ବଡ଼ ରାଜ୍ୟରୁ ବିଜେପି ପାଇଁ ବଡ଼ ଅଡୁଆ, ୟୁପିରେ ଏକାଠି ହେଲେ ବୁଆ-ବବୁଆ

ଏସ୍‌ପି-ବିଏସ୍‌ପି ଭିତରେ ସିଲ୍‌ ହେଲା ଡିଲ୍‌, ମୋଦିଙ୍କ ବାଟରେ ମହାମେଣ୍ଟ କଣ୍ଟା !

ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପି ପାଇଁ ବଢ଼ିଲା ଚ୍ୟାଲେଞ୍ଜ । ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି । ମହାମଣ୍ଟ ନେଇ ବିଧିବଦ୍ଧ ଘୋଷଣା କଲେ ଅଖିଳେଶ ଓ ମାୟାବତୀ । ଉତ୍ତର ପ୍ରଦେଶର ୮୦ ଲୋକସଭା ଆସନରୁ, 38 ଟି ଲେଖାଏଁ ସିଟ୍‌ରେ ଲଢ଼ିବେ ହାତୀ ଓ ସାଇକେଲ୍‌ ।

କଂଗ୍ରେସ ପାଇଁ ଛଡ଼ାଯାଇଛି ଦୁଇଟି ଆସନ । ମହାମେଣ୍ଟରେ କଂଗ୍ରେସ ସାମିଲ ହୋଇନାହିଁ । କିନ୍ତୁ ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା ଆମେଥି ଓ ରାଏବରେଲୀରେ ପ୍ରାର୍ଥୀ ଦେବ ନାହିଁ ମହାମେଣ୍ଟ । ଯେଉଁଠାରୁ ଲଢୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ତାଙ୍କ ମା’ ସୋନିଆ । ଅନ୍ୟ ସହଯୋଗୀ ଦଳଙ୍କ ପାଇଁ ବି ଛଡ଼ାଯାଇଛି ୨ଟି ଆସନ ।

ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ମାୟାବତୀ । କହିଲେ ଦେଶରେ ରାଜନୈତିକ ବିପ୍ଲବ ଆଣିବ ମହାମେଣ୍ଟ । ଅଖିଳେଶ କହିଲେ, କ୍ଷମତା ନିଶାରେ ବିଜେପି ମନଇଚ୍ଛା କାମ କରୁଛି, ଏବେ ଶିକ୍ଷା ଦେବାର ସମୟ ।

ମହାମେଣ୍ଟ ଘୋଷଣା ପରେ ଉତ୍ତରପ୍ରଦେଶରେ ସପା-ବସପା ମହଲରେ ଉତ୍ସବ । ଲକ୍ଷ୍ନୌ ସହରରେ ଛାଇ ଯାଇଛି ଅଖିଲେଶ ଓ ମାୟାବତୀଙ୍କ ପୋଷ୍ଟର । କିନ୍ତୁ ବିଜେପି କହିଛି ୟୁପିରେ କିଛି ଫରକ ପକାଇବନି ମହାମେଣ୍ଟ । ରାଜନୈତିକ ଅସ୍ଥିତ୍ବ ବଞ୍ଚାଇବାକୁ ଏକ୍‌ ହୋଇଛି ପରସ୍ପର ମୁହଁ ଦେଖିବାକୁ ଚାହୁଁ ନଥିବା ବୁଆ ଓ ବବୁଆ ।

ଦିଲ୍ଲୀରେ କିଏ ହେବ ରାଜା ତାହା ଅନେକାଂଶରେ ସ୍ଥିର କରେ ଉତ୍ତରପ୍ରଦେଶର ଫଳାଫଳ । ରାଜ୍ୟରେ ରହିଛି 80 ଲୋକସଭା ଆସନ । 2014ରେ ଏଥିରୁ 71ଟି ଆସନ ଜିତି ଏକାକୀ ବହୁମତ ହାସଲ କରିଥିଲା ବିଜେପି । ସେତେବେଳେ ଏସ୍‌ପିକୁ ମାତ୍ର 5ଟି ଆସନ ମିଳିଥିବାବେଳେ ୟୁପିରୁ ଏକଦମ୍‌ ସଫା ହୋଇଯାଇଥିଲା ବସପା । କିନ୍ତୁ ଏଥର ହାତୀ ଓ ସାଇକେଲ୍‌ ଏକାଠି ହେବା ବଦଳାଇପାରେ ଜାତୀୟ ଦୃଶ୍ୟପଟ୍ଟ । ୟୁପି ନେଇପାରେ କିଙ୍ଗ ମେକର ଭୂମିକା ।

Related Posts