ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜଧାନୀରେ ତୃତୀୟ ଦିନରେ ଜାରି ରହିଛି ଶିକ୍ଷକଙ୍କ ଆନ୍ଦୋଳନ। ଶିକ୍ଷକମାନେ ଅହୋରାତ୍ର ଧାରଣା ଦେଇଛନ୍ତି। ଅନ୍ୟପଟେ ଆଜି ବିଧାନସଭାର ଶୀତ ଅଧିବେଶନର ପଞ୍ଚମ ଦିନରେ ଗୃହ ଆରମ୍ଭରୁ ଶିକ୍ଷକ ଆନ୍ଦୋଳନକୁ ନେଇ ତାତି ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ଓ ବିଜେପି ବିଧାୟକଙ୍କ ନାରାବାଜି ଦେଖିବାକୁ ମିଳିଛି । ଗତକାଲି ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ପରେ ବି ସରକାର ଏନେଇ ଆଲୋଚନା କଲେନାହିଁ । ଫଳରେ ଆଜି ଗୃହରେ ବିରୋଧୀ ହଙ୍ଗାମା କରିଛନ୍ତି। ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି । ଏହାପରେ ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି। ତେବେ ଶିକ୍ଷକ ଆନ୍ଦୋଳନକୁ ନେଇ ତିନି ପ୍ରମୁଖ ଦଳର ପ୍ରତିକ୍ରିୟା ମିଳିଛି।

ଏହି ଘଟଣାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, ରାଜଧାନୀରେ ଶିକ୍ଷକ ଆନ୍ଦୋଳନ ପାଇଁ ରାଜ୍ୟର ସ୍କୁଲ ଗୁଡିକରେରେ ତାଲା ପଡ଼ିଛି। କିନ୍ତୁ ଗଣଶିକ୍ଷା ମନ୍ତ୍ରୀ ଯାଇ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତ। ଏହା ଦୁର୍ଭାଗ୍ୟଜନକ। ବାଚସ୍ପତିଙ୍କ ରୁଲିଂ ପରେ ଗଣଶିକ୍ଷା ସଚିବ ପ୍ରାଥମିକ ଶିକ୍ଷକ ସଂଘ ସହ ଆଲୋଚନା କରିଛନ୍ତି। ଶିକ୍ଷକମାନେ ଦାବି ସମ୍ପର୍କରେ ପୂର୍ବରୁ ସରକାରଙ୍କୁ ଜଣାଇଛନ୍ତି। ହେଲେ ଦୁର୍ଭାଗ୍ୟର କଥା ଯେ ଗତକାଲି କିନ୍ତୁ ସଚିବ କହିଛନ୍ତି ମୁଁ ନୂଆ କରି ଆସିଛି, ଶିକ୍ଷକଙ୍କ ଦାବି ସମ୍ପର୍କରେ ଅଜ୍ଞ।

ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଲକ୍ଷ ଲକ୍ଷ ଶିକ୍ଷକ ରାଜରାସ୍ତାରେ ହେଲେ ଗଣଶିକ୍ଷା ମନ୍ତ୍ରୀ ଯାଇ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି, ଏହା ଦୁର୍ଭାଗ୍ୟଜନକ। ଶିକ୍ଷକମାନଙ୍କ ତିନି ଦଫା ଦାବି ନେଇ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ, ନଚେତ ଗୃହକୁ ଚଳାଇ ଦିଆଯିବନି।

ଅପରପକ୍ଷରେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ଶିକ୍ଷକମାନେ ଜିଦରେ ଆନ୍ଦୋଳନ କରିବା ଉଚିତ୍ ନୁହେଁ। ଶିକ୍ଷକମାନେ ରାସ୍ତାରେ ଶୋଇବା ପସନ୍ଦଯୋଗ୍ୟ ହେଉନି। ସରକାର ସେମାନଙ୍କ ଦାବି ପ୍ରତି ସଚେତନ ଅଛନ୍ତି। ଆର୍ଥିକ ବ୍ୟବସ୍ଥାକୁ ଆକଳନ କରି ସରକାର କିଛି ପଦକ୍ଷେପ ନିଶ୍ଚିତ ନେବେ।