ସରିଲା ରାଜ୍ୟଗୋଷ୍ଠୀ କ୍ରୀଡା; ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମହିଳା କ୍ରିକେଟରେ ରୌପ୍ୟ ପଦକକୁ ସ୍ଵତନ୍ତ୍ର କହିଲେ ମୋଦି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ ହୋଇଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଉଲ୍ଲେଖ୍ୟନୀୟ ପ୍ରର୍ଦଶନ କରିଛି । ବିଭିନ୍ନ ଇଭେଣ୍ଟରେ ପଦକ ହାସଲ କରିଛନ୍ତି ଭାରତୀୟ ଖେଳାଳି ।ସମସ୍ତ ପଦକ ବିଜେତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ କ୍ରିକେଟରେ ମହିଳା କ୍ରିକେଟ ଦଳର ପ୍ରଥମ ପଦକ ହାସଲ କରିବା ସ୍ବତନ୍ତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ପାଇଁ ରୌପ୍ୟ ପଦକ ହାସଲ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଏହା ସବୁବେଳେ ସ୍ବତନ୍ତ୍ର ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।ମହିଳା କ୍ରିକେଟ ଟିମକୁ ପ୍ରଶଂସା କରି ମୋଦି କହିଛନ୍ତି, ”କ୍ରିକେଟ ଏବଂ ଭାରତ ଅବିଚ୍ଛେଦ୍ୟ । ଆମ ମହିଳା କ୍ରିକେଟ୍ ଦଳ ଉତ୍କୃଷ୍ଟ କ୍ରିକେଟ୍ ଖେଳିଛନ୍ତି ଏବଂ ସେମାନେ ସମ୍ମାନଜନକ ରୌପ୍ୟ ପଦକ ଜିତିଛନ୍ତି । କ୍ରିକେଟରେ ସର୍ବପ୍ରଥମ ରାଜ୍ୟଗୋଷ୍ଠୀ ପଦକ ହୋଇଥିବାରୁ ଏହା ସର୍ବଦା ସ୍ବତନ୍ତ୍ର ରହିବ ।”ଏହା ସହ ଟେବୁଲ ଟେନିସ ମିଶ୍ରିତ ଯୁଗଳ ବର୍ଗରେ ସ୍ବର୍ଣ୍ଣ ଜିତିଥିବା ଶରତ କମଲ ଓ ଶ୍ରୀଜା ଆକୁଲାଙ୍କୁ ପ୍ରଶଂସା କରିଛନ୍ତି । ଟେବୁଲ ଟେନିସରେ ଶରତ ଓ ଶ୍ରୀଜା ଏକ ଟିମୱାର୍କ ଦେଖାଇଥିବା କହିଛନ୍ତି ପିଏମ ମୋଦି। ଶରତ ପୁରୁଷ ସିଙ୍ଗଲ୍ସରେ ପହଞ୍ଚଥିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସର କିଦାମ୍ବୀ ଶ୍ରୀକାନ୍ତ କାଂସ୍ୟ ପଦକ ଜିତିଛନ୍ତି । ଶ୍ରୀକାନ୍ତଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିଏମ । ତାଙ୍କୁ ଭାରତ ବ୍ୟାଡମିଣ୍ଟନର ଜଣେ ଷ୍ଟାଲୱାର୍ଟ ବୋଲି କହିଛନ୍ତି ।ଏହା ଚତୁର୍ଥ ରାଜ୍ୟଗୋଷ୍ଠୀ କ୍ରୀଡା ଯେଉଁଠି ଭାରତ ତାର ଦକ୍ଷତା ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଆଗକୁ ଏହିପରି ସଫଳତା ହାସଲ କରି ଦେଶକୁ ଗର୍ବିତ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ୟାଡମିଣ୍ଟନ୍ ଡବଲ୍ସରେ ବ୍ରୋଞ୍ଜ ଜିତିଥିବା ତ୍ରିଷା ଜୋଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଓ ବକ୍ସିଂରେ ରୌପ୍ୟ ଜିତିଥିବା ସାଗର ଅହଲୱାତଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ରାଜ୍ୟଗୋଷ୍ଠୀ କ୍ରୀଡାର ଅନ୍ତିମ ଦିନ । ଏଯାବତ ଭାରତ ପାଖରେ ୫୫ଟି ପଦକ ରହିଛି ସେଥିରୁ ୧୮ଟି ସ୍ବର୍ଣ୍ଣ, ୧୫ଟି ରୌପ୍ୟ ଓ ୨୨ଟି କାଂସ୍ୟ ପଦକ ରହିଛି ।

Related Posts