ପାକିସ୍ତାନ ପେଶାୱାରର ମସଜିଦରେ ଆତ୍ମଘାତୀ ବିସ୍ଫୋରଣ; ୨୮ ମୃତ, ୧୫୦ରୁ ଅଧିକ ଆହତ

ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ): ପାକିସ୍ତାନ ପେଶାୱାରରେ ଥିବା ଏକ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏହି ଧମାକାରେ ବର୍ତ୍ତମାନ ସୁଦ୍ଧା ୨୮ ଜଣଙ୍କର ମୃତ୍ୟୁ ହାଇସାରିଥିବାବେଳେ, ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଏହି ଧମାକା ଏତେ ଜୋରରେ ଥିଲା ଯେ, ପୂରା ମସଜିଦ୍ ଦୋହଲି ଯାଇଥିଲା । ପେଶାୱାରର ପୋଲିସ ଲାଇନ୍ସ ପାଖରେ ଥିବା ମସଜିଦରେ ନମାଜ ପାଠ ପରେ ଏହି ବିସ୍ଫୋରଣ ଘଟିଛି ।ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପେଶାୱାରର ଏଲଆରସି ହସ୍ପିଟାର ପ୍ରବକ୍ତା ମହମ୍ମଦ ଅସୀମଙ୍କ କହିବା ମୁତାବକ, ଏବେ ବି ଆହତମାନେ ହସ୍ପିଟାଲକୁ ଆସୁଛନ୍ତି । ସେମାନଙ୍କ ଭିତରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ସେହି ଅଂଚଳକୁ ପୂରାପୂରା ଘେରାବନ୍ଦୀ କରିଦିଆଯାଇଛି । କେବଳ ଆମ୍ବୁଲାନ୍ସକୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଛି । ପୋଲିସ ଅଧିକାରୀ ସିକନ୍ଦର ଖାନଙ୍କ କହିବା ମୁତାବକ, କିଛି ଲୋକ ମାଟି ତଳେ ଚାପି ହୋଇଯାଇଥିବା ସୂଚନା ମିଳିଛି ।

ତେବେ ପାକିସ୍ତାନରେ ଏହି ବିସ୍ଫୋରଣ କିଛି ନୂଆ କଥା ନୁହେଁ । ୨୦୨୨ ମସିହା ମେ ୧୬ ତାରିଖରେ ମଧ୍ୟ ପାକିସ୍ତାନରେ ବିସ୍ଫୋରଣ ହୋଇଥିଲା । ପାକିସ୍ତାନର କରାଚିରେ ଏହି ବ୍ଲାଷ୍ଟ ହୋଇଥିଲା । ସେତେବେଳେ ଏମଏ ଜିନ୍ନା ରୋଡର ମେମନ୍ ମସଜିଦରେ ଏହି ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତା ସହିତ ୮ ଜଣ ଲୋକ ଆହତ ହୋଇଥିଲେ । ତେବେ ଏହି ଘଟଣାର କିଛି ଦିନ ପରେ ଏବେ ପାକିସ୍ତାନରେ ପୁଣି ଥରେ ଏମିତି ବିସ୍ଫୋରଣ ଘଟିଛି ।

Related Posts