୟକୁ ବଳକା ଡାକ୍ତର ରାଜ୍ୟ କରିବାକୁ କିଭଳି ଚିନ୍ତା କଲେ ?

ଅନ୍ୟପଟେ ଓଡ଼ିଶାଠାରୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସଫଳ ହୋଇଛନ୍ତି ବିହାର, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼, ଦିଲ୍ଲୀ, ତାମିଲନାଡ଼ୁ ଏବଂ କେରଳ । ଯଦିଓ ପୂର୍ବରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ସହ ଛତିଶଗଡ଼, ଗୁଜରାଟ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ହରିୟାଣା ଭଳି ଅନେକ ରାଜ୍ୟ ପଛୁଆ ଥିଲେ କିନ୍ତୁ ଏବେ ସେମାନେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାକୁ ସୁଧାରିଛନ୍ତି । ବିଡମ୍ବନା ନବୀନ ବାବୁଙ୍କ ସରକାର ରାଜ୍ୟର ସ୍ବାସ୍ଥ୍ୟାବସ୍ଥାକୁ ଯଥା ପୂର୍ବଂ ତଥା ପରଂ କରି ରଖିଛନ୍ତି । ସ୍ବାସ୍ଥ୍ୟାବସ୍ଥା ସୁଧାରିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ ମାଧ୍ୟମରେ ରାଜ୍ୟକୁ କେନ୍ଦ୍ର ଆର୍ଥିକ ସହଯୋଗ କରୁଥିବା କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ କହୁଥିବା ବେଳେ ରାଜ୍ୟର ସ୍ବାସ୍ଥ୍ୟାବସ୍ଥା ସୁଧୁରୁନି କାହିଁକି ?

Related Posts