ମୂର୍ତ୍ତି ଉଚ୍ଚତା ବୃଦ୍ଧି ମାମଲା : ଶୁଣାଣି ଶେଷ, ଆସନ୍ତା କାଲି ରାୟ ଶୁଣାଇବେ ହାଇକୋର୍ଟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ମୂର୍ତ୍ତି ଉଚ୍ଚତା ବୃଦ୍ଧି ମାମଲା ଏବେ ହାଇକୋର୍ଟରେ । ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ଏହାର ରାୟ ପ୍ରକାଶ ପାଇବ ବୋଲି ଆବେଦନକାରୀ ଆଡଭୋକେଟ୍ ସୂର୍ଯ୍ୟକାନ୍ତ ସଂଗନେରିଆ ସୂଚନା ଦେଇଛନ୍ତି। ତେବେ ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ୫ଶହ ବର୍ଷର ପୁରୁଣା ପରମ୍ପରା ବଜାୟ ରଖିବାକୁ କମିଟି ନ୍ୟାୟାଳୟଙ୍କୁ ଆବେଦନ କରିଥିଲେ। ଏହି ମାମଲାରେ ମୁଖ୍ୟ ଶାସନ ସଚିବ ଏବଂ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା। 

ପୂର୍ବରୁ ରାଜ୍ୟ ସରକାର କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ୪ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ସ୍ପଷ୍ଟ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ କଟକରେ ବିଭିନ୍ନ ପୂଜା କମିଟି ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ବିରୋଧ କରାଯାଇଥିଲା। ଶେଷରେ ଗତ ୧୪ ତାରିଖ ଦିନ ବାଲୁବଜାର ପୂଜା କମିଟି ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା। ୫୦୦  ବର୍ଷର ପୁରୁଣା ପରମ୍ପରା ଅନୁସାରେ ଏଠାରେ ମା ଦୁର୍ଗାଙ୍କ ବଡ ମୂର୍ତ୍ତି ପୂଜା ପାଇଆସୁଛି। ଏଣୁ ସରକାରଙ୍କ ମୂର୍ତ୍ତି କଟକଣାକୁ ବାଲୁ ବଜାର ପୂଜା କମିଟି ପକ୍ଷରୁ ଏହାକୁ ବିରୋଧ କରାଯାଇ ହାଇକୋର୍ଟରେ ଏକ ରିଟ ପିଟିସନ ଦାୟର କରାଯାଇଥିଲା।

ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ରାଜନୀତି ମଧ୍ୟ ଜୋର ଧରିଛି। ପ୍ରଥମେ ଭାରତୀୟ ଜନତା ପାର୍ଟି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଥିବା ବେଳେ ଗତ କାଲି କଟକ କଂଗ୍ରେସ ପକ୍ଷରୁ ମଉନ ପ୍ରତିବାଦ କରାଯାଇଥିଲା।  ପୁରୀଘାଟ ଗାନ୍ଧି ମୂର୍ତ୍ତି ତଳେ ନଗର କଂଗ୍ରେସ ପକ୍ଷରୁ ମଉନ ପ୍ରତିବାଦ କରିଥିଲେ । କଂଗ୍ରେସର ଏହି ପ୍ରତିବାଦରେ ବିଧାୟକ ମହମ୍ମଦ ମୋକିମ ସାମିଲ ହୋଇଥିଲେ। ସେହିପରି ମାଛୁଆ ବଜାରରେ ହିନ୍ଦୁ ଜାଗରଣ ମଂଚ କର୍ମକର୍ତ୍ତା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରି ଧାରଣାରେ ବସି ପ୍ରତିବାଦ କରିଥିଲେ।କଂଗ୍ରେସ ବିଧାୟକ ମୋକ୍କିମ୍ ନିଷ୍ପତ୍ତିର ପୁନଃବିଚାର ପାଇଁ ଦାବି କରିଥିଲେ। 

Related Posts