ଭୁବନେଶ୍ୱର, ୨୯/୦୭/୨୦୨୬: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ବନ୍ୟା ଜଳରେ ଭାସିଯାଇ ୪ ଜଣଙ୍କ ମୃତୁ୍ୟ ହୋଇଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ବନ୍ୟା ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବିଧାୟକ ବ୍ୟୋମକେଶ ରାୟ, ଗୌତମବୁଦ୍ଧ ଦାସ ଓ ସଞ୍ଜୀବ ମଲ୍ଲିକ ବନ୍ୟା ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ବିଫଳତାକୁ ବଖାଣିଥିଲେ ।
ଶ୍ରୀ ବ୍ୟୋମକେଶ ରାୟ କହିଥିଲେ ଯେ, ବର୍ଷା ଜନିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଲୋକଙ୍କ ଅବସ୍ଥା ବେହାଲ ହୋଇଥିବା ବେଳେ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କୁ ସାମାନ୍ୟ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛନ୍ତି । ପାଣିପାଗ ବିଭାଗର ପୂର୍ବ ସୂଚନା ଥିଲେ ମଧ୍ୟ, ସରକାରଙ୍କ କୌଣସି ପ୍ରସ୍ତୁତି ନଥିଲା, ଯେଉଁଥି ପାଇଁ ୪ଟି ମୂଲ୍ୟବାନ ଜୀବନ ଯାଇଛି । ବନ୍ୟା ମୁକାବିଲା କରିବାରେ ବିଫଳ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ବ୍ୟୋମକେଶ ରାୟ କହିଥିଲେ । ନବୀନ ସରକାରଙ୍କ ସମୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ଓଡିଶା ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା । ନବୀନଙ୍କ ସମୟରେ ପ୍ରତ୍ୟେକ ଜୀବନ ମୂଲ୍ୟବାନ ନୀତି ନିଷ୍ଠାର ସହ କାର୍ଯ୍ୟକାରୀ କରାଯାଉଥିବା ବେଳେ, ଏବେ ପ୍ରତ୍ୟେକ ଘଟଣାରେ ଜୀବନହାନୀ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । କଟକ ବଡ଼ ମେଡ଼ିକାଲରେ ସରକାରଙ୍କ ଅବହେଳା ଯୋଗୁଁ ଅଗ୍ନିକାଣ୍ଡ ଘଟି ୧୩ଟି ମୂଲ୍ୟବାନ ଜୀବନ ଯାଇଥିଲା । ସେହିପରି ରଥଯାତ୍ରାରେ ସରକାରଙ୍କ ଅବହେଳା ପାଇଁ ଚଳିତ ବର୍ଷ ୪ ଜଣଙ୍କ ମୃତୁ୍ୟ ହୋଇଛି । ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ପ୍ରତିବର୍ଷ ରଥଯାତ୍ରାରେ ମୂଲ୍ୟବାନ ଜୀବନ ଯାଉଛି ।
ଶ୍ରୀ ଗୌତମବୁଦ୍ଧ ଦାସ କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା କଥା ଉଠିଲେ, ସମଗ୍ର ଦେଶ ଓ ବିଶ୍ୱ ଓଡିଶା ଆଡ଼କୁ ଅନାଏ । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଜିରୋ କାଜୁଆଲିଟି ନୀତି ସାରା ବିଶ୍ୱ ପାଇଁ ଉଦାହରଣ ହୋଇପାରିଥିଲା । ଜିରୋ କାଜୁଆଲିଟି ନୀତି ପରେ ବର୍ତ୍ତମାନର ସରକାର କାଜୁଆଲ ହୋଇଯାଇଛନ୍ତି, ଯାହା ଫଳରେ ସାଧାରଣ ଲୋକଙ୍କ ମୃତୁ୍ୟ ଏକ ସାଧାରଣ ଘଟଣା ହୋଇଯାଇଛି । ବନ୍ୟା ନିୟନ୍ତ୍ରଣ କରିବା ଦୂରରେ ଥାଉ, ବର୍ଷା ଜଳକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି । ସରକାରଙ୍କ ଅପାରଗତା ଜଳ ଜଳ ହୋଇ ଦିଶୁଛି ।
ଶ୍ରୀ ସଞ୍ଜୀବ ମଲ୍ଲିକ କହିଥିଲେ ଯେ, ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ସର୍ବନିମ୍ନ ନିତ୍ୟ ଆବଶ୍ୟକୀୟ ଜିନିଷ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି । ଭଦ୍ରକ ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଞ୍ଚାୟତ ଅଞ୍ଚଳ ଜଳମଗ୍ନ ହୋଇସାରିଥିବା ବେଳେ, ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି । ବର୍ଷା ଲାଗି ରହିଥିବାରୁ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟ ବନ୍ୟା ଆଶଙ୍କାର ସମ୍ମୁଖୀନ ହୋଇଛନ୍ତି । ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ସତର୍କ କରି କହିଛି ଯେ, ପରିସ୍ଥିତିରେ ସୁଧାର ନଆସିଲେ, ଲୋକଙ୍କ ସ୍ୱାର୍ଥ ହାସଲ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।
