ଉତ୍ତରପ୍ରଦେଶରେ ବିଜେପିକୁ ଲାଗିଛି ଝଟକା୍ । ଖୁବଶିଘ୍ର ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ହେବାକୁ ଥିବା ମେଣ୍ଟର ଘୋଷଣା ହୋଇପାରେ। ଏନେଇ ଆସନ୍ତାକାଲି ସପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବସପା ସୁପ୍ରିମୋ ମାୟାବତୀ ମିଳିତ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି । ଯେଉଁଥିରେ ମେଣ୍ଟ ସମ୍ପର୍କରେ ଔପଚାରିକ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି।
ଏହି ମେଣ୍ଟ ହେଲେ ବିଜେପିକୁ ବହୁ କ୍ଷତି ସହିବାକୁ ପଡିପାରେ ଯାହାର ଆଭାସ ପୂର୍ବରୁ ମଧ୍ୟ ମିଳିସାରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ ଇସ୍ତଫା ଦେଇଥିବା ଗୋରଖପୁର ଓ ଫୁଲପୁର ଲୋକସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ସପା – ବସପା ଏକାଠି ଲଢି ବିଜୟୀ ହୋଇଥିଲେ, ଯେଉଁଥିରେ ବିଜେପି ଶୋଚନୀୟ ଭାବେ ପରାଜୟ ବରଣ କରିଥିଲା। ନିକଟରେ କୈରାନାରେ ହୋଇଥିବା ଲୋକସଭା ଉପ ନିର୍ବାଚନରେ ମଧ୍ୟ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା ଯେଉଁଥିରେ ଆର.ଏଲ୍.ଡି. ପ୍ରାର୍ଥିନୀ ବିଜୟୀ ହୋଇଥିଲେ ଯାହାଙ୍କୁ ସପା – ବସପା ସମର୍ଥନ ଦେଇଥିଲେ। ଯାହା ପରଠାରୁ ସପା ଓ ବସପା ମଧ୍ୟରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ଲାଗି ରହିଥିଲା। ଏହି ମେଣ୍ଟରେ ଆର୍.ଏଲ୍.ଡି ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି।