ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ । ବାହୁଡା ଯାତ୍ରାରେ ଶ୍ରୀଜିଉଙ୍କ ତିନି ରଥ ସିଂହଦ୍ୱାର ଆଗରେ ଲାଗି ସାରିଛି । ଆଜି ରଥଯାତ୍ରାର ଏଗାର ତମ ଦିନରେ ରଥ ଉପରେ ଶ୍ରୀଜିଉଙ୍କ ହେବ ସୁନାବେଶ । ଏହି ବେଶରେ ମହାପ୍ରଭୁ ପ୍ରାୟ ୨ ଶହ କେଜି ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ।

ବାହୁଡା ଯାତ୍ରା ଭଳି ଆଜି ମଧ୍ୟ ପବିତ୍ର ବଡ଼ଦାଣ୍ଡ ଭକ୍ତିମୟ ପରିବେଶରେ ପରିପୂର୍ଣ୍ଣ ରହିବ । ସୁନାବେଶ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ପ୍ରଶାସନ ମଧ୍ୟ ଏଥି ପାଇଁ ଅଣ୍ଟା ଭିଡ଼ିଛି । ମିଳିଥିବା ସୂଚନା ଅନୁସାରେ ଶ୍ରୀଜିଉମାନଙ୍କର ସୁନାବେଶ ଆଜି ଅପରାହ୍ଣ ୪ଟାରୁ ଆରମ୍ଭ ହୋଇଯିବ ଏବଂ ଏହି ଆକର୍ଷଣୀୟ ବେଶ ରାତି ୧୧ଟା ଯାଏଁ ଚାଲିବ ।

ଶ୍ରