ଆରମ୍ଭ ହେଲା ରାଜ୍ୟ କଂଗ୍ରେସର ‘ଭାରତ ଯୋଡ଼ ପଦଯାତ୍ରା’, ଆଇଜି ପାର୍କରୁ ବାହାରି ଫୁଲନଖରା ପର୍ଯ୍ୟନ୍ତ ଚାଲିଲେ କଂଗ୍ରେସ ନେତା

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଭୁବନେଶ୍ବରରୁ ଆରମ୍ଭ ହୋଇଛି ରାଜ୍ୟ କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଣ୍ୟତିଥି ତଥା ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଓଡ଼ିଶା କଂଗ୍ରେସ ଭାରତ ଯୋଡ଼ ପଦଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ସହପ୍ରଭାରୀ ରୁଦ୍ର ରାଜୁଙ୍କ ସମେତ ବହୁ ବରିଷ୍ଠ ନେତା, ମହିଳା, ଛାତ୍ର ଓ ଯୁବ କଂଗ୍ରେସକର୍ମୀ ସାମିଲ ହୋଇଛନ୍ତି ।

ସୋମବାର ଠାରୁ ଓଡିଶା କଂଗ୍ରେସର ଭାରତ ଯୋଡ ପଦଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କରେ ସକାଳ ୯ଟା ସମୟରେ ପଦଯାତ୍ରା ଆରମ୍ଭ କରିଛନ୍ତି ବରିଷ୍ଠ କଂଗ୍ରେସ ନେତୃବୃନ୍ଦ । ପ୍ରଥମେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ବୃକ୍ଷ ରୋପଣ କରିଥିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡଃ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ଆଇଜି ପାର୍କରୁ ବାହାରିଛି ଭାରତ ଯୋଡ଼ ପଦଯାତ୍ରା । ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ କଂଗ୍ରେସ କର୍ମୀ ଇନ୍ଦିରା ପାର୍କ, ରାମ ମନ୍ଦିର, ରସୁଲଗଡ଼ ଛକ ଦେଇ ୧୨ କି.ମି ଚାଲିବା ସହିତ ଫୁଲନଖରା ନିକଟସ୍ଥ ଲଖେଶ୍ବର ମନ୍ଦିରରେ ପ୍ରଥମ ଦିନର ଯାତ୍ରା ଶେଷ ହୋଇଛି। ଆସନ୍ତା ୧ ଓ ୨ତାରିଖରେ ଧାମନଗର ଉପ ନିର୍ବାଚନ ପରିପ୍ରେକ୍ଷୀରେ ପଦଯାତ୍ରା ବନ୍ଦ ରହିବ। ୩ତାରିଖରୁ ପୁନର୍ବାର ଲଖେଶ୍ବର ମନ୍ଦିର ନିକଟରୁ ପଦଯାତ୍ରା ଆରମ୍ଭ ହୋଇ ଗୋପାଳପୁର ପର୍ଯ୍ୟନ୍ତ ଯିବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଏହି ଯାତ୍ରା ମାଧ୍ୟମରେ ପ୍ରତ୍ୟେକଦିନ ୨୦ କିମି ଚାଲିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି। ସେହିପରି ଏହି ଭାରତ ଯୋଡ଼ ପଦଯାତ୍ରା ୨୭ଟି ଜିଲ୍ଲାର ୧୯ଟି ସଂସଦୀୟ କ୍ଷେତ୍ର ଦେଇ ଯିବ । ପଦଯାତ୍ରାରେ ଚାଲୁଥିବା ନେତାଙ୍କ ପାଇଁ ପ୍ରତି ୨୦ କିମିରେ ଟେଣ୍ଟର ବ୍ୟବସ୍ଥା କରାଯିବ । ସେଠାରେ ନେତାଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ । ଯାତ୍ରା ସମୟରେ କଂଗ୍ରେସର ବିଭିନ୍ନ ସେଲ ଏସଏଚଜି ମହିଳା, ବୁଦ୍ଧିଜୀବୀ ଓ କ୍ରୀଡାବିତ୍‌ଙ୍କୁ ଭେଟିବ । ଚାଷୀଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବ କଂଗ୍ରେସ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା ଜାରି ରହିଛି । ୧୫୦ ଦିନର ଏହି ଯାତ୍ରାରେ ୧୨ ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । ରାହୁଲଙ୍କ ନେତୃତ୍ବରେ ମୋଟ ୧୧୮ ଜଣ କଂଗ୍ରେସ ନେତା ଓ କର୍ମୀ ପ୍ରତିଦିନ ୬ ରୁ ୭ ଘଣ୍ଟା ପଦଯାତ୍ରା କରୁଛନ୍ତି । ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର ବିଫଳ ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ବେରୋଜଗାରୀ ଆଦି ସାଧାରଣ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ କଂଗ୍ରେସ ଏହି ଯାତ୍ରାରେ ପ୍ରୟାସ ଜାରି ରଖିଛି । ଏହି ପଦଯାତ୍ରାରେ ୩୦ ପ୍ରତିଶତ ମହିଳା ମଧ୍ୟ ଯୋଗ ଦେଉଛନ୍ତି । ଦେଶକୁ ଯୋଡିବାକୁ ଏହି ଭାରତ ଯୋଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପଦଯାତ୍ରା ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ କାଶ୍ମୀର ଠାରେ ଶେଷ ହେବ। ବର୍ତ୍ତମାନ ଏହି ଭାରତ ଯୋଡ଼ ପଦଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ପରେ ତେଲେଙ୍ଗାନାରେ ଜାରି ରହିଛି । ତେବେ ରାହୁଲ ଯେଉଁ ଯେଉଁ ରାଜ୍ୟ ଗୁଡ଼ିକରେ ପଦଯାତ୍ରା କରିବେ ନାହିଁ ସେହି ରାଜ୍ୟ ଗୁଡିକରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପଦଯାତ୍ରା ଆୟୋଜନ କରିବ। ଏହି କ୍ରମରେ ଆଜିଠାରୁ ଏହି ଯାତ୍ରା ଓଡ଼ିଶାରେ ଆରମ୍ଭ କରିଛି ଦଳ ।

Related Posts