ଆରମ୍ଭ ହେଲା ପୋଡିବା ପ୍ରକ୍ରିୟା । ଏବେ ଲାଗିବ ନିଆଁ !

ସତ୍ୟପାଠ : ବିପଦରେ ବିଜୁ ଜନତା ଦଳର ସବୁଠାରୁ ମୁଲ୍ୟବାନ ସମ୍ପତ୍ତି । ୧୯୯୭ରୁ ଦୁଇ ହଜାର ମସିହା ମଝି ଯାଏଁ ଅଳ୍ପ ବହୁତ ଟଣା ଓଟରା ପରେ ଆଜି ଯାଏଁ ଦଳରୁ ସବୁଠାରୁ ବଡ ଶକ୍ତି ହେଉଛି କଠୋର ଅନୁଶାସନ ଓ ଦଳପତିଙ୍କ ପ୍ରତି ସମଗ୍ର ନେତୃବୃନ୍ଦଙ୍କର ପ୍ରଶ୍ନହୀନ ସମର୍ପଣ । ଗତ ୫ତାରିଖ ଦିନ ବିଜୁ ଜୟନ୍ତୀ ଅବସରରେ ନବୀନ ବାବୁ ଏଭଳି ଏକ ନିଷ୍ପତ୍ତି ନେଲେ ଯହାର ପ୍ରଭାବ ଓ ପ୍ରତିକ୍ରିୟା ଉପରକୁ କିଛି ଜଣାପଡୁନଥିଲେ ହେଁ ଭିତରେ ଭିତରେ କାଳବୈଶାଖୀରେ ବିଜୁଳି ମାରିଲା ଭଳି ପରିସ୍ଥିତି ହୋଇଛି । ବିଜେଡିର ଆଗଧାଡିର ତିନିଶହରୁ ଉର୍ଦ୍ଧ ଅଧିକ ନେତାଙ୍କୁ ସାଇଡ୍ କରି ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ବିଜେଡିର ଦି୍ୱତୀୟ ଶକ୍ତିମାନ ନେତା ବୋଲି ଘୋଷଣା କରାଗଲା । ଯଦିଓ ଦଳ ଭିତରେ କେବେ କେମିତି କା ଭାଁ ବବିଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମଳିବ ବୋଲି ଆଲୋଚନା ହେଉଥିଲା ହେଲେ ଗତକାଲିର ଘୋଷଣା ଯେତେ ନେତାଙ୍କର ରକ୍ତଚାପ ବଢାଇ ନାହିଁ ତାଠାରୁ ଅଧିକ ନେତାଙ୍କୁ ହତାଶ କରିଦେଇଛି । ଅନେକ ନେତା ନବୀନଙ୍କର ଏହି ନିଷ୍ପତ୍ତିକୁ ଗ୍ରହଣ ମଧ୍ୟ କରିପାରୁନାହାଁନ୍ତି କାରଣ ବିଗତ ଦୁଇ ଦଶନ୍ଧି ଧରି ଯେଉଁ କଠୋର ଅନୁଶାସନରେ ରହି ଆସିଛନ୍ତି ତାର ପ୍ରଭାବରେ ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁନାହାଁନ୍ତି । ତେବେ ଆଜିଠାରୁ ବହୁ ନେତାଙ୍କର ଆଡ୍ଡାରେ ଏହାକୁ ନେଇ ଯେଭଳି ଭାବରେ ଅସନ୍ତୋଷର ଆଲୋଚନା ଆରମ୍ଭ ହେଲାଣି ଏହା ସଂକେତ ଦେଉଛି ଯେ ଦଳରେ ଖୁବଶୀଘ୍ର ଲାଗିବ ନିଆଁ ।

ରାଜନୀତି ବିଜ୍ଞାନର ଆଚାର୍ଯ୍ୟ ହୁଅନ୍ତୁ ବା ବିଶାରଦ ହୁଅନ୍ତୁ ଏମାନେ ସମସ୍ତେ ଗୋଟିଏ କଥାରେ ରାଜି ହେବେ ଯେ ପ୍ରତ୍ୟକ ରାଜନୈତିକ ଦଳର ଏକ ନିରନ୍ତର ବା ଅବିଛିନ୍ନ ଅସ୍ତିତ୍ୱ ପଛରେ ଥାଏ ଏକ ନିଦ୍ଦିଷ୍ଟ ବିଚାର ବା ବ୍ୟକ୍ତିତ୍ୱର ଅବସ୍ଥିତି । ବିଜୁ ଜନତା ଦଳର ଅବିଶ୍ୱନୀୟ ସ୍ଥିରତା ଓ ଅପରାଜେୟ ସଫଳତା ପଛର ସୁତ୍ରଟି ହେଲା ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ନାମଧାରୀ ବ୍ୟକ୍ତିଙ୍କର ବିଗତ ୨୨ବର୍ଷର ନିର୍ମୋହୀ ନେତୃତ୍ୱ । ଦଳପତି ଭାବରେ ପ୍ରତ୍ୟକ ନେତାଙ୍କୁ ନିଜର ବଶତା ସ୍ୱୀକାର କରାଇବା ପାଇଁ ଅତି କଠୋର ଭାବରେ ଏକଦା ଦଳର ବହୁ ଲୋକପ୍ରିୟ ପ୍ରଭାବୀ ନେତୃତ୍ୱଙ୍କୁ ଅତ୍ୟନ୍ତ ଅସମ୍ମାନଜନକ ସ୍ଥିତିରେ ନବୀନ ନିବାସ ,ସଚିବାଳୟ ଓ ପାର୍ଟି କାର୍ଯ୍ୟାଳୟର ବାହାର ଗେଟ୍ ର ରାସ୍ତା ଦେଖାଇଛନ୍ତି । ଯହାର ପରିଣାମ ଦଳ ଭିତରେ ରହି ଆସିଛି ନିରବଛିନ୍ନ ଅନୁଶାସନ । ଏହାର ଆଉ ଏକ କାରଣ ହେଲା ନବୀନ ବାବୁ ବିଜୁ ଜନତା ଦଳର ଏଭଳି ଏକ ଗ୍ରାଣ୍ଡ୍ ମାଷ୍ଟର ଯିଏ କି ୧୯୯୭ରୁ ଆଜି ଯାଏଁ ରାଜ୍ୟର ଗୋଟିଏ ବି ନିର୍ବାଚନୀ ଗ୍ରାଣ୍ଡସ୍ଲାମ୍ ହାରି ନାହାଁନ୍ତି । ଦଳପତିଙ୍କ ପାଖରେ ସମର୍ପିତ ହେବା ଓ ଯେଡେ ବଡ ନେତା ହୁଅନ୍ତୁ ନାଁ କାହିଁକି ମେଣ୍ଢା ଭଳି ଦଳର ଅନୁଶାସନକୁ ମାନି ଚାଲିବା ପଛର ବଡ କାରଣଟି ହେଉଛି ଯେ ସବୁନେତାଙ୍କୁ ଜଣା ବିଜେଡି ଭୋଟବ୍ୟାଙ୍କର କେବଳ ଜଣେ ଏକାଉଣ୍ଟ ହୋଲଡର ଆଉ ସେ ବ୍ୟକ୍ତି ହେଲେ ନବୀନ ପଟ୍ଟନାୟକ । ବିଜେଡିର ସମସ୍ତଙ୍କୁ ଜଣା କେବଳ ନବୀନଙ୍କ ନାଁରେ ଭୋଟ ଅଛି । ତେଣୁ ନବୀନଙ୍କୁ ଯିଏ ସାଇଡ୍ ମାରିଛି ଓ ବିଜେଡିରୁ ଆଉଟ୍ ହୋଇଛି ସେମାନଙ୍କର କ୍ୟାରିୟର ବରବାଦ ହୋଇଯାଇଛି । ଓଡିଶା ରାଜନୀତି ଖବରରେ ଏମାନଙ୍କ ଲମ୍ବା ଚିଠା ରହିଛି । ବିଜୟ ମହାପାତ୍ର , ଦାମ ରାଉତ , ରାମକୃଷ୍ଣ ପଟ୍ଟନାୟକ , କମଳା ଦାସ , ବୈଜୟନ୍ତ ପଣ୍ଡା , ନଳୀନି ମହାନ୍ତି ,ପ୍ରଫୁଲ ଘଡାଇ , ପ୍ୟାରୀ ମହାପାତ୍ର , ଦେବାଶିଷ ନାୟକ , ପଞ୍ଚାନନ କାନୁନଗୋ ।

