ସୌମ୍ୟଙ୍କ ସାବୁନ୍

ସତ୍ୟପାଠ ବ୍ୟୁରୋ: ଦୈନିକ ଖବରକାଗଜ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଜୁନ ପହିଲାର ସଂପାଦକୀୟ ” ଆମ ଘରର ହାଲଚାଲ ” କୁ ନେଇ ଖୁବ ଚର୍ଚ୍ଚା ଚାଲିଛି। ସଂପୃକ୍ତ ଲେଖାର ହେଡ୍ ଲାଇନ୍ ଠୁ ପୁରା ବିଷୟବସ୍ତୁ ଏଭଳି ଭାବରେ ଉପସ୍ଥାପନା କରାଯାଇଛି ଯେ, ସୌମ୍ୟ ବାବୁଙ୍କୁ ଆଉ ତାଙ୍କର ରାଜନୈତିକ ଏବଂ ସାମ୍ବାଦିକ ଜୀବନକୁ ଯିଏ ଜାଣିଛି ସେ ନିଶ୍ଚିତ ଭାବରେ କିଛି ନା କିଛି ପ୍ରତିକ୍ରିୟା ରଖିବ।

ଏହି ଲେଖାଟିକୁ ପଢ଼ିବା ପରେ ଲାଗିଲା ଯେ ସୌମ୍ୟ ବାବୁଙ୍କ ଭଳି ବିଦ୍ୱାନ ଏବଂ ପୋଖତ ପଲଟିସିଆନ୍ ଏଭଳି ଲେଖାଟିକୁ ଏତେ ପ୍ରାଥମିକତା ଦେଇ ଲେଖିବାର କାରଣ କଣ ? ସୌମ୍ୟ ବାବୁଙ୍କ ପ୍ରାୟ ପ୍ରତ୍ୟେକ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ, ନିଜକୁ ମଧୁବାବୁ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଅନୁଗାମୀ ଭାବରେ ବିବେଚନା କରୁଥିବା ସୌମ୍ୟ ବାବୁ ଆପଣା ଦଳର ସଭାପତିଙ୍କ ପ୍ରତି ନିଜ ହୃଦୟର ଚିନ୍ତନକୁ ସର୍ବସାଧାରଣଙ୍କ ଗୋଚରାର୍ଥେ ସମ୍ବାଦପତ୍ରରେ ପ୍ରକାଶ କରିବାର ପ୍ରାସଙ୍ଗିକତା କଣ ? ଅନେକ କହିପାରନ୍ତି ଯେ ସେ ଦଳର ସଭାପତି ଭାବରେ ନୁହଁ ବରଂ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ବାବୁଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ବୋଲି। ଏହି କଥାକୁ ନେଇ ଯେଉଁ ସବୁ ଯୁକ୍ତି ଛିଡ଼ା ହେଉଛି ତାହାର ମୂଳ କାରଣ ଟି ହେଲା, ଲେଖାଟିର ଚେହେରା ଆବଶ୍ୟକତାଠାରୁ ବହୁ ଅଧିକ ତୈଳାକ୍ତ ଏବଂ ମସୃଣ ଲାଗୁଛି। ଏହାକୁ ନେଇ ଯେଉଁ ଯୁକ୍ତିସବୁ ଉଠୁଛି ସେଗୁଡିକ ହେଲା :-

(କ) ପ୍ରଥମ କଥା, ସମ୍ବାଦର ସମ୍ପାଦକୀୟ ପୃଷ୍ଠା ଅଛି, ସେଥିରେ ଏ ଲେଖାଟି ନ ଲେଖି ପ୍ରଥମ ପୃଷ୍ଠାରେ ଏତେ ବଡ଼ ଜାଗା ନେଇ ଲେଖିବା ନିଷ୍ପତ୍ତିକୁ ସୌମ୍ୟ ବାବୁ କିଭଳି ଭାବରେ ଉଚିତ୍ ପ୍ରମାଣ କରିବେ ? ସଂପାଦକୀୟ ପୃଷ୍ଠା ଛାଡ଼ି ଯେତେବେଳେ ସମ୍ପାଦକ ନିଜର ବାଇଲାଇନରେ ପ୍ରଥମ ପୃଷ୍ଠାକୁ ଓହ୍ଲାଏ ସେତେବେଳେ ଜାଣିବ ଯେ ସେ ଲେଖା ବା ଖବର ଏଭଳି ଦମଦାର ଥିବ ଯାହାକି ରାଜ୍ୟକୁ ହଲେଇଦେବ। 

