ସୌମ୍ୟ ଶଙ୍ଖୁଆ ହେବା ପରେ…‘ବ୍ଲାକ ସ୍ପଟ’କୁ ଛାଡ଼ିଦେଲେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ସମ୍ବାଦର ସମ୍ପାଦକ ତଥା ବିଜୁ ଜନତା ଦଳର ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କର ମୁଦ୍ରିତ ମନ୍‌ କୀ ବାତ୍‌ (ଆମ ଘରର ହାଲ୍‌ଚାଲ) ଏବେ ଚର୍ଚ୍ଚାରେ । ଗତ 24 ତାରିଖ ଦିନ ସମ୍ବାଦର ପ୍ରଥମ ପୃଷ୍ଠାରେ ସୌମ୍ୟ ବାବୁ ‘ଆମ ଘରର ହାଲ୍‌ଚାଲ’ ସ୍ତମ୍ଭରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ‘ଆମ ବ୍ୟବସ୍ଥା ସମ୍ମାନ ହରାଉଛି କାହିଁକି ?’ ରାଜ୍ୟବାସୀ ଏବଂ ପାଠକଙ୍କ ଉଦ୍ଦେଶ୍ୟରେ ପଚାରିଛନ୍ତି । ଏହି ଲେଖାରେ ବିଗତ ସପ୍ତାହର ଦୁଇ ତିନିଟି ଚର୍ଚ୍ଚିତ ଘଟଣା ଉପରେ ସୌମ୍ୟ ବାବୁ ଆଲୋକପାତ କରିଛନ୍ତି । ସେଥିରେ ଯେଉଁ ବିଷୟଟିକୁ ନେଇ ସୌମ୍ୟ ବାବୁଙ୍କର ସମ୍ପାଦକୀୟ ଭୂମିକାର ସାଧୁତା ଏବଂ ଦଳମତ ନିର୍ବିଶେଷରେ ଏକ ବିଶ୍ବସନୀୟ ବିଧାୟକର ମୂଲ୍ୟବୋଧକୁ ନେଇ ପ୍ରଶ୍ନ ଉଠିଛି, ତାହା ହେଲା ‘ଅପରେସନ ବ୍ଲାକ୍‌ଆଉଟ’ ସମ୍ପର୍କରେ ‘ଆମ ଘରର ହାଲ୍‌ଚାଲ’ରେ ତାଙ୍କର ଲେଖା । ଉପରକୁ ଦେଖିଲେ ସୌମ୍ୟ ବାବୁ ଯାହା ଯାହା ଲେଖିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ । ରାଜ୍ୟରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ପଛରେ ଯେଉଁ କେଳେଙ୍କାରୀ ଚାଲିଛି ତାହାର ଷ୍ଟିଙ୍ଗ୍ ଅପରେସନ ଏକ ଇନ୍‌ଭେଷ୍ଟିଗେଟିଭ ନ୍ୟୁଜ ସଂସ୍ଥା ‘ଲିଙ୍କିଙ୍ଗ୍ ଗୁରୁ ଡଟ୍‌ କମ’ ପକ୍ଷରୁ କରାଯାଇଥିଲା । ଯାହାକୁ କନକ ନ୍ୟୁଜ ହିଁ ଖୁଲାସା କରିଥିଲା । ଖବରର ପ୍ରଭାବ ମଧ୍ୟ ପ୍ରଶାସନ ଉପରେ ପଡ଼ିଥିଲା । ବିରୋଧୀଙ୍କ ଦଳ ପକ୍ଷରୁ ସିବିଆଇ ତଦନ୍ତ ଦାବି ଚାଲିଥିବା ବେଳେ ଶକ୍ତି ବିଭାଗ ତରଭରିଆ ଭାବେ 6 ଜଣ ଅଧିକାରୀଙ୍କୁ ନିଲମ୍ବନ କରିଥିଲା । ସୌମ୍ୟ ବାବୁ ତାଙ୍କ ସ୍ତମ୍ଭରେ ଏହି ଖବର ପ୍ରସାରଣ ପାଇଁ ‘କନକ ନ୍ୟୁଜ’କୁ ପ୍ରଶଂସା କରିଥିବା ବେଳେ ପ୍ରଶାସନର ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପରୋକ୍ଷରେ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।

