ରେଳ ଷ୍ଟେସନରେ ଖୋଲିବ ମହିଳା ଓ ଶିଶୁ ଡେସ୍କ, ବ୍ୟୟ ହେବ ୨ କୋଟି

ସତ୍ୟପାଠ ବ୍ୟୁରୋ : ମାନବଚାଲାଣ ରୋକିବାକୁ କଡା ପଦକ୍ଷେପ ନିଆଯାଇଛି । ମୁଖ୍ୟତଃ ଟ୍ରେନ ମାଧ୍ୟମରେ ଅଧିକ ସଂଖ୍ୟାରେ ମହିଳା ଓ ଶିଶୁ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ ଏହାକୁ ରୋକିବାକୁ ରାଜ୍ୟର ୯ଟି ପ୍ରମୁଖ ରେଳ ଷ୍ଟେସନରେ ମହିଳା ଓ ଶିଶୁ ଡେସ୍କ ଖୋଲିବାକୁ ନିଷ୍ପତି ନିଆଯାଇଛି । ମୁଖ୍ୟତଃ ମାନବ ଚାଲାଣ ରୋକିବାକୁ କେନ୍ଦ୍ର ମାଧ୍ୟମରେ ଜିଆର୍ପି ଥାନା ପଦକ୍ଷେପ ଗ୍ରହଣ କରିବ। ଚାଲାଣ ବାଦ୍ ରେଳ ଷ୍ଟେସନ୍ରେ ଯୌନ ଶୋଷଣର ଶିକାର ହେଉଥିବା ମହିଳାଙ୍କୁ ମଧ୍ୟ ନ୍ୟାୟ ପ୍ରଦାନ କରାଯିବ। ଷ୍ଟେସନ୍ରେ ନିଖୋଜ ଶିଶୁଙ୍କୁ ଉଦ୍ଧାର ଏବ˚ ଥଇଥାନ କ୍ଷେତ୍ରରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ୯ଟି କେନ୍ଦ୍ର ଖୋଲିବାକୁ ପ୍ରାୟ କୋଟିଏ ୮୦ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବା ସୂଚନା ମିଳିଛି।

ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ରୋକିବା ଏବ˚ ତୁରନ୍ତ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ପୁଲିସ ବିଭାଗ ଏହି ପଦକ୍ଷେପ ନେଇଛି। ୩୩ ପୁଲିସ ଜିଲ୍ଲାର ଥାନା ସ୍ତରରେ ମହିଳା ଓ ଶିଶୁ ସହାୟତା କେନ୍ଦ୍ରର ସଫଳତା ପରେ ଆହୁରି ଦୁଇ ପୁଲିସ ଜିଲ୍ଲା କଟକ ଓ ରାଉରକେଲା ଅନ୍ତର୍ଗତ ୧୫ଟି ଜିଆରପି ଥାନା ଅଧୀନରେ ଥିବା ରେଳ ଷ୍ଟେସନ୍ ପ୍ଲାଟ୍ଫର୍ମରେ ଏହି ସହାୟତା କେନ୍ଦ୍ର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର‌୍ୟ୍ୟାୟରେ କଟକ, ଭୁବନେଶ୍ବର, ଭଦ୍ରକ, ବାଲେଶ୍ବର, ପୁରୀ, ରାଉରକେଲା, ଝାରସୁଗୁଡ଼ା, ରାୟଗଡ଼ା ଏବ˚ ସମ୍ବଲପୁର ରେଳ ଷ୍ଟେସନ୍ରେ ଏହି କେନ୍ଦ୍ର ଖୋଲାଯାଉଛି। ପ୍ରତ୍ୟେକ କେନ୍ଦ୍ର ପିଛା ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। କେନ୍ଦ୍ର ଦାୟିତ୍ବରେ ଜଣେ ମହିଳା ଏସ୍ଆଇ/ଏଏସ୍ଆଇ ପାହ୍ୟାର ଅଧିକାରୀ ରହିବେ। ମହିଳା ଓ ଶିଶୁଙ୍କ ସ˚କ୍ରାନ୍ତ ସମସ୍ତ ପ୍ରକାର ମାମଲା ଗ୍ରହଣ କରି ତଦନ୍ତ କରିବେ। ତାଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ମହିଳା କନ୍ଷ୍ଟେବଳ ଦାୟିତ୍ବରେ ରହିବେ। ଧର୍ତ୍ତବ୍ୟ ଅପରାଧ ଘଟିଥିଲେ ତୁରନ୍ତ ମାମଲା ରୁଜୁ କରି ଏତଲା ନକଲ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶାରୁ ଟ୍ରେନ୍ରେ ଦଲାଲମାନେ ମହିଳାଙ୍କୁ ବେଶ୍ୟା ବୃତ୍ତିରେ ଏବ˚ ନାବାଳିକାଙ୍କୁ ବିବାହ କରାଇବା ଉଦ୍ଦେଶ୍ୟରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ଛତିଶଗଡ଼ ଏବ˚ ଆନ୍ଧ୍ରପ୍ରଦେଶ ଚାଲାଣ କରୁଥିବା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଦଲାଲଙ୍କ ଉପରେ ପୁଲିସ ଅଧିକ ସତର୍କ ନଜର ରଖିବା ସହିତ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଏଭଳି ଯୋଜନା କରାଯାଇଛି। ପୀଡ଼ିତାଙ୍କୁ ଉଦ୍ଧାର କଲା ପରେ ତାଙ୍କୁ ଏକାନ୍ତ ସ୍ଥାନରେ ବସାଇ ବୟାନ ରେକର୍ଡ କରାଯିବ। ପୀଡ଼ିତା ଭୟଭିତ ଅବସ୍ଥାରେ ଥିବାରୁ ମହିଳା ଅଫିସର ତାଙ୍କୁ ବନ୍ଧୁତାପୂର୍ଣ୍ଣ ବାତାବରଣ ସୃଷ୍ଟି କରି ପଚରାଉଚରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡେସ୍କରେ କମ୍ପ୍ୟୁଟର ଇଣ୍ଟରନେଟ୍ ସହିତ ସ˚ଯୋଗ କରାଯିବ। ସେଥିରେ ଅନ୍ଲାଇନ୍ ଏତଲା ପଞ୍ଜିକରଣ ହେବ। ଡେସ୍କ ସହିତ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ଏବ˚ ଥଇଥାନ କେନ୍ଦ୍ରକୁ ସ˚ଯୋଗ କରାଯିବ। ଉଦ୍ଧାର ପରେ ସେଠାରେ ଥଇଥାନ କରାଯିବ। ଶିଶୁଙ୍କୁ ପୁଲିସ ସିଡବ୍ଲୁସିରେ ହାଜର ପରେ ଶିଶୁ ଯତ୍ନ ଅନୁଷ୍ଠାରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

Related Posts