ଦଳରେ ସମସ୍ତଙ୍କୁ ଜଣା ନବୀନଙ୍କ କୃପାବିନା ଦଳରେ ସ୍ଥାନ ନାହିଁ ଏବଂ ଦଳରେ ନଥିଲେ ରାଜନୀତି ମୈଇଦାନରେ ଚିହ୍ନ ବି ରହିବ ନାହିଁ । ତେଣୁ ନେତାଙ୍କ ପାଇଁ ଉପଦେଶ ଧାଡିଟି ହେଲା ‘ବାବୁ ଲାଇନରେ ରହିଲେ ଦଳରେ ଲଙ୍ଗଲିଭ୍ ହେବ’

ତା ଛଡା ନବୀନଙ୍କ ନେତୃତ୍ୱକୁ ନେଇ ଦଳରେ କୌଣସି ନେତାଙ୍କର ଗାତ୍ରଦାହ ନହେବାର କାରଣଟି ହେଲା ଏ ବାବୁଙ୍କର ପାରିବାରିକ ଇତିହାସ ଦିଲ୍ଲୀନଗରୀ ଓ ଦରବାରରେ ଶିଳ୍ପପତିଙ୍କଠୁ ଆରମ୍ଭ କରି ବଡ ବଡ ସାମ୍ବାଦିକ , ଆଇନଜିବୀ , ଲେଖକ ଓ ନେତାଙ୍କ ପାଖରେ ପତିଆରା ଓ ପ୍ରଭାବ ।
ଏବେ ଆସିବା ବବି ଦାସଙ୍କ ପାଖକୁ । ଦଳର ଦ୍ୱିତୀୟ କ୍ଷମତାଧାରୀ ନେତା ଭାବରେ ତାଙ୍କୁ ଚୟନ କରିବା ନିଷ୍ପତ୍ତି ଏବେ ଅନେକ କିଛି ଘଟଣା ଆଡକୁ ସଂକେତ ଦେଉଛି । ପ୍ରଥମ କଥାହେଲା ଯେ ନବୀନ ସ୍ପଷ୍ଟ ଭାବରେ ଆଭାସ ଦେଇଦେଲେ ଯେ ଖୁବ ଅଳ୍ପଦିନ ମଧ୍ୟରେ ଦଳର ସକ୍ରିୟ ନୀତି ନିଷ୍ପତ୍ତି ପକ୍ରିୟାରୁ ଓହରିବେ ଅର୍ଥାତ ପାଣ୍ଡିଆନ ବାବୁ ଓ ବବିଙ୍କ ହାତରେ ଦଳର ଭବିଷ୍ୟତକୁ ଏକ ପ୍ରକାର ହସ୍ତାନ୍ତର କରିଦେଲେ । କୁଆଡେ ଦଳର ନେତା ଓ ଓଡିଶାବାସୀ ଏହାକୁ ଠିକ ଭାବେ ଗ୍ରହଣ କରିବେ ନାହିଁ ଓ ଦଳ ଭିତରେ ବିଦ୍ରୋହ ଆରମ୍ଭ ହୋଇଯାଇ ପାରେ ତେଣୁ ଉପରକୁ କୁହାଗଲା ନବୀନ ବାବୁ ରହିବେ ଓ ତାଙ୍କ ପରାମର୍ଶକ୍ରମେ ବବି ଦାସ ସମସ୍ତ ନିଷ୍ପତ୍ତି ନେବେ । ଏହା କେବଳ ଏକ ପଲିଟିକାଲି କରେକ୍ଟ ଷ୍ଟେଟମେଣ୍ଟ୍ । କିନ୍ତୁ ବାସ୍ତବରେ ବିଜେଡିରେ ବବି ଦାସଙ୍କ ଅଙ୍କ ଏତେ ସରଳ ଆଉ ସହଜ ହେବନାହିଁ । ନବୀନଙ୍କୁ ମୁଣ୍ଡଉଠାଇ ନେତା କଥା କହୁନଥିଲେ ଏଇଥି ପାଇଁ ନବୀନଙ୍କ ବ୍ୟକ୍ତିତ୍ୱ ଓ ଓଡିଶା ଭୋଟରଙ୍କ ପାଖରେ ତାଙ୍କର ଅମାପ ଗ୍ରହଣୀୟତାକୁ ଦେଖି କେହି ସାହାସ ଜୁଟାଇ ପାରୁନଥିଲେ । ନବୀନଙ୍କ ସମ୍ବଳ ଭିତରୁ କୌଣସି ଗୋଟିଏ ଯୋଗ୍ୟତା ବବି ଦାସଙ୍କ ପାଖରେ ନାହିଁ । ଓଡିଆ ଲୋକ ଓ ବିଜେଡି ନେତାଙ୍କ ପାଇଁ ବବି ବିଜୁଙ୍କ ପରିବାରର ଲୋକ ନୁହେଁ ତେଣୁ ନବୀନଙ୍କ ଝାଳକୁ ଯେତେ ବି ରୁମାଲରେ ପୋଛନ୍ତୁ ନାଁ କାହିଁକି ବା ନବୀନ ବାବୁ ନିଜ ଉଇଲରେ ଯାହା ବି ଶ୍ରେୟ ଦିଅନ୍ତୁ ନାଁ କାହିଁକି ଲୋକେ କିନ୍ତୁ ତାଙ୍କ ପରିଜନ ଭାବରେ ଗ୍ରହଣ କରିବେ ନାହିଁ । ତେଣୁ ବବିଙ୍କୁ ନେଇ ଏବେ ଦଳର କିଛି ଛାମୁଆ ଓ ପତିଆରା ସମ୍ପର୍ଣ୍ଣ ନେତାଙ୍କ ଭିତରେ ଇର୍ଶାର ନିଆଁ ଲାଗିବା ଆରମ୍ଭ ହୋଇଯାଇଛି । କାରଣ ଏ ନେତା ମାନଙ୍କର ପ୍ରଭାବ ଓ ପରାକାଷ୍ଟା ଦଳ ଭିତରେ ଓ ବାହାରେ ଜବରଦସ୍ତ ଅଛି ଓ ଏମାନେ ଏ ନିଷ୍ପତ୍ତିକୁ ଏତେ ସହଜରେ ଗ୍ରହଣ କରିବା ଅବସ୍ଥାରେ ନାହାଁନ୍ତି । ବବିଙ୍କୁ ପ୍ରମୋସନ ଦେବାପଛରେ ଯେଉଁ କାରଣଟି ଦିଆଗଲା ତାହାହେଲା କଠିନ ପରିଶ୍ରମ ଓ ଆନୁଗତ୍ୟ । ଅନ୍ୟ ନେତାମାନଙ୍କର କହିବା କଥା ଦଳ ଓ ଦଳପତିଙ୍କ ପ୍ରତି ଆମ ମାନଙ୍କର ଆନୁଗତ୍ୟ ଓ ତ୍ୟାଗ ବବିଙ୍କଠୁ କେଉଁ ତୁଳନାରେ କମ ।

