ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନଥିବା ବେଳେ, ଯୁଦ୍ଧ କୁ ଏନେଇ ଏବେ ଚିନ୍ତିତ ସମସ୍ତ ଦେଶ । ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧସମଗ୍ର ବିଶ୍ୱ ପାଇଁ ବିପଦ ଆଣିଦେଇଛି । ଗୋଟେପଟେ ଋଷ ର ଆକ୍ରମଣ ଆଉ ଅନ୍ୟପଟେ ନହିଁବାର ଜିଦ୍ ଉଭୟ ଦେଶକୁ ଏବେ ମଝି ସମୂଦ୍ର ମଧ୍ୟରେ ଛିଡ଼ା କରି ଦେଇଛି। ବର୍ତ୍ତମାନ ୟୁକ୍ରେନର ବିକଳ ଚିତ୍ର ପୁରା ମାନବିକତାର ହତ୍ୟା ବୋଲି କୁହାଯାଉଥିବାବେଳେ ବିଶ୍ୱ ପରିବେଶ ଉପରେ କୁପ୍ରଭାବକୁ ମଧ୍ୟ ଏଡାଇ ଦିଆଯାଇପାରୁନାହିଁ । ଏପରି ଗୁରୁତର ସ୍ଥିତିରେ ଏହି ଦୁଇ ଦେଶର ଯୁଦ୍ଧକୁ ରୋକିବାକୁ ଋଷକୁ ମନାଇବାକୁ ଚେଷ୍ଟା ଆରମ୍ଭ ହୋଇଛି । ଏହି କ୍ରମରେ ଋଷ ରାଷ୍ଟ୍ର୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ନପ୍ତାଲି ବେନେଟ୍ ।
ଋଷ –ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଥମେ ଆଗେଇଆସିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନପ୍ତାଲି ବେନେଟ୍ । କ୍ରେମଲିନଠାରେ ପୁଟିନଙ୍କୁ ଭେଟି ଆଲୋଚନା କରିଛନ୍ତି । ପାଖାପାଖି ୩ ଘଣ୍ଟା ଧରି ଚାଲିଥିଲେ ବି ଆଲୋଚନାର ନିଷ୍କର୍ଷ କ’ଣ ବାହାରିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ । ତେବେ ଏଯାଏଁ ଏସ୍ରାଏଲ ଭାରତ ପରି ନିରବତା ଅବଲମ୍ବନ କରିଆସିଛି । ତେଣୁ ଏସ୍ରାଏଲ ଯଦି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବାକୁ ମଧ୍ୟସ୍ଥତା କରେ ତେବେ ତା’ର ପ୍ରସ୍ତାବକୁ ଋଷ ଗ୍ରହଣ କରୁଛି କି ନାହିଁ ତାକୁ ହିଁ ସବୁ ରାଷ୍ଟ୍ରଙ୍କ ଅପେକ୍ଷା କାରଣ ଏସ୍ରାଏଲ ଭୌଗଳିକ ଦୃଷ୍ଟିରୁ ଛୋଟ ହୋଇଥିଲେ ବି ସାମରିକ ଜ୍ଞାନକୌଶଳରେ ଏହା କୌଣସି ଦେଶ ଠାରୁ କମ ନୁହେଁ।
ସେପଟେ ବାଇଡେନ ମଧ୍ୟ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବା ପାଇଁ କହିବା ସହ ଯଦି ସେ ଯୁଦ୍ଧ ବନ୍ଦ କରନ୍ତି ତେବେ ସମସ୍ତ କଟକଣା ଉଠାଇଦେବେ ବୋଲି କହିଥିଲେ ।