ଦଳଭାଇ ଓ ବେପାରୀଙ୍କୁ ଦେବେ ସରକାରୀ ଜମି !

(ସତ୍ୟପାଠ ବ୍ୟୁରୋ) ରାଜଧାନୀର ମୂଲ୍ୟମାନ ଜମି ହଡ଼ପ ପାଇଁ ସରକାରଙ୍କ ଯୋଜନା । ଦଳଭାଇ ଓ ବେପାରୀଙ୍କ ନଜର ଏବେ କ୍ୟାପିଟାଲର ମୂଲ୍ୟବାନ ସରକାରୀ ଜମି ଉପରେ । ସେମାନଙ୍କୁ ସରକାରୀ ଜମି ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ମାନ୍ୟବର । ରାଜଧାନୀରେ ସରକାରୀ କ୍ବାର୍ଟର୍ସ ନିର୍ମାଣ ବାହାନାରେ ଖାଲି ଥିବା ସରକାରୀ ଜମି ବିକିବାକୁ ଯୋଜନା କରାଯାଇଛି । ସରକାରଙ୍କ କହିବା କଥା ଭୁବନେଶ୍ବରରେ ଆବଶ୍ୟକ ସଂଖ୍ୟକ ସରକାରୀ କ୍ବାର୍ଟର୍ସ ନାହିଁ । ଯାହା ବି ଅଛି ସେମଧ୍ୟରୁ ଅନେକଗୁଡ଼ିଏ କ୍ବାର୍ଟର୍ସ ବିପଦସଙ୍କୁଳ ଅବସ୍ଥାରେ ଅଛି । ତେଣୁ ରାଜଧାନୀରେ ଖାଲି ପଡ଼ିଥିବା ଜମିକୁ ବିକି କ୍ବାର୍ଟର୍ସ ନିର୍ମାଣ କରାଯିବ । ଏପରିକି କେତେକ ସ୍ଥାନରେ ପୁରୁଣା କ୍ବାର୍ଟର୍ସକୁ ଭାଙ୍ଗି ସେଠାରେ ବହୁତଳ ପ୍ରାସାଦ ନିର୍ମାଣ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ 200 କୋଟି ଟଙ୍କା ।  ଆବଶ୍ୟକ ଟଙ୍କା ନଥିବାରୁ ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ଖାଲି ଥିବା ଜମିକୁ ବିକ୍ରି କରିବାକୁ ଯୋଜନା କରିଛନ୍ତି ସରକାର । ଶିଶୁଭବନରୁ ଗୁରୁଦ୍ବାର ଯାଏ ଜନପଥ କଡ଼ରେ ଥିବା ସରକାରୀ କ୍ବର୍ଟର୍ସଗୁଡ଼ିକୁ ଭାଙ୍ଗି ସେଠାରେ ପିପିପି ମୋଡରେ ବ୍ୟବସାୟିକ ଏବଂ ଆବାସିକ ପ୍ରକଳ୍ପ ନିର୍ମାଣ କରାଯିବ । ଜନପଥକୁ ଲାଗି ହେବାକୁ ଥିବା ବହୁତଳ କୋଠାଗୁଡ଼ିକୁ ବ୍ୟବସାୟ ଉଦ୍ଦେଶ୍ୟରେ ଓ ଏହାର ପଛ ପଟକୁ ଆବାସିକ କ୍ବାର୍ଟର୍ସ ପାଇଁ ବ୍ୟବହାର କରାଯିବ । ଏ ସମସ୍ତ ନୂଆ ପ୍ରକଳ୍ପ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଯୋଜନା ହୋଇଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ରାଜମହଲରୁ ମାଷ୍ଟକ୍ୟାଣ୍ଟିନ ମଧ୍ୟରେ ଥିବା କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗି 20 ଏକର ଜମିରେ ଏହି ପ୍ରକଳ୍ପ କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ ରାଜମହଲରୁ ଶିଶୁଭବନ ଓ ତୃତୀୟ ପର୍ଯ୍ୟାୟରେ ମାଷ୍ଟରକ୍ୟାଣ୍ଟିନରୁ ଗୁରୁଦ୍ବାର ଯାଏ କ୍ବାର୍ଟର୍ସଗୁଡ଼ିକୁ ଉଚ୍ଛେଦ କରାଯିବ । ସରକାରୀ ବାବୁମାନଙ୍କ ପାଇଁ ଦିଲ୍ଲୀ ଢାଞ୍ଚାରେ ୟୁନିଟ-8 ଡିଏଭି ପବ୍ଲିକ ସ୍କୁଲ ନିକଟରେ ଥିବା 1,244 ଏକର ଏବଂ ପୁରୁଣା ଏଜି କଲୋନୀରେ ଥିବା 1.5 ଏକର ଜମିରେ ବହୁତଳ କୋଠା ତିଆରି କରାଯିବ । ଯଦି ସରକାର ଏହିଭଳି ଜମି ବିକିବେ ତେବେ ଭୁବନେଶ୍ବରରେ ଆଉ ଖାଲି ଜାଗା କେଉଁଠି ରହିବ । ଦିନକୁ ଦିନ ରାଜଧାନୀର ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଥିବା ବେଳେ ସରକାରଙ୍କ ଜମି ବିକା ଅଭିଯାନ ଆଗାମୀ ଦିନରେ ଏକ ବଡ଼ ସମସ୍ୟାକୁ ନିମନ୍ତ୍ରଣ କରିବ ।

ଏଠାରେ ପ୍ରଶ୍ନ ଉଠୁଛି ସରକାର ଜମି ଦଲାଲି କରିବାକୁ କାହିଁକି ଚାହୁଁଛନ୍ତି ?

ଯଦି ପାଖରେ ଟଙ୍କା ନାହିଁ ତେବେ ଜମି ବିକ୍ରି କରି କୋଠା କରିବାକୁ ସରକାରଙ୍କୁ କହିଲା କିଏ ?

ଲୋକଙ୍କ ସମସ୍ୟା ଛାଡ଼ି ଦଳଭାଇ ଓ ବେପାରୀଙ୍କୁ ଲାଭ ପହଞ୍ଚାଇବା ପାଇଁ ଏଭଳି ପ୍ରୟାସ କାହିଁକି ?

Related Posts