ଦକ୍ଷିଣ ଆଫ୍ରିକା ବିପକ୍ଷରେ ନୂଆ ଚୟନ କମିଟି ବାଛିବ ଭାରତୀୟ ଦଳ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଆୟୋଜକ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମାର୍ଚ୍ଚ ୧୨ ତାରିଖ ଠାରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ । ଏହି ଶୃଙ୍ଖଳା ପାଇଁ ଭାରତୀୟ ଟିମ ଚନୟ ଖୁବ ଶୀଘ୍ର ହେବ । ଏମିତିରେ ଏବେ ଏହି ଟିମକୁ ଚୟନ କରିବାକୁ ଥିବା କମିଟି ସଦସ୍ୟଙ୍କ ସାକ୍ଷାତକାର ହେବାର ଅଛି । କିନ୍ତୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ସ୍ପଷ୍ଟ ଭାବେ କହିଛନ୍ତି କି ଟିମର ଚୟନ ନୂଆ କମିଟି କରିବ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ ।

ସୌରଭ ଗାଙ୍ଗୁଲୀ କହିଛନ୍ତି, ଦକ୍ଷିଣ ଆଫ୍ରିକା ସହିତ ଖେଳାଯିବାକୁ ଥିବା ଦିନିକିଆ ଶୃଙ୍ଖଳା ପାଇଁ ଟିମ ଚୟନ ନୂତନ ଚୟନକମିଟି କରିବ । ଗାଙ୍ଗୁଲୀଙ୍କ ଏହି ବୟାନ ବିସିସିଆଇ ଓ ସିଏସିର ବୈଠକ ପରେ ଆସିଛି । ମଙ୍ଗଳବାର ସିଏସିର ତିନି ଜଣ ସଦସ୍ୟ ମହଦ ଲାଲ, ଆରପି ସିଂହ ଓ ସୁଲକ୍ଷଣା ନାୟକ ବୈଠକ କରିଥିଲେ । ଏଥିରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ, ସଚିବ ଜୟ ଶାହା ଓ ଆଇପିଏଲର ଚେୟାରମ୍ୟାନ ବ୍ରଜେଶ ପଟେଲ ସାମିଲ ଥିଲେ ।

ଏହି ବୈଠକ ପରେ ମଦନ ଲାଲ କହିଛନ୍ତି, ଚୟନକମିଟି ପାଇଁ ଆସିଥିବା ଆବେଦନ ଗୁଡ଼ିକ ମଧ୍ୟରୁ ୫ ଜଣ ପ୍ରାର୍ଥୀଙ୍କ ନାମ ତାଲିକାରେ ସାମିଲ କରାଯାଇଛି । ଏହି ୫ ଜଣ ଲୋକଙ୍କୁ ସାକ୍ଷାତକାର ପାଇଁ ଡକାଯାଇଛି । ସେମାନେ ହେଲେ ଲକ୍ଷ୍ମଣ ଶିବରାମକୃଷ୍ଣନ, ଭେଙ୍କଟେଶ ପ୍ରସାଦ, ସୁନୀଲ ଯୋଶୀ, ହରବିନ୍ଦର ସିଂହ ଓ ରାଜେଶ ଚୌହାନ ।

ସୂଚନାଯୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ମାସ ୧୨ ତାରିଖ ଠାରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ । ଶୃଙ୍ଖଳାର ପ୍ରଥମ ମୁକାବିଲା ଧର୍ମଶାଳାରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ ଲଖନଉସ୍ଥିତ ଭାରତ ରତ୍ନ ଶ୍ରୀ ଅଟଳ ବିହାର ବାଜପେୟୀ ଏକନା ଷ୍ଟାଡିୟମରେ ମାର୍ଚ୍ଚ ୧୫ ଓ ଅନ୍ତିମ ମ୍ୟାଚ ମାର୍ଚ୍ଚ ୧୮ରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ।

Related Posts