
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ସାମିଲ ମହିଳା T-୨୦ କ୍ରିକେଟ୍ରୁ ଭାରତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍ରେ ଭାରତୀୟ ଦଳ ୯ ରନ୍ରେ ହାରିଯାଇଥିଲା। ଅଷ୍ଟ୍ରେଲିଆ ୧୬୧ ରନ୍ କରିଥିବାବେଳେ ଭାରତ ୩ ବଲ୍ ପୂର୍ବରୁ ୧୫୨ ରନ୍ରେ ଅଟକିଯାଇଥିଲା।ଏଥି ସହ ଅଷ୍ଟ୍ରେଲିଆ ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା କ୍ରିକେଟ୍ ସ୍ବର୍ଣ୍ଣ ପଦକ ବିଜେତା ହୋଇଛି। ଏହା ପୂର୍ବରୁ ଇଂଲଣ୍ଡକୁ ୮ ୱିକେଟ୍ରେ ହରାଇ ନ୍ୟୁଜିଲାଣ୍ଡ୍ କାଂସ୍ୟ ପଦକ ଜିତିନେଇଥିଲା। ଭାରତ ଫାଇନାଲ୍ରେ ହାରିଯାଇଥିଲେ ମଧ୍ୟ ରୌପ୍ୟ ପଦକ ଜିତି ଅପୂର୍ବ ସଫଳତା ପାଇଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ୮ ୱିକେଟ୍ ବିନିମୟରେ ୧୬୧ ରନ୍ କରିଥିଲା। ବେଥ୍ ମୁନି (୪୧ ବଲରୁ ୬୧ ରନ୍, ୮ ଚୌକ) ଅର୍ଦ୍ଧଶତକ ହାସଲ କରିଥିବାବେଳେ ମେଗ୍ ଲାନିଙ୍ଗ୍ ୨୬ ବଲ୍ରୁ ୩୬ ରନ୍, ଆସ୍ ଗାର୍ଡନର୍ ୧୫ ବଲ୍ରୁ ୨୫ ରନ୍ ଏବଂ ଆର୍ ହେନ୍ସ ୧୦ ବଲରୁ ୧୮* ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ରେଣୁକା ସିଂହ (୪-୦-୨୫-୨), ସ୍ନେହ ରାଣା (୪-୦-୩୮-୨), ରାଧା ୟାଦବ (୪-୦-୨୪-୧), ଦୀପ୍ତି ଶର୍ମା (୪-୦-୩୦-୧) ସଫଳ ବୋଲର ଥିଲେ। ପଶ୍ଚାତଧାବନ ବେଳେ ଭାରତ ପ୍ରଥମରୁ ପ୍ରାରମ୍ଭିକ ବ୍ୟାଟର୍ ସଫଳି ବର୍ମା ଓ ସ୍ମୃତି ମନ୍ଧାନାଙ୍କୁ ସଅଳ ହରାଇ ଦେଇଥିଲା। ଜେମିମା ରଡ୍ରିଗ୍ବେଜ୍ (୩୩ ବଲରୁ ୩୩ ରନ୍, ୩ ଚୌକା) ଏବଂ ହର୍ମନପ୍ରୀତ୍ କୌର୍ (୪୩ ବଲରୁ ୬୫ ରନ୍, ୭ ଚୌକା, ୨ ଛକା) ବିଜୟ ମୁହାଁ କରିଥିଲେ ମଧ୍ୟ ଉଭୟଙ୍କ ପରେ ଭାରତ ପାଳି ଦିଗହରା ହୋଇଯାଇଥିଲା। ଆଉ କେହି ଭାରତୀୟ ପାଳିକୁ ସମ୍ଭାଳି ପାରିନଥିଲେ। ଭାରତ ୧୯.୩ ଓଭରରେ ୧୫୨ ରନ୍ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଅଷ୍ଟ୍ରେଲିଆର ଗାର୍ଡନର ୩, ମଗେନ୍ ଶ୍ଚଟ୍ ୨ ଏବଂ ବ୍ରାଉନ୍ ଓ ଜୋନାସେନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।