ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ଘଟଣା: ପୋଲିସ ହାତରେ ଲାଗିଲା ୨ଟି ମୋବାଇଲ

ଭୁବନେଶ୍ଵର: ପୁରୀ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଜିଲ୍ଲାରେ ଚାନ୍ଚଲ୍ୟ ଖେକାଇଛି । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ ଏନେଇ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା ୨ୟ ଥର ଲାଗି ଫରେନସିକ୍ ଟିମ୍ ଘଟଣାସ୍ଥଳରେ ଡଗ୍ ସ୍କ୍ବାର୍ଡ ସହ ଛାନଭିନ୍ ଚଳାଇଛି। ଏହି ସମୟରେ ଧର୍ମେନ୍ଦ୍ରଙ୍କ ଘର ନିକଟ ଏକ ପ୍ଲଟରୁ ପାଣି ଥିବା ସ୍ଥାନରୁ ୨ଟି ମୋବାଇଲ ମିଳିଛି। ତେବେ ମିଳିଥିବା ୨ଟି ମୋବାଇଲ ଧର୍ମେନ୍ଦ୍ରଙ୍କର କି ନୁହେଁ ତାହା ଯାଞ୍ଚ କରୁଛି ପୋଲିସ।

ଘଟଣାସ୍ଥଳରେ ଧଉଳି ଏସିପି, ଜୋନ -୧ ଏସିପି, ସାଇଣ୍ଟିଫିକ୍ ଏସିପି ଓ ଅତିରିକ୍ତ ଡିସିପି ପ୍ରକାଶ ପାଲ ଉପସ୍ଥିତ ଅଛନ୍ତି।

ଆଜି ଭୁବନେଶ୍ବର ଧଉଳି ଥାନା ଶିଶୁପାଳଗଡ଼ ଲକ୍ଷ୍ମୀ ବିହାରସ୍ଥିତ ଘରୁ ମିଳିଥିଲା ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ । ୧୫ଦିନ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଧର୍ମେନ୍ଦ୍ର । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ କିଛି ଦିନ ହେବ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ପାରିବାରିକ କଳହ ପାଇଁ ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ସକାଳୁ ସକାଳୁ ଭୁବନେଶ୍ବର ଶିଶୁପାଳଗଡ଼ ଲକ୍ଷ୍ମୀ ବିହାରରେ ପଡ଼ିଯାଇଥିଲା ଚହଳ । ଘର ବାହାରେ ଝୁଲୁଥିଲା ଧର୍ମେନ୍ଦ୍ର ସାହୁଙ୍କ ମୃତ ଦେହ । ପ୍ରଥମେ ଦେଖିଥିଲେ ମର୍ଣ୍ଣିଂ ଓ୍ବାକ୍ ପାଇଁ ବାହାରିଥିବା ପଡ଼ୋଶୀ । ସେମାନେ ସଙ୍ଗେ ସଙ୍ଗେ ଧର୍ମେନ୍ଦ୍ରଙ୍କ ପତ୍ନୀ ଓ ପୁଅକୁ ଫୋନ୍ କରିଥିଲେ । ବାପଘର ତମାଣ୍ଡୋରୁ ଆସି ପହଞ୍ଚିଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଧଉଳି ଥାନା ପୋଲିସ । ଘରେ ଲାଗିଥିବା ସିସିଟିଭି ଯାଂଚ କରିଥିଲା ପୋଲିସ ।

ଶୁକ୍ରବାର ରାତି ୨ଟା ୧୪ ମିନିଟ୍ । ପ୍ରଥମ ଦୃଶ୍ୟରେ ଧର୍ମେନ୍ଦ୍ର ନିଜ ଘର ଆଗରେ ଜଳୁଥିବା ଲାଇଟ୍କୁ ଖୋଲୁଥିବାର ଚିତ୍ର କଏଦ୍ ହୋଇଛି । ତା’ ପରେ ରାତି ୨ଟା ୪୮ ମିନିଟ୍ । ନିଜ କାର୍ ଚକ ଉପରେ ଚଢ଼ୁଥିବାର ଦୃଶ୍ୟ କଏଦ୍ ହୋଇଛି । ସିସିଟିଭିରୁ ଏହି ଦୁଇଟି ଚିତ୍ର ପାଇବା ପରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି ପୋଲିସ । ତେବେ ପାରପାର୍ଶ୍ବିକ ଅବସ୍ଥାକୁ ଦେଖିଲେ କେହି ଧର୍ମେନ୍ଦ୍ରଙ୍କୁ ମାରି ଟାଙ୍ଗି ଦେଇଥିବାର ସଂଦେହ କରାଯାଉଛି ।

ସଂଦେହର ଆଉ ଗୋଟେ କାରଣ ବି ସାମ୍ନାକୁ ଆସିଛି । ତାହା ହେଲା ମୃତ୍ୟୁର ୫ଘଣ୍ଟା ପୂର୍ବରୁ ଫେସବୁକ୍‌ରେ ଧର୍ମେନ୍ଦ୍ରଙ୍କ ଭିଡିଓ ପୋଷ୍ଟ । ଯେଉଁଥିରେ ସେ ଅନେକ କଥା କହିଛନ୍ତି । ତାଙ୍କୁ ଜାଣି ଶୁଣି ବଦନାମ କରାଯାଇଛି । ରାଜନୀତି ପାଇଁ ତାଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଛି। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି । ଆଉ ତାଙ୍କ ପାଖରେ ଥିବା ଦୁଇଟି ମୋବାଇଲରେ ସେସବୁର ପ୍ରମାଣ ରହିଛି ବୋଲି ସେ ତାଙ୍କ ଭିଡିଓ ପୋଷ୍ଟରେ କହିଥିଲେ ।

ବର୍ତମାନ ଗୁରୁତ୍ବପୂର୍ଣ୍ଣ କଥା ହେଲା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ଘରପାଖ ଏକ ବୁଦାରୁ ତାଙ୍କର ଦୁଇଟି ଯାକ ମୋବାଇଲ୍ ମିଳିଛି । ଏହି ମୋବାଇଲ୍ ଖୋଲିପାରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ରହସ୍ୟ । ଏହି ମୋବାଇଲ୍ରେ କ’ଣ ପ୍ରମାଣ ରହିଛି ତା’ର ଛାନଭିନ୍ କରୁଛି ପୋଲିସ । ସେହିଭଳି ଆତ୍ମହତ୍ୟାସ୍ଥଳରେ ଏକ ଫୁଲ କୁଣ୍ଡ ତଳୁ ୧୮ହଜାର ଟଙ୍କା ମିଳିଛି ।

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଖବର ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ ।

Related Posts