ମାତ୍ର ନବୀନଙ୍କୁ କୃତଜ୍ଞତା ଜଣାଇବା ପାଇଁ ତାହାପୁଣି ପୁରା ୧୦୦ ପରସେଣ୍ଟ ନୁହଁ, ମାତ୍ର ୬୦ ପ୍ରତିଶତର କୃତଜ୍ଞତା ପାଇଁ ଗୋଟେ ଖବରକାଗଜର ପ୍ରଥମ ପୃଷ୍ଠାକୁ ବ୍ୟବହାର କରିଦେଲେ ସୌମ୍ୟ?

(ଖ) କୃତଜ୍ଞତା : ମଣିଷ ମନ ଏବଂ ହୃଦୟର ଏଭଳି ଏକ ସ୍ଥିତି ବା ଭାବନା ଯାହାକି ସଂପୂର୍ଣ୍ଣ ବା ଶହେ ପ୍ରତିଶତର ପରିପ୍ରକାଶ। କାରଣ କୃତଜ୍ଞତା ପାଖରେ ଯଦି… କିନ୍ତୁ, ପରନ୍ତୁ ଶବ୍ଦ ବା ଭାବନା ରହିଲା ତାହେଲେ ତାହାକୁ କୃତଜ୍ଞତା କୁହାଯାଇପାରିବ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୌମ୍ୟ ବାବୁ “ଆମ ଘରର ହାଲଚାଲ” ରେ ୬୦ ପ୍ରତିଶତ କୃତଜ୍ଞ ଏବଂ ୪୦ ପରସେନ୍ଟ କୃତଘ୍ଣ। ଏହା ତାଙ୍କର ଏକ ବିଚିତ୍ର ମାନସିକତାକୁ ଦେଖାଉଛି।

(ଗ) ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ସମଗ୍ର ଓଡ଼ିଆଙ୍କୁ ବିଶ୍ଵିବାସୀଙ୍କୁ ନବୀନ ବାବୁଙ୍କ ନିବେଦନ। ତଥା ଯେଭଳି ଆଗ୍ରହ ଓ ଉତ୍ସାହର ସହ ସବୁଠି ଲୋକେ ଗାନ କଲେ ସେଥିପାଇଁ ସୌମ୍ୟ ବାବୁ ନବୀନଙ୍କୁ ଅଭିନନ୍ଦନ ତ ଜଣେଇଛନ୍ତି କିନ୍ତୁ ତା ଠାରୁ ଅଧିକ କୃତଜ୍ଞତା ଯେଉଁ କାରଣ ପାଇଁ ଜଣାଇଛନ୍ତି ସେଇଟା ହେଲା, ୩୦ ତାରିଖ ଦିନ ବନ୍ଦେ ଉତ୍କଳ ଜନନୀ ସମୂହ ଗାନ ପରେ ଯେତେବେଳେ ଏକାନ୍ତରେ ସଙ୍ଗୀତର ପ୍ରତ୍ୟେକ ପଂକ୍ତି କୁ ମନାଇପକାଇଚନ୍ତି ସେତେବେଳେ ଜୀବନରେ ପ୍ରଥମ ଥର ପାଇଁ କାନ୍ତକବି ଙ୍କର ଏହି କାଳଜୟୀ ସୃଷ୍ଟି କୁ ନେଇ ହୃଦୟର ଏକ ଭିନ୍ନ ଶିହରଣ ଅନୁଭବ କରିଛନ୍ତି । ଯାହାକି ଅନନ୍ୟ ଅନୁଭୂତି। ଯେଉଁଥି ପାଇଁ ସଂଗୀତ ଗାନ ପରେ ସମୟ ନଷ୍ଟ ନା କରି ତୁରନ୍ତ କୃତଜ୍ଞତାର ସଂପାଦକୀୟ ଟିଏ ଲେଖିବାପାଇଁ ବସିଛନ୍ତି।

