କଲେଜକୁ ଯାଇଥିଲେ, ତାଲା ପକାଇଦେଲେ ଛାତ୍ର

ସତ୍ୟପାଠ ବ୍ୟୁରୋ : ବିଜେଡି ବିଧାୟକଙ୍କୁ ତାଲା । କଥାଟା ଶୁଣିବାକୁ ଟିକିଏ ଅଡୁଆ ଲାଗିଲେ ବି ସତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ଦୀକୃଷ୍ଣ ମହାବିଦ୍ୟାଳରେ ଘଟିଛି ଏହି ଘଟଣା । କଲେଜ ପରିଚାଳନା କମିଟି ବୈଠକରେ ଯୋଗଦେବାକୁ ଯାଇଥିବା ବେଳେ ବିଧାୟକଙ୍କୁ ତାଲା ପକାଇଥିଲେ ଉତ୍ୟକ୍ତ ଛାତ୍ରଛାତ୍ରୀ । ଏହାସହ କଲେଜ ଅଧ୍ୟକ୍ଷଙ୍କୁ ବି ତାଲା ପକାଇଥିଲେ ।

ଆଜି କଲେଜ ଗଭର୍ଣ୍ଣିଂ ବଡି ବୈଠକ ଚାଲିଥିଲା । ଏଥିରେ ଯୋଗ ଦେଇଥିଲେ ଜଳେଶ୍ୱର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର । ଯାହାକୁ ବିରୋଧ କରିଥିଲେ ଛାତ୍ରଛାତ୍ରୀ । ଏହାକୁ ନେଇ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା । ପରିଚାଳନା କମିଟିରେ ବିଧାୟକଙ୍କ ପ୍ରତିନିଧିତ୍ୱ ନଥିବାରୁ ଛାତ୍ରମାନେ ବିରୋଧ କରିଥିଲେ । ଏହାସହ ବିଧାୟକ ଓ କଲେଜ ଅଧ୍ୟକ୍ଷଙ୍କୁ ତାଲା ପକାଇ ଦେଇଥିଲେ ଉତ୍ୟକ୍ତ ଛାତ୍ରଛାତ୍ରୀ । ଦୀର୍ଘସମୟ ପରେ ତାଲା ଖୋଲାଯାଇଥିଲା । ଖବର ଲେଖାହେବା ପର୍ଯ୍ୟନ୍ତ ଏହାକୁ ନେଇ ଥାନାରେ କୌଣସି ରିପୋର୍ଟ ହୋଇନାହିଁ ।

Related Posts