କୋଟିଆ ଅଞ୍ଚଳ ଅଧିବାସୀଙ୍କୁ ମାଗଣାରେ ଦିଆଯାଇଛି ୪୦୬୨ ଏକର ଜମି ପଟ୍ଟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜଙ୍ଗଲ ଜମି ଅଧିକାର ଆଇନ୍‍ ଅନୁସାରେ କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ୪୦୬୨ ଏକର ଜମି ପଟ୍ଟା ସ୍ଥାନୀୟ ଅଧିବାସୀଙ୍କୁ ମାଗଣାରେ ପ୍ରଦାନ କରାଯାଇଛି ।

ସରକାରୀ ତଥ୍ୟ ଅନୁସାରେ ଗତ ମାର୍ଚ୍ଚ ମାସରେ କୋଟିଆ ଗ୍ରାମପଞ୍ଚାୟତର ୩୩ଟି ଗାଁରୁ ୨୧୭୦ଟି ଜମି ପଟ୍ଟା ଆବେଦନ ଆସିଥିଲା । ଏହି ଆବେଦନକୁ ଯାଞ୍ଚ କରିବା ପରେ ଆବେଦନକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଇ ମୋଟ୍‍ ୪୦୬୨ ଏକର ୧୬ ଡିସିମିଲି ଜମିର ପଟ୍ଟା ସେମାନଙ୍କୁ ପ୍ରଦାନ କରାଯାଇଛି ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, କୋଟିଆ ପଞ୍ଚାୟତର ଗଞ୍ଜେଇପଦର ଗାଁରୁ ଜମି ପଟ୍ଟା ପାଇଁ ୧୯୨ ଜଣ ଆବେଦନ କରିଛନ୍ତି। ସେହିପରି କୋଟିଆ ଗାଁରୁ ୨୧୭, ଫାଗୁସିନାରିରୁ ୧୨୫, ତଳଗଞ୍ଜେଇପଦରରୁ ୧୩୯ ଟି ଜମି ପଟ୍ଟା ଆବେଦନ ଆସିଥିଲା । ତେବେ ଏହି ଆବେଦନ ଆଧାରରେ ତଳ ଗଞ୍ଜେଇପଦର ବାସିନ୍ଦାଙ୍କୁ ୨୪୦ଏକର ଜଙ୍ଗଲ ଜମିର ପଟ୍ଟା ଦିଆଯାଇଥିବାବେଳେ କୋଟିଆ ଗାଁର ଲୋକଙ୍କୁ ୪୧୮ଏକର ଜମି ଦେଇଛନ୍ତି ଓଡିଶା ସରକାର ।

ଅନ୍ୟପକ୍ଷରେ ଦେଖିଲେ ମଠଲମ୍ବା ଗାଁରେ ୨୧୮ଏକର, ଠୁରିଆରେ ୨୩୩ଏକର, ତାଉପଦରରେ ୨୦୦ଏକର, ଗଞ୍ଜେଇପଦରରେ ୧୬୦ଏକର, ଡାଳିଆମ୍ବୋରେ ୧୭୫ଏକର, ଧୂଳିପଦରରେ ୧୫୩ଏକର, କରଞ୍ଜଗୁଡାରେ ୧୬୯ଏକର, ଫାଗୁସିନାରୀରେ ୧୮୮, ଫାଟୁସିନାରୀରେ ୧୬୦ଏକର ଜମି ପଟ୍ଟା ସେଠାକାର ଅଧିବାସୀମାନଙ୍କୁ ଦିଆଯାଇଛି ।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଆନ୍ଧ୍ରର ଅଧିକାରୀମାନେ ଆସି କୋଟିଆରେ ଦାଦାଗିରି କରୁଥିବାବେଳେ ଏବେ ଗଜପତି ସୀମାନ୍ତରେ ମଧ୍ୟ ଆନ୍ଧ୍ର ଓଡିଶାର ଅନେକ ଗାଁକୁ ନିଜର ବୋଲି ଦାବି କରି ବିବାଦ ବଢାଉଛନ୍ତି ।

Related Posts