ଏଠାରେ ମନରେ ପ୍ରଶ୍ନ ଆସୁଛି, କି ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ସୌମ୍ୟ ବାବୁ ଏଭଳି ଶହ ଶହ କାର୍ଯ୍ୟକ୍ରମକୁ ଅତିଥି ଭାବରେ ଯାଇଥିବେ ଯେଉଁଠି ବନ୍ଦେ ଉତ୍କଳ ଜନନୀ ଗାନ ହୋଇଥିବ, ମାତ୍ର ଆଶ୍ଚର୍ଯ୍ୟ ଜୀବନ ର ୬୫-୬୬ ବର୍ଷ ପର୍ଯ୍ୟନ୍ତ ଥରୁ ଟିଏ ବି କାନ୍ତକବିଙ୍କ ସୃଷ୍ଟି ତାଙ୍କ ମନରେ ଉଦବେଳନ କରିପାରି ନ ଥିଲା ଯାହାକି ନବୀନ ବାବୁଙ୍କ ଡାକରାରେ ୩୦ ମଇ ସନ୍ଧ୍ୟା ୫.୩୦ ର କାର୍ଯ୍ୟକ୍ରମ କରିପାରିଲା।
ଏହା ହୋଇଥାଇ ପାରେ ମଧ୍ୟ, ହେଲେ ଯେଭଳି ଭାଷାରେ ପ୍ରଥମ ୬୦ ରୁ ୭୦ ପ୍ରତିଶତ ଲେଖାରେ କୃତଜ୍ଞତା ଜଣେଇଚନ୍ତି ତାହାହିଁ ତାଙ୍କର ଲୁକ୍କାୟିତ ମନସା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

୨୦୧୮ ମସିହା ପର୍ଯ୍ୟନ୍ତ ଜଣେ ଓଡ଼ିଆ ଭାଷା ଭିନ୍ନକ୍ଷମ ବ୍ୟକ୍ତି ଭାବରେ ନବୀନଙ୍କୁ ସୌମ୍ୟ ବାବୁ ଯେଭଳି କଟୁ ଆଉ କୁତ୍ସିତ୍ ଭାଷାରେ ସମାଲୋଚନା କରିଛନ୍ତି ତାହା ଏବେ ବି ହାଟରେ ପଡି ଦାଣ୍ଡରେ ଗଡୁଚି।
ବିଜେଡିରେ ମିଶିବାକୁ ନେଇ ସୌମ୍ୟ ବାବୁ ନବୀନଙ୍କ ସହ ହାର୍ଡ ବାର୍ଗେନ୍ କରିଛନ୍ତି, ଏକଥା ସମସ୍ତଙ୍କୁ ଜଣା। ରାଜ୍ୟସଭା ସାଂସଦ ପୁଣି ମାସ କେଇଟା ପରେ ନିଜ ପସନ୍ଦର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଟିକେଟ। ଯାହାକି ନବୀନଙ୍କ ଦଶନ୍ଧି ଦଶନ୍ଧିର ବହୁ ବିଶ୍ଵସ୍ତଙ୍କ ଭାଗ୍ୟରେ ମଧ୍ୟ ଯୁଟି ନାହିଁ। ଏସବୁ ସତ୍ତ୍ୱେ ସୌମ୍ୟ ବାବୁ ମନ ଏବେ ବି ଊଣା।

