ଆସନ୍ତା ଆଇପିଏଲରେ ସିଏସକେ ଛାଡ଼ି ନୂଆ ଦଳରେ ସାମିଲ ହୋଇପାରନ୍ତି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ଦଳ ଏବେ ଜିମ୍ବାୱେ ଗସ୍ତରେ ରହିଛି । ଏହାପରେ ଦଳ ଗୁରୁତ୍ୱପୂର୍ଣ୍ଣ ଏସିଆ କପ୍ ଖେଳିବ । ହେଲେ ଏହାରି ମଧ୍ୟରେ ଏବେ ଆଇପିଏଲ୍ ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ତଥା ସିଏସକେର ପୂର୍ବତନ ଅଧିନାୟକ ରବୀନ୍ଦ୍ର ଜାଡେଜା ଆସନ୍ତା ଆଇପିଏଲରେ କୌଣସି ନୂଆ ଦଳ ସହ ସାମିଲ ହୋଇପାରନ୍ତି ।ତେବେ ଚେନ୍ନାଇ ସୁପର କିଙ୍ଗସ୍ ଛାଡିବା ପରେ ସେ ନୂଆ ଦଳ ସହ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ, ଚଳିତ ବର୍ଷ ଆଇପିଏଲ୍ ଶେଷ ହେବା ପରଠାରୁ ରବୀନ୍ଦ୍ର ଜାଡେଜା ଚେନ୍ନାଇ ସୁପର କିଙ୍ଗସ୍ ମ୍ୟାନେଜମେଣ୍ଟ ସହ କୌଣସି ପ୍ରକାର ସମ୍ପର୍କରେ ନାହାଁନ୍ତି । ତେଣୁ ୨୦୨୩ ମସିହା ଆଇପିଏଲରେ ଜାଡେଜା ନୂଆ ଦଳ ସହ ନଜର ଆସିପାରନ୍ତି । ତେବେ ୨୦୨୨ ମସିହା ଆଇପିଏଲ୍ ସମୟରେ ରବୀନ୍ଦ୍ର ଜାଡେଜା, ଚେନ୍ନାଇ ସୁପର କିଙ୍ଗସ୍ ଭିତରେ ବିବାଦ ସୃଷ୍ଟି ହୋଇଥିଲା । ପ୍ରଥମେ ସିଏସକେ ମ୍ୟାନେଜମେଣ୍ଟ ଜାଡେଜାଙ୍କୁ ଅଧିନାୟକ ଭାର ସମ୍ଭାଳିବାକୁ ଦେଇଥିଲା । ହେଲେ ଏହାପରେ ଖରାପ ପ୍ରଦର୍ଶନ ହେତୁ ଅଧାରୁ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା । ଏହାପରେ ଧୋନୀ ପୁଣିଥରେ ଅଧିନାୟକ ଭାର ସମ୍ଭାଳିଥିଲେ । ଏହାକୁ ନେଇ ଜାଡେଜା ସିଏସକେ ମ୍ୟାନେଜମେଣ୍ଟ ଉପରେ ଖପ୍ପା ହେବା ସହିତ ଖୁବଶୀଘ୍ର ନୂଆ ଦଳ ସହ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ୨୦୨୨ ମସିହା ଆଇପିଏଲ ପରେ ଜାଡେଜା ତାଙ୍କ ସୋସିଆଲ୍ ମିଡିଆରୁ ସିଏସକେ ସମ୍ଭନ୍ଧୀୟ ସମସ୍ତ ପୋଷ୍ଟକୁ ହଟେଇ ଦେଇଥିଲେ । ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ କିଛି ପୋଷ୍ଟରେ ସାମିଲ କରିଥିଲେ ମଧ୍ୟ, ଏହି ପୋଷ୍ଟରେ ଜାଡେଜା କୌଣସି ପ୍ରତିକ୍ରିୟା ରଖିନଥିଲେ । ଯାହା ପରେ ସେ ସିଏସକେ ଦଳ ଛାଡୁଥିବା କଥା ଅଧିକ ଚର୍ଚ୍ଚାକୁ ଆସିଥିଲା ।

Related Posts