
ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ ଛାତ୍ରଛାତ୍ରୀ । ସେମାନେ କିପରି ସୁରକ୍ଷିତ ଭାବେ ଭାରତ ଆସିବେ ଏନେଇ ଯୋଜନା ପ୍ରସ୍ତୁତ କରିଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ଭାରତ ସରକାରଙ୍କ ଦୁଇଟି ଚାର୍ଟାର୍ଡ ଫ୍ଲାଇଟ୍ ଫେବୃଆରୀ ୨୫ ସନ୍ଧ୍ୟା ସୁଦ୍ଧା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ବୁଖାରେଷ୍ଟ, ରୋମାନିଆ ପାଇଁ ଉଡାଣ ଭରିବ। ଏହି ପୂରା ଅଭିଯାନରେ ଏୟାର ଇଣ୍ଡିଆ ମଧ୍ୟ ସାହାଯ୍ୟ କରିବ।
ଯେଉଁ ଭାରତୀୟ ନାଗରିକ ସଡକ ମାର୍ଗ ଜରିଆରେ ୟୁକ୍ରେନ ଏବଂ ରୋମାନିଆ ସୀମା ପର୍ଯ୍ୟନ୍ତ ପହଞ୍ଚିଛନ୍ତି, ସେମାନଙ୍କୁ ୟୁକ୍ରେନ ସ୍ଥିତ ଭାରତୀୟ ଅଧିକାରୀ ବୁଖାରେଷ୍ଟ, ରୋମାନିଆ ନେଇଯିବେ। ସେଠାରୁ ଉଡାଣ ଜରିଆରେ ଭାରତୀୟ ନାଗରିକ ସ୍ଵଦେଶ ଫେରିବେ। ଏହାର ସମସ୍ତ ଖର୍ଚ୍ଚ ଭାରତ ସରକାର ବହନ କରିବେ।
ୟୁକ୍ରେନର ରାଜଧାନୀ କିଭ ସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କୁ ଯାତ୍ରା ସମୟରେ ଦୂତାବାସର ଯୋଗାଯୋଗରେ ରହିବାକୁ କହିଛନ୍ତି। ଯାତ୍ରା ସମୟରେ ପାସପୋର୍ଟ, କୌଣସି ବି ଜରୁରୀକାଳୀନ ସ୍ଥିତି ପାଇଁ ଆମେରିକୀ ଡଲାରରେ ନଗଦ ଏବଂ ଅନ୍ୟ ଜରୁରୀ କାଗଜପତ୍ର ଏବଂ ସାମାନ ନିଜ ସାଥୀରେ ରଖିବାକୁ କୁହାଯାଇଛି। ଦୂତାବାସ କହିଛି, ଯଦି କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ ଅଛି, ତାହା ମଧ୍ୟ ନିଜ ପାଖରେ ରଖିଥାନ୍ତୁ। ଯାତ୍ରା ସମୟରେ ଆପଣ ଯେଉଁ ଗାଡିରେ ଯାତ୍ରା କରୁଛନ୍ତି, ତା ଉପରେ ଭାରତର ପତାକା ଲଗାଇବାକୁ ଦୂତାବାସ କହିଛନ୍ତି।