ପୁଣି ଶବରୁ ଆଖି ଗାୟବ !

ସତ୍ୟପାଠ ବ୍ୟୁରୋ : ଅନୁଗୁଳ ମେଡିକାଲରେ ପୁଣି ଏକ ମୃତଦେହରୁ ଆଖି ତାଡି ନିଆଯାଇଥିବା ଅଭିଯୋଗ ହୋଇଛି । କିଛିଦିନ ପୂର୍ବେ ଜଣେ ୪ବର୍ଷର ଶିଶୁ ମୃତଦେହ ଆଖି ତାଡି ନିଆଯାଇଥିବା ଅଭିଯୋଗ ହୋଇଥିବା ବେଳେ ଆଜି ପୁଣି ଏକ ଶବରୁ ଆଖି ଗାୟବ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି ।

ଶବାଗାରରୁ ଗାୟବ ହେଉଛି ଶବର ଆଖି । ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ଘଟଣାଟି ବି ସେତିକି ରହସ୍ୟମୟ । ପୋଷ୍ଟମର୍ଟମ ପାଇଁ ଶବାଗାରରେ ରଖାଯାଇଥିବା ଶବ ଦେହରୁ ଆଖି କିଏ ତାଡି ନେଉଛି । ପୂର୍ବରୁ ଶିଶୁକନ୍ୟାର ମୃତଦେହରୁ ଦୁଇଟି ଯାକ ଆଖି ତାଡି ନିଆଯାଇଥିବା ବେଳେ ଆଜି ପୁଣି ଶବର ଡାହାଣ ଆଖି ନାହିଁ । ଅନୁଗୁଳ ମେଡିକାଲରେ ସପ୍ତାହକ ଭିତରେ ଦୁଇ ଦୁଇଟି ଏଭଳି ଘଟଣା ସମସ୍ତଙ୍କ ନିଦ ହଜାଇ ଦେଇଛି ।

ସୂଚନା ମୁତାବକ, ଗତକାଲି ସଂଧ୍ୟାରେ ମୋନେଟ କଂପାନୀ ଫାଟକ ସମ୍ମୁଖରେ ଜରପଡା ଥାନା ଅନ୍ତର୍ଗତ କୁଶକିଳା ଗାଁର ଜମ୍ବେଶ୍ୱର ନାଏକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ତାଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଷ୍ଟମର୍ଟମ ପାଇଁ ତାଙ୍କ ମୃତଦେହକୁ ମେଡିକାଲର ଶବାଗାରରେ ରଖାଯାଇଥିଲା । ଆଜି ସକାଳେ ଶବ ବ୍ୟବଚ୍ଛେଦ ପାଇଁ ଜମ୍ବେଶ୍ୱରଙ୍କ ମୃତଦେହ ଯେତେବେଳେ ବାହାରକୁ ଅଣାଯାଇଥିଲେ ସେତେବେଳେ ଶବରୁ ତାଙ୍କର ଡାହାଣ ଆଖିଟି ଗାଏବ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏହାଦେଖି ପରିବାର ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେବା ସହ ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି ।

Related Posts