ଶ୍ରୀଲଙ୍କାକୁ ଚଳିତ ସପ୍ତାହରେ ମିଳିବ ନୂଆ ପ୍ରଧାନମନ୍ତ୍ରୀ !

କଲମ୍ବୋ: ଆର୍ଥିକ ସଙ୍କଟ ସ୍ଥିତି ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା ଏବେ ଘୋର ରାଜନୀତିକ ସଙ୍କଟ ସ୍ଥିତି ମଧ୍ୟରେ ଗତି କରୁଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ବେଳେ ଏବେ ଉବୁଟୁବୁ ହେଉଛି ଶ୍ରୀଲଙ୍କ। ତେବେ ଚଳିତ ସପ୍ତାହରେ ଶ୍ରୀଲଙ୍କା ମୁ ମିଳିପାରେ ନୂଆ ପ୍ରଧାନମନ୍ତ୍ରୀ ।

ଖୁବଶୀଘ୍ର ଦେଶରେ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ମଧ୍ୟ ନିଯୁକ୍ତ କରାଯିବା ନେଇ ସୂଚନା ରହିଛି । ଦେଶବ୍ୟାପୀ ବିକ୍ଷୋଭର ବହ୍ନି ଜଳୁଥିବା ବେଳେ ବୁଧବାର ଏହି ଘୋଷଣା କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ । ନୂଆ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ସମ୍ବିଧାନ ସଂଶୋଧନ କରି ସଂସଦକୁ ଅଧିକ ଶକ୍ତିଶାଳୀ କରିବେ ବୋଲି ରାଷ୍ଟ୍ରପତି କହିଛନ୍ତି । ସେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ମଧ୍ୟ ଅପିଲ୍ କରିଛନ୍ତି ।

ଗୋଟାବାୟା କହିଛନ୍ତି, ”ଦେଶରେ ଅରାଜକତା ରୋକିବାକୁ ରାଜନୈତିକ ଦଳଗୁଡିକ ସହ ଆଲୋଚନା କରାଯାଉଛି । ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ଦେବା ପରେ ବିନା ସରକାରରେ ଶ୍ରୀଲଙ୍କା ଚାଲିଛି । ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତ ସପ୍ତାହରେ ନୂଆ ସରକାର ଗଠନ ହେବ । ଦେଶକୁ ଆଗକୁ ବଢାଇବା ପାଇଁ ନୂତନ ପ୍ରଧାନମନ୍ତ୍ରୀଙ୍କୁ ସୁଯୋଗ ଦିଆଯିବ । ମେ 9 ତାରିଖ ଅତ୍ୟନ୍ତ ଦୁର୍ଭାଗ୍ୟର ଦିନ ଥିଲା । ଏହି ଦିନ ହତ୍ୟା, ସରାକାରୀ ସମ୍ପତ୍ତି ଭଙ୍ଗାରୁଜା, ଲୁଟ ଓ ଆକ୍ରମଣ ହୋଇଥିଲା । ହେଲେ ଏବେ କୌଣସି ସ୍ଥିତିରେ ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।”

ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । ଚାରିଆଡେ ଭଙ୍ଗାରୁଜା ପୋଡାଜଳା ଚାଲିଛି । ଲୋକମାନେ ରାସ୍ତାରେ ବିକ୍ଷୋଭ କରୁଛନ୍ତି । ଇତିମଧ୍ୟରେ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଗୋଟାବାୟା ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜୋର୍ ଧରିଛି । ଦେଶରେ କର୍ଫ୍ୟୁ ଓ ଜରୁରୀ ପରିସ୍ଥିତି ସତ୍ତ୍ବେ ସ୍ଥିତି ଅଣାୟତ ହୋଇପଡିଛି । ସ୍ଥିତି ଏପରି ଯେ, ସରକାରୀ ସମ୍ପତ୍ତି ନଷ୍ଟ କରୁଥିବା ଓ ଲୁଟ କରୁଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ସେନା ଓ ପୋଲିସକୁ ନିର୍ଦ୍ଦେଶ ମିଳିଛି ।

Related Posts