ଚର୍ଚ୍ଚା ହେଉଛି କି ନବୀନଙ୍କୁ ତୁଷ୍ଟି କରିବା ପାଇଁ ଏଭଳି ଲେଖାଟେ ଲେଖା ଯାଇଛି।
ତା ଛଡା ଅତୀତରେ ଓଡ଼ିଆ ଭାଷା ପାଇଁ ଯେଭଳି ଭର୍ସନ। କରିଥିଲେ ଏ ଲେଖାଟି ହେଉଛି କୁଆଡେ ନବୀନଙ୍କ ଉଦ୍ଦେଶ୍ୟରେ ପ୍ରାୟଶ୍ଚିତ ର ସନ୍ଦେଶ।
ସେ ଯାହା ହେଉ ନା କାହିଁକି, ସୌମ୍ୟ ବାବୁ ଜଣେ ପ୍ରଖର ଜ୍ଞାନୀ ଏବଂ ଚତୁର ବ୍ୟକ୍ତି। ନବୀନଙ୍କୁ କୃତଜ୍ଞତା ଜଣେଇବା ପରେ ସେ ହୃଦୟଙ୍ଗମ କରିଛନ୍ତି ଯେ ଲେଖାଟି ଅତ୍ୟଧିକ ତେଲ ଯୁକ୍ତ ହୋଇ ଯାଇଛି ତେଣୁ ହାତରୁ ଭଲ ଭାବରେ ତେଲ ଛଡ଼ା ଯିବା ଦରକାର। ତେଣୁ ତେଲ ଛଡେଇବା ପାଇଁ ଚତୁରତାର ସହ ” କିନ୍ତୁ ” ସାବୁନ୍ ଟିକୁ ଭଲ ଭାବରେ ବ୍ୟବହାର କରିଛନ୍ତି।

ସୌମ୍ୟ ବାବୁଙ୍କ ର ୧ ମଇ ର ସଂପାଦକୀୟଟି ରାଜନୀତିର ଆଉ ଗୋଟିଏ ଚିରାଚରିତ ଚରିତ୍ର କୁ ସାମ୍ନା କୁ ଆଣିଛି। ସେଇଟା ହେଲା, ଚାଟୁକାରିତାର କଳା କୌଶଳ ଯାହାକୁ କ୍ଷମତା ରାଜନୀତିରେ ଲମ୍ବା ସମୟ ଧରି ତିଷ୍ଠି ରହିବାର ସହଜ ବାଟ ବୋଲି କୁହାଯାଇଥାଏ । ରାଜନୀତି ଇତିହାସରେ ଏଭଳି ଅନେକ ଉଦାହରଣ ରହିଛି ଯେଉଁଠି ବହୁ ସ୍ଵାଭିମାନୀ ଓ ସ୍ପଷ୍ଟବାଦୀ ନେତା କ୍ଷମତା ଲୋଭରେ କିଭଳି ବହୁ କଷ୍ଟରେ ଉପାର୍ଜନ କରିଥିବା ଜୀବନର ତମାମ ସମ୍ମାନ ଓ ସୁନାମକୁ ଛାଡ଼ି ଚାପୁଲୁସି ବା ଚାଟୁକାରୀତା କୁ ଆପଣେଇଛନ୍ତି।

ଅବଶୋଷ, ସୌମ୍ୟ ବାବୁ ଖାଲି ସେହି କୌଶଳକୁ ଆପଣେଇଲେ ନାହିଁ ବରଂ ଖୁବ୍ ଅଳ୍ପ ଦିନରେ ପାରଙ୍ଗମ ମଧ୍ୟ ହେଇ ପାରିଛନ୍ତି।
ସୌମ୍ୟ ବାବୁ କେବଳ ରାଜନେତା ବା ରାଜନୀତି ବିଜ୍ଞାନର ଛାତ୍ର ନୁହନ୍ତି ସେ ରାଜନୀତି ଶାସ୍ତ୍ରର ଜଣେ ଆଚାର୍ଯ୍ୟ ମଧ୍ୟ, ତେଣୁ ଗୋଟିଏ କଥା ତାଙ୍କୁ ଭଲ ଭାବରେ ଜଣା, ଯେ କେବଳ ସେନା ଦ୍ଵାରା ରାତିଅଧିଆ କ୍ଷମତା ଅଧିଗ୍ରହଣ (military coup)
ଦ୍ଵାରା ଗଣତନ୍ତ୍ରର ମୃତ୍ୟୁ ହୁଏ ନାହିଁ, ବରଂ ତୋଷାମଦ ଓ ଚାଟୁକାରୀତା ଏକ ନିର୍ବାଚିତ ସରକାରକୁ ସ୍ଵେଚ୍ଛାଚାରୀ କରିଥାଏ।

Related Posts