ନିଜ ପଞ୍ଚାୟତରେ ହଟହଟା ହେଲେ କ୍ରିଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସେପଟେ ପ୍ରଚାର ପାଇଁ ଭୋଟରମାନଙ୍କ ପାଖକୁ ନେତାମାନେ ମଧ୍ୟ ଯିବାରେ ଲାଗିଛନ୍ତି । ଏହା ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ନିଜ ପଞ୍ଚାୟତ ନଗରରେ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାସହ ହଟହଟା ହୋଇଥିବାର କଥା ସାମ୍ନାକୁ ଆସିଛି । ତେବେ କ୍ରିଡ଼ାମନ୍ତ୍ରୀ ଗତକାଲି ରାତିରେ ନଗର ପଞ୍ଚାୟତର ଝିଞ୍ଜିରାଇ ମନ୍ଦିରରେ ଏକ ବୈଠକ କରୁଥିଲେ। ସେଠାରେ ଉପସ୍ଥିତ କେତେକ ଯୁବକ ନିଜ ଅଞ୍ଚଳର ସମସ୍ୟା ବିଷୟରେ ତାଙ୍କୁ ନାନା ପ୍ରଶ୍ନ ପଚାରିଥିଲେ। ବୈଠକରେ ଆଲୋଚନା ଓ ଲୋକେ ପ୍ରଶ୍ନ କରିବା ବେଳେ କେତେକ ଯୁବକ ଏହାର ଭିଜୁଆଲ୍ ରେକର୍ଡିଂ କରୁଥିବାରୁ ଏହାକୁ ବିରୋଧ କରି ମନ୍ତ୍ରୀ ସେଠାରୁ ଉଠି ଚାଲିଯାଇଥିଲେ ।

ପରେ ରାତି ପ୍ରାୟ ୧୦ଟା ୪୫ରେ ୧୬ ନମ୍ବର ୱାର୍ଡରେ ଜଣେ ବ୍ୟକ୍ତିଙ୍କ ଘରକୁ ଯିବାବେଳେ ତାଙ୍କୁ ଲୋକେ ଘେରି ଯାଇଥିଲେ। ତେବେ ଲୋକଙ୍କ ପ୍ରଶ୍ନର ଜବାବ ନ ରଖି ଘରେ ପଶି ଭିତରପଟୁ କବାଟ ବନ୍ଦ କରି ଦେବାରୁ ଉତ୍ତେଜନା ବଢ଼ିଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରୁ ଅଧିକ ସଂଖ୍ୟାରେ ଲୋକେ ପହଞ୍ଚି ହୋହଲ୍ଲା ଆରମ୍ଭ କରି ଦେଇଥିଲେ। ବାହାରେ ପ୍ରବଳ ଲୋକ ହୋହଲ୍ଲା କରୁଥିଲା ବେଳେ ମନ୍ତ୍ରୀ ବାହାରକୁ ବାହାରି ନିଜ ପଞ୍ଚାୟତର ଲୋକଙ୍କୁ ସାମ୍ନା କରି ପାରି ନ ଥିଲେ। ପ୍ରାୟ ୧ ଘଣ୍ଟା ବନ୍ଦ ଘରେ ଅଟକ ରହିବା ପରେ ଅସ୍ତରଙ୍ଗ ଓ କାକଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଏ ଘଟଣା ସାମ୍ନାକୁ ଆସିବା ପରେ ଏହା ସାରା ରାଜ୍ୟର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts