ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍‌ ଘଟଣା; ବାଂଲାଦେଶୀ ଯୁବକଙ୍କୁ ଗିରଫ କଲା ସିଂହଦ୍ବାର ଥାନା ପୁଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍‌ ଘଟଣାରେ ପୁଲିସର ତ୍ଵରିତ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଘଟଣାରେ ସମ୍ପୃକ୍ତ ବାଂଲାଦେଶୀ ଯୁବକଙ୍କୁ ପୁରୀ ସିଂହଦ୍ବାର ଥାନା ପୁଲିସ ଗିରଫ କରିଛି। ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି ଆକାଶ ଚୌଧୁରୀ(୨୩) ଓ ତାଙ୍କ ଘର ବାଂଲାଦେଶର ସିଲେଟ୍‌ ଜିଲ୍ଲା ଅନ୍ତର୍ଗତ ଇଷ୍ଟ ଜିନ୍ଦା ବଜାରରେ ବୋଲି ଜଣାପଡ଼ିଛି।ଭାଇରାଲ ଘଟଣାରେ ଏହି ଗିରଫକୁ ପ୍ରଥମ ବୋଲି କୁହାଯାଉଥିବା ବେଳେ ପୁଲିସର ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

ସିଂହଦ୍ବାର ଥାନା ପୁଲିସର ସୂଚନା ଅନୁସାରେ, ଆକାଶଙ୍କ ଘର ବାଂଲାଦେଶ ହୋଇଥିଲେ ବି ସେ ଜଣେ ହିନ୍ଦୁ। ନିକଟରେ ସେ ତୀର୍ଥ ଯାତ୍ରାରେ ପୁରୀ ଆସିବା ସମୟରେ ଏହି ଭିଡିଓ ଓ ଫଟୋ ଉତ୍ତୋଳନ କରିଥିଲେ। ତାଙ୍କର ଏକ ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ ରହିଛି। ସେ ସିଲେଟ୍‌ସ୍ଥିତ ନିମ୍ବାର୍କ ଗୀତା ଶିକ୍ଷାକେନ୍ଦ୍ରରେ ଅଧ୍ୟାପନା କରୁଛନ୍ତି। ପ୍ରାୟ ୧ହଜାର ଛାତ୍ରଛାତ୍ରୀଙ୍କୁ ସେ ଧର୍ମ ଉପରେ ଶିକ୍ଷାଦାନ କରୁଛନ୍ତି। ଗତ ୧୯ ତାରିଖଦିନ ଆକାଶଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଓ ଫଟୋ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା। ଏହା କ୍ରମଶଃ ଭାଇରାଲ୍‌ ହେବାପରେ ସିଂହଦ୍ବାର ଥାନା ପକ୍ଷରୁ ତାଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ଏହି ନୋଟିସ୍‌ ପାଇବା ପରେ ସେ ‌ବ୍ୟକ୍ତିଗତ ଭାବେ ଆଜି ଥାନାରେ ହାଜର ହୋଇଥିଲେ। ଆବଶ୍ୟକ ପଚରାଉଚରା ପରେ ତାଙ୍କୁ ଗିରଫ କରାଯିବା ସହିତ କୋର୍ଟଚାଲାଣ କରାଯାଇଛି। ଆକାଶଙ୍କଠାରୁ ଏକ ମୋବାଇଲ୍‌ ଫୋନ୍‌, ବାଂଲାଦେଶୀ ପାସ୍‌ପୋର୍ଟ ଜବତ କରାଯାଇଛି। ସିଂହଦ୍ବାର ଥାନା କେସ ନମ୍ବର-୧୩୯/୧୯.୧୦.୨୦୨୨, ଦଫା ୩୦(ଏ)(୪)(ସି) ବଳରେ ଆକାଶଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ଜୟ-ବିଜୟ ଦ୍ବାର ପାହାଚ ଉପରେ ଛିଡ଼ା ହୋଇ ଭିଡିଓ ଓ ଫଟୋ ଉତ୍ତୋଳନ କରି ଆକାଶ ଏହାକୁ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରି ଭାଇରାଲ୍‌ କରିଥିଲେ। ଏହା ପରଦିନ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭିଏସ୍‌ ଚନ୍ଦ୍ରଶେଖର ରାଓ ଏ ସମ୍ପର୍କରେ ସିଂହଦ୍ବାର ଥାନାରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିବେଦନ କରିଥିଲେ।

Related Posts