ସୁବର୍ଣ୍ଣପୁର ପୁଲିସକୁ ସଫଳତା; ବାଇକରୁ ୨୧ କେଜି ଚୋରା ଗଞ୍ଜେଇ ଜବତ, ୪ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା କୁଞ୍ଜ ଛକ ନିକଟରୁ ସଦର ପୋଲିସ ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ ରାକେଟକୁ ଧରିବାରେ ସଫଳ ହୋଇଛି I ଶୁକ୍ରବାର ସନ୍ଧ୍ୟାରେ ସୋନପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୁଞ୍ଜ ଛକ ନିକଟରେ ଏକ ବାଇକରେ ଜଣେ ମହିଳା ଓ ପୁରୁଷ ଯାଉଥିବା ବେଳେ ସନ୍ଦେହ କରି ପୁଲିସ ସେମାନଙ୍କୁ ଅଟକାଇଥିଲା I ବାଇକ୍ ସର୍ଚ୍ଚ କଲାବେଳେ ବାଇକରୁ ୨୧କେଜି ୨୦୦ଗ୍ରାମ ଗଞ୍ଜେଇ ଧରା ପଡ଼ିଥିଲା I

ଏହି ବାଇକକୁ ଆଉ ଗୋଟେ ବାଇକ ଏସକର୍ଟ କରି ଯାଉଥିବା ଜାଣି ତାକୁ ମଧ୍ୟ କାବୁ କରିଥିଲା ପୁଲିସ I ସେମାନଙ୍କ ନିକଟରୁ ୪ଟି ମୋବାଇଲ, ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି ସହିତ ଗୋଟିଏ ମାଗାଜିନ ଜବତ କରିଥିଲେ I ତେବେ ଏହି ଚୋରା ଚାଲାଣ ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ଓଡ଼ିଶାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଛତିଶଗଡ ଅଂଚଳର ବୋଲି ଜଣାପଡିଛି । ଚାରି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସଦର ପୋଲିସ ଷ୍ଟେସନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।

Related Posts