ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ମେହେର ସମାଜ; ଭୁବନେଶ୍ୱରରେ ଗଙ୍ଗାଧର ଭବନ ପାଇଁ ଜମି ଯୋଗାଇବାକୁ ନବୀନଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ବଭାବ କବି ଗଙ୍ଗାଧର ମେହେର ଓଡ଼ିଆ ଜାତିର ଗର୍ବ ଓ ଗୌରବ। ତାଙ୍କର ଅନନ୍ୟ ସାରସ୍ବତ ପ୍ରତିଭା ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଛି। ତାଙ୍କର କାଳଜୟୀ କୃତୀ କେବଳ ଓଡ଼ିଆ ନୁହେଁ, ଭାରତୀୟ ସାହିତ୍ୟ ଜଗତରେ ଅକ୍ଷୟ କୀର୍ତ୍ତିମାନ ସ୍ଥାପନ କରିଛି। ଏହି ମହାନ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଉପଯୁକ୍ତ ଭାବରେ ଆୟୋଜନ କରାଯିବା ସଂପର୍କରେ ନିଖିଳ ଓଡ଼ିଶା ମେହେର(ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ସୋମବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି।

ଗଙ୍ଗାଧରଙ୍କ ସ୍ମୃତିରେ ଭୁବନେଶ୍ବରଠାରେ ଏକ ଭବନ ନିର୍ମାଣ କରାଯିବା ସହିତ ସ୍ବଭାବ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ମାର୍ଚ୍ଚ ୨୦୨୪ରେ ଆୟୋଜନ କରାଯିବା ସଂପର୍କରେ ଆଲୋଚନା ହୋଇଥିଲା। ଭୁବନେଶ୍ବରରେ ଏକ ଭବନ ନିର୍ମାଣ କରାଯିବା ସହିତ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଓ ମହାସଭା ୨୦୨୪ରେ ଉପଯୁକ୍ତ ଭାବରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୧୯୨୪ ମସିହାରେ ସ୍ବଭାବ କବି ମେହେର ସମାଜ (ଭୁଲିଆ)କୁ ସଂଗଠିତ କରି ବରପାଲିଠାରେ ଏକ ମହାସଭାର ଆୟୋଜନ କରିଥିଲେ। ଏହି ଭୁଲିଆ ସମାଜ ପରବର୍ତ୍ତୀ ସମୟରେ ନିଖିଳ ଓଡ଼ିଶା ମେହେର(ଭୁଲିଆ) ସମାଜରେ ପରିଣତ ହୋଇଥିଲା। କବି ଗଙ୍ଗାଧର ମେହେରଙ୍କ ସ୍ମୃତି ରକ୍ଷା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜଧାନୀ ଭୁବନେଶ୍ବରର କଳିଙ୍ଗ ହସ୍ପିଟାଲ ଛକ, ବ୍ରହ୍ମପୁର ଓ ସମ୍ବଲପୁରରେ ମଧ୍ୟ କବିଙ୍କର ପ୍ରତିମୂର୍ତି ସ୍ଥାପନ କରାଯାଇଛି। ଏହାବାଦ୍ କବି ଗଙ୍ଗାଧର ମେହେରଙ୍କ ନାମରେ ୨୦୯୦ କୋଟି ଟଙ୍କାର ଗଙ୍ଗାଧର ମେହେର ଉଠା କେନାଲ ଜଳସେଚନ ଯୋଜନାର କାମ ଚାଲିଛି। ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ। ସେହିପରି ସମ୍ବଲପୁର ଗଙ୍ଗାଧର ମେହେର କଲେଜକୁ ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯାଇଛି। ଶିକ୍ଷାର ପ୍ରସାର ନିମନ୍ତେ ୪୩୦ କୋଟି ଟଙ୍କାର ଓଡ଼ିଶା ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା କାର୍ଯ୍ୟକାରୀ କରାଯାଉଛି। ତାଙ୍କ ସ୍ମୃତିକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଗତ ୨୦ ବର୍ଷ ମଧ୍ୟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ପାଇଁ ପ୍ରତିନିଧି ଦଳ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related Posts