ପଡୋଶୀ ଦେଶ ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । ଯାହାର ପ୍ରଭାବ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପଡ଼ିବାକୁ ଯାଉଛି । ଦେଶରେ କାଗଜ କିଣିବାକୁ ଡଲାର ନଥିବା ନେଇ କାଗଜ କିଣିବାରେ ସକ୍ଷମ ନ ଥିବାରୁ ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ କରାଯାଇଛି। ପରୀକ୍ଷା କେବେ ହେବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ।
ଶିକ୍ଷା ଅଧିକାରୀଙ୍କ କହିବାନୁସାରେ, ଦେଶ ବାହାରେ କାଗଜ କିଣିବା ପାଇଁ ଡଲାର ନାହିଁ। ସୋମବାରଠାରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ହେବାକୁ ଯାଉଛି। କିନ୍ତୁ ଦେଶରେ କାଗଜପତ୍ରର ଅଭାବ ହେତୁ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।
୧୯୪୮ ମସିହାରେ ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ଏହାର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ପଶ୍ଚିମ ପ୍ରଦେଶର ଶିକ୍ଷା ବିଭାଗ କହିଛି ଯେ ଦେଶରେ ବୈଦେଶିକ ମୁଦ୍ରା ଅଭାବରୁ କାଗଜ ଏବଂ ଇଙ୍କ ବାହାରୁ ଆମଦାନୀ ହୋଇପାରିବ ନାହିଁ, ଯେଉଁଥିପାଇଁ କୌଣସି ବିଦ୍ୟାଳୟ ପକ୍ଷରୁ ପରୀକ୍ଷାର ବ୍ୟବସ୍ଥା ହୋଇପାରିବ ନାହିଁ।
ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦେଶର ଦୁଇ ତୃତୀୟାଂଶ ଛାତ୍ର ପ୍ରଭାବିତ ହେବେ। ଏକ ଆକଳନ ଅନୁଯାୟୀ, ଶ୍ରୀଲଙ୍କାରେ ୪.୫ ମିଲିୟନ ସ୍କୁଲ ଛାତ୍ର ଅଛନ୍ତି। ଶ୍ରୀଲଙ୍କାରେ ଟେଷ୍ଟ ଟର୍ମ ହେଉଛି ଏକ ପ୍ରକାର ଚୂଡାନ୍ତ ପରୀକ୍ଷଣ ଯେଉଁଥିରେ ଛାତ୍ର ପରବର୍ତ୍ତୀ ଶ୍ରେଣୀକୁ ଯାଇପାରିବେ କି ନାହିଁ ତାହା ମୂଲ୍ୟାଙ୍କନ ପ୍ରକ୍ରିୟା ଦ୍ୱାରା ସ୍ଥିର କରାଯାଇଥାଏ। ତେବେ ଏବେ ପିଲା ଙ୍କ ଭବିଷ୍ୟତ କଣ ହେବ ସେନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।