ସୌମ୍ୟ ବାବୁଙ୍କର ଏହି ଲେଖାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ । 2019 ନଭେମ୍ବର ମାସ ତୃତୀୟ ସପ୍ତାହରେ କନକ ନ୍ୟୁଜ୍‌ରେ ପ୍ରସାରିତ ସନ୍‌ସନି ଖବର ‘ଅପରେସନ ବ୍ଲାକ୍‌ ଆଉଟ’କୁ ନେଇ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଶ୍ନ ହେଉଛି ସମାନ କନକ ନ୍ୟୁଜ୍‌ରେ ଗତ 2016 ମସିହା ଅଗଷ୍ଟ ମାସରେ ପ୍ରସାରିତ ହୋଇଥିବା ଏହାଠାରୁ ଅଧିକ ସନ୍‌ସନି ଖବର ‘ଅପରେସନ ବ୍ଲାକ୍‌ ସ୍ପଟ’କୁ ଭୁଲି ଗଲେ କିଭଳି । ‘ଅପରେସନ ବ୍ଲାକ୍‌ ସ୍ପଟ’ର ଷ୍ଟିଙ୍ଗ୍ ଅପରେସନକୁ ସମାନ ‘ଲିଙ୍କିଙ୍ଗ୍ ଗୁରୁ ଡଟ୍‌ କମ’ ସଂସ୍ଥାର ମୁଖ୍ୟ କରିଥିଲେ ।  ‘ଅପରେସନ ବ୍ଲାକ୍‌ ସ୍ପଟ୍’ରେ ବିଜୁ ଜନତା ଦଳର 4 ଜଣ ବିଧାୟକ ପାୱାର ପ୍ଲାଣ୍ଟର NOC କରାଇଦେବାକୁ କିଭଳି କୋଟି କୋଟି ଟଙ୍କା ଲାଞ୍ଜ ମାଗୁଥିଲେ ତାହା ଗୁପ୍ତ କ୍ୟାମେରାରେ କଏଦ ହୋଇଥିଲା । ସେମାନେ ହେଲେ ସେତେବଳର ଭବାନୀପାଟଣା ବିଧାୟକ ଅନାମ ନାୟକ, କରଞ୍ଜିଆ ବିଧାୟକ ବିଜୟ ନାୟକ ଏବଂ ବର୍ତ୍ତମାନର ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଓ ଛେଣ୍ଡିପଦା ବିଧାୟକ ସୁକାନ୍ତ କୁମାର ବେହେରା । ସେତେବେଳେ ‘ଅପରେସନ ବ୍ଲାକ୍‌ ସ୍ପଟ୍’ ଖବର ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲା । ବିରୋଧୀ ସମ୍ପୃକ୍ତ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ । ତା’ ଛଡ଼ା ସମ୍ପୃକ୍ତ 4 ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯିବା ନେଇ ନବୀନଙ୍କୁ ଘେରିଥିଲେ ବିରୋଧୀ । ନବୀନ ବାବୁ ଅତି ଚତୁରତାର ସହ ମାମଲାକୁ ରଫାଦଫା କରିବା ପାଇଁ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇ ଚୁପ୍ ବସିପଡ଼ିଥିଲେ । ସେତେବେଳେ ସୌମ୍ୟ ବାବୁ ‘ଅପରେସନ ବ୍ଲାକ୍‌ ସ୍ପଟ’ ନବୀନ ବାବୁଙ୍କ ସରକାରର କଳଙ୍କିତ ଘଟଣା ବୋଲି କହିଥିଲେ । 2016ରେ ସୌମ୍ୟ ବାବୁ ନବୀନ ବାବୁଙ୍କ ଅଦମ୍ୟ ନେତୃତ୍ବରେ ପ୍ରଭାବିତ ହୋଇ ନଥିଲେ । ତେଣୁ ନବୀନ ବାବୁଙ୍କ ପାଖରେ ସମର୍ପିତ ହୋଇ ତାଙ୍କୁ ନିଜର ଦଳପତି ଭାବେ ଗ୍ରହଣ କରିନଥିଲେ । ତେଣୁ ସ୍ବାଭାବିକ ଭାବରେ ‘ଅପରେସନ ବ୍ଲାକ ସ୍ପଟ’ରେ ନବୀନଙ୍କ ନୀରବତାକୁ କଠୋର ଭାବରେ ଭତ୍ସନା କରିଥିଲେ ।ବିଡ଼ମ୍ବନା 2019 ବ୍ଲାକ୍‌ ଆଉଟ ଖୁଲାସା ବେଳକୁ ସୌମ୍ୟ ବାବୁଙ୍କ ପରିଚୟରେ ଅନେକ କିଛି ପରିବର୍ତ୍ତନ ହୋଇଯାଇଛି । ଇତି ମଧ୍ୟରେ ଅନ୍ୟ ବିଜେଡି ନେତା ଓ କର୍ମୀଙ୍କ ପାଇଁ ସେ ମଧ୍ୟ ଶଙ୍ଖୁଆ ଦଳ ଭାଇ ହୋଇଯାଇଛନ୍ତି । ବିଜୁ ଜନତା ଦଳରେ ଯୋଗ ଦେବାର ଅଳ୍ପ ଅବଧି ମଧ୍ୟରେ ଦଳପତିଙ୍କ ଆଶୀର୍ବାଦ ଯୋଗୁଁ ସୌମ୍ୟ ବାବୁ ସାଂସଦ ଓ ବିଧାୟକ ମଧ୍ୟ ହୋଇପାରିଛନ୍ତି । ସେ ଦୃଷ୍ଟିରୁ ଆମ ଘରର ହାଲ୍‌ଚାଲ ସ୍ତମ୍ଭରେ କେବଳ ‘ଅପରେସନ ବ୍ଲାକ ଆଉଟ’କୁ ଉଲ୍ଲେଖ କରିବା ଏବଂ 6 ଜଣ ଅଧିକାରୀଙ୍କ ନିଲମ୍ବନ ନେଇ ସନ୍ତୋଷ ପ୍ରକାଶ କରିବାକୁ ନେଇ ସନ୍ଦେହ ସହ ପ୍ରଶ୍ନ ଉଠିଛି ।

‘ଅପରେସନ ବ୍ଲାକ୍‌ ସ୍ପଟ’ର ତଥ୍ୟ ‘ଅପରେସନ ବ୍ଲାକଆଉଟ’ଠାରୁ ଆହୁରି କଳଙ୍କିତ ଥିଲା । କାରଣ ସେଥିରେ ବିଜେଡିର ଏହି ସନ୍‌ସନି ଖବର ପ୍ରସାରଣ ପରେ ବିରୋଧୀ ଦଳ ସିବିଆଇ ତଦନ୍ତ ଦାବି କରିଥିଲା । ସୌମ୍ୟ ବାବୁ ନବୀନ ବାବୁଙ୍କୁ ସମାଲୋଚନା କରିଥିଲେ । ସେତେବଳେ କେବଳ ଭିଜିଲାନ୍ସ ତଦନ୍ତ ନାଁରେ ତାଙ୍କ ଦଳପତି ଚୁପ୍ ବସିଗଲେ । ଉକ୍ତ ବିଧାୟକମାନେ ପାଲଟା ଅଭିଯୋଗ କରିଥିଲେ ଯେ, ସେମାନେ ଦଳିତ ବୋଲି ତାଙ୍କ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରାଯାଉଛି ।

 ‘ଅପରେସନ ବ୍ଲାକ୍‌ ସ୍ପଟ୍’ର ତଥ୍ୟ ସାଙ୍ଘାତିକ ଥିଲେ ବି ସୌମ୍ୟ ବାବୁ ‘ଆମ ଘରର ହାଲ୍‌ଚାଲ’ରେ ତାକୁ ଲେଖିବାକୁ ଭୁଲିଗଲେ । ଅର୍ଥାତ ନିଜ ସଂସ୍ଥା ବା ନିଜ ଚ୍ୟାନେଲକୁ ଅଧା ଶ୍ରେୟରୁ ବଞ୍ଚିତ କଲେ । ଆଶା କରାଯାଉଥିଲା ସୌମ୍ୟ ବାବୁଙ୍କ ଭଳି ସ୍ପଷ୍ଟବାଦୀ ଆଉ ନିର୍ଭିକ ସାମ୍ବାଦିକ ଅପରେସନ ବ୍ଲାକ ସ୍ପଟରେ 4 ବିଧାୟକଙ୍କୁ ଯେଭଳି ଖସାଇ ଦିଆଗଲା ସେଥିରେ ନବୀନ ବାବୁଙ୍କ ଭୂମିକା ଉପରେ ପ୍ରଶ୍ନ କରିଥାନ୍ତେ । ଏବଂ ପରବର୍ତ୍ତୀ ସମୟରେ 2019ରେ ସେଥିରୁ 2 ବିବାଦୀୟ ବିଧାୟକ ସୁକାନ୍ତ କୁମାର ବେହେରାଙ୍କୁ ଛେଣ୍ଡିପଦା ଏବଂ ସୀମାରାଣୀ ନାୟକଙ୍କୁ ହିନ୍ଦୋଳରୁ ପୁନର୍ବାର ଦଳ ତରଫରୁ ଟିକେଟ ଦେବା ନିଷ୍ପତ୍ତିକୁ ପ୍ରଶ୍ନ କରିବାର ଥିଲା । କିନ୍ତୁ ତାହା କଲେ ନାହିଁ ସୌମ୍ୟ ବାବୁ । ଅପରେସନ ବ୍ଲାକ ସ୍ପଟ ସମ୍ପର୍କରେ ପ୍ରଶ୍ନ କରିବା ଅର୍ଥ ସିଧାସଳଖ ଦଳପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଓ ନେତୃତ୍ବକୁ ଚ୍ୟାଲେଞ୍ଜ କରିବା  । ସୌମ୍ୟଙ୍କ ନୀରବତା ସ୍ପଷ୍ଟ କରୁଛି ଦଳପତିଙ୍କ ଆଖିରେ ଆଖି ମିଶାଇ କଠୋର ସତ୍ୟକୁ ପ୍ରକାଶ କରିବା ସ୍ଥିତିରେ ନାହାନ୍ତି ସୌମ୍ୟ ।

‘ଅପରେସନ ବ୍ଲାକ ସ୍ପଟ’କୁ ସୌମ୍ୟ ଭୁଲି ଗଲେ କାହିଁକି ?

‘ଅପରେସନ ବ୍ଲାକ୍‌ ଆଉଟ’ ପ୍ରଭାବରେ ଯଦି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ତେବେ ‘ଅପରେସନ ବ୍ଲାକ ସ୍ପଟ’ରେ ଧରାପଡ଼ିଥିବା ବିଧାୟକଙ୍କ ବେଳେ ନବୀନଙ୍କ ନୀରବତା ନେଇ ସୌମ୍ୟ ଚୁପ୍ କାହିଁକି ?

ଉଭୟ ‘ଅପରେସନ ବ୍ଲାକ ଆଉଟ ଓ ଅପରେସନ ବ୍ଲାକ ସ୍ପଟ’ର ଖୁଲାସା କରିଛି କନକ ନ୍ୟୁଜ, ତେବେ ବ୍ଲାକ ସ୍ପଟର ଶ୍ରେୟ ଦେଲେନି କାହିଁକି ?

ଅଭିଯୁକ୍ତ ଅଧିକାରୀଙ୍କୁ ନିଲମ୍ବନ କଲେ, କିନ୍ତୁ ଅଭିଯୁକ୍ତ ବିଧାୟକଙ୍କୁ ଖସାଇ ଦେଲେ କାହିଁକି ?

ବାସ୍ତବରେ ଅପରେସନ ବ୍ଲାକ ସ୍ପଟକୁ ସୌମ୍ୟ ବାବୁ ଭୁଲିଯାଇଛନ୍ତି ନା ବିଜେଡି ନେତା ବୋଲି ପାଟି ଫିଟାଇବାକୁ ସାହସ କଲେ ନାହିଁ ?

4ରୁ 2 ଅଭିଯୁକ୍ତଙ୍କୁ ପୁଣି ଟିକେଟ ଦେଲେ ନବୀନ, ସୌମ୍ୟ କିନ୍ତୁ ଏ ସମ୍ପର୍କରେ ଚୁପ୍ କାହିଁକି ?

Related Posts