ଯେଉଁ କ୍ୟାମ୍ପ ଆଡୁ ନିଆଁ ଧରିବ ସେମାନେ ହେଲେ 

ଅରୁଣ ସାହୁ –ବିଜେଡିର ଟାଣୁଆ ଯୁବ ଚେହେରା , ସେତେବେଳେ କଂଗ୍ରେସ ଓ ଏବେ ବିଜେପିର କଟ୍ଟର ବିରୋଧର ସାମନା କରିଆସୁଥିବା ନେତା ଉପରକୁ ସବୁଠିକ୍ ଠାକ୍ ଥିଲେ ବି ବବିଙ୍କୁ ସହଜରେ ଗ୍ରହଣ କରିପାରିବେ ନାହିଁ ଅରୁଣ ।

ଅତନୁ ସବ୍ୟସାଚୀ ନାୟକ –ଏକଦା ନବୀନଙ୍କ ଭାଉକୁ ବଞ୍ଚାଇବା ପାଇଁ ବିଜୟ ମହାପାତ୍ରଙ୍କ ନେତାଙ୍କ ସହ କେନ୍ଦ୍ରାପଡାରେ ଦିନ ଓ ରାତିକୁ ଏକ କରିଦେଇଥିଲେ ଏବେ ସେ ସବୁଠୁ ବେଶି ଉପେକ୍ଷିତ ତେଣୁ ଅଧିକ ଉତକ୍ଷିପ୍ତ ମଧ୍ୟ ତେଣୁ ଏଠିମଧ୍ୟ ନିଆଁ ଲାଗିବା ସ୍ୱଭାବିକ ।

ସଞ୍ଜୟ ଦାସବର୍ମା –ଏ ବାବୁଙ୍କୁ ଶେଷ ମୂହୁର୍ତ୍ତରେ ଯୋଜନା ବୋର୍ଡର ଉପାଧକ୍ଷ ଚକେଲେଟ୍ ଧରେଇ ଦିଆଯାଇଛି ଯାହାକୁ ଅସହାୟ ଭାବରେ ସଞ୍ଜୟ ଗ୍ରହଣ କରିଛନ୍ତି ।

ସୌମ୍ୟରଞ୍ଜନ ପଟ୍ଟନାୟକ –ଯାହାଙ୍କର ଆଶା ରହିଛି ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବା । ବବିଙ୍କ ବିରୋଧରେ ସେପଟୁ ନିଆଁ ଲାଗିବା ଆଶଂକା ସବୁଠୁ ଅଧିକ ।

ପ୍ରତାପ କେଶରୀ ଦେବ – ନାଁ ମନ୍ତ୍ରୀପଦ ମିଳିଲା ନାଁ ମାନ୍ୟବରଙ୍କ ବିଶ୍ୱାସ । ରାଜ ପରିବାରରୁ ଆସିଛି ପ୍ରତାପ ତେଣୁ ପଟ୍ଟାୟତ ଦେଓ ଲଢିବେ ନିଶ୍ଚିନ୍ତ ।

ପ୍ରତାପ ଜେନା –ଜନତା ଦଳରୁ ବିଜୁ ଜନତା ଦଳ ଯାଏଁ ପ୍ରତାପଙ୍କ ଦବଦବା କିଛି କମ ନୁହଁ ତେଣୁ ଏଠୁ ବି ବବିଙ୍କୁ ମିଳିବ ବିରୋଧ ।

ତେଣୁ ବିରୋଧୀ କ୍ୟାମ୍ପର ଚିଠା ଆଗକୁ ବିରୋଧୀ କ୍ୟାମ୍ପର ତାଲିକା ଲମ୍ବା ହେବା ନିଶ୍ଚିନ୍ତ । ବିଜୁ ଜନତା ଦଳରେ ନବୀନ ନିବାସ ସହ ଭଲ ସମ୍ପର୍କ ଥିବା ଜଣେ ନେତା ନିଜ ନାଁ ଗୋପନ ରଖି କହିଲେ ଯେ ବିଜେଡିରେ ସମସ୍ତେ ଉଣାଅଧିକେ ନେତା ସହିତ ଅଭିନେତା ମଧ୍ୟ କିନ୍ତୁ ପୁରା ଦଳରେ ବବିଙ୍କ ଭଳି ଅଭିନୟ କାହାକୁ ଜଣାନାହିଁ । ସିଏ ନବୀନ ବାବୁ ଓ ପାଣ୍ଡିଆନଙ୍କ ପାଖରେ ଆନୁଗତ୍ୟ ଓ ସମର୍ପଣର ଅଭିନୟ କରି ପଦବୀଟି ହାସଲ କରିଛନ୍ତି । ଏହାଦ୍ୱାରା ଦଳରେ ଫାଇଦା କମ କ୍ଷତି ଅଧିକା ହେବ । ବବି ଦଳ ପାଇଁ ଫାଇଦାବାନ କେତେ ହେଉଛନ୍ତି ନାଁ ନାହିଁ ତାହା ଆଗାମୀ ଦିନରେ ଜଣାପଡିବ କିନ୍ତୁ ଏ ନେତାଙ୍କର ନିବୃତି ସ୍ପଷ୍ଟ ଜଣାପଡୁଛି ଯେ ଦଳ ଭିତରେ ନିଆଁ ଧରିବା ଆରମ୍ଭ କଲେଣି ।
Related Posts