ରାଜ୍ୟଗୋଷ୍ଠୀ କ୍ରୀଡ଼ା; କୁସ୍ତି ଆଖଡାରୁ ଭାରତକୁ ପଦକର ସୁଅ, ୧ ଘଣ୍ଟା ମଧ୍ୟରେ ଭାରତକୁ କୁସ୍ତିରେ ୩ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତି ଆଖଡାରୁ ଭାରତକୁ ପଦକର ସୁଅ । ଗୋଟିଏ ଘଣ୍ଟାରେ ଭାରତକୁ ମିଳିଲା ତିନିଟି ସ୍ୱର୍ଣ୍ଣ ପଦକ । ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଦୀପକ ପୁନିଆ ଦେଶ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ । ଏହାସହ ଅଂଶୁ ମଲ୍ଲିକ ରୌପ୍ୟ, ଦିବ୍ୟା କାକ୍ରନ ଓ ମୋହିତ ଗ୍ରେୱାଲ ବ୍ରୋଂଜ ପଦକ ଜିତିଛନ୍ତି। ଫ୍ରିଷ୍ଟାଇଲ ପୁରୁଷ ୮୬ କେଜିରେ ବଜରଙ୍ଗ ପୁନିଆ, ମହିଳା ୬୨ କେଜିରେ ସାକ୍ଷୀ ମଲ୍ଲିକ ଏବଂ ପୁରୁଷ ୮୬ କେଜିରେ ଦୀପକ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନୀ ଯୋଦ୍ଧା ମହମ୍ମଦ ଇରାନଙ୍କୁ ପରାସ୍ତ କରିଥିବାରୁ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ଦୀପକ ପୁନିଆ ।

ସେହିପରି ମହିଳା ୫୭ କେଜିରେ ଅଂଶୁ ମଲ୍ଲିକ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ଅନ୍ୟପଟେ ଦିବ୍ୟା କାକ୍ରନ ଓ ମୋହିତ ଗ୍ରେୱାଲ ବ୍ରୋଂଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଗତକାଲି କୁସ୍ତି ଆଖଡ଼ାରୁ ଅଂଶୁ ପ୍ରଥମେ ପଦକ ଅଭିଯାନ ଆରମ୍ଭ କରିଥିଲେ । ପରେ ବଜରଙ୍ଗ, ସାକ୍ଷୀ ଓ ଦୀପକ ଲଗାତର ତିନିଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ବଜରଙ୍ଗ ପୁନିଆଙ୍କ ଏହା ତୃତୀୟ ରାଜ୍ୟଗୋଷ୍ଠୀ କ୍ରୀଡା ପଦକ । ଏହା ପୂର୍ବରୁ ୨୦୧୮ ଅଷ୍ଟ୍ରେଲିଆର ଗୋଲଡ୍ କୋଷ୍ଟରେ ସ୍ୱର୍ଣ୍ଣ ଏବଂ ୨୦୧୪ରେ ରୌପ୍ୟ ପଦକ ଜିତିଥିଲେ । ସେହିପରି ସାକ୍ଷୀ ୨୦୧୪ରେ ରୌପ୍ୟ ଓ ୨୦୧୮ରେ ବ୍ରୋଂଜ ପଦକ ଜିତିଥିଲେ । କୁସ୍ତି ଆଖଡ଼ାରୁ ଏହି ପଦକ ଆସିବା ପରେ ଭାରତ ରାଜ୍ୟଗୋଷ୍ଠି କ୍ରୀଡ଼ାର ପଦକ ତାଲିକାରେ ପଞ୍ଚମ ସ୍ଥାନକୁ ଉଠିଛି । ଭାରତର ମୋଟ୍ ପଦକ ସଂଖ୍ୟା ୨୬ରେ ପହଂଚିଛି । କୁସ୍ତି ଯୋଦ୍ଧାଙ୍କୁ ପଦକୀୟ ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

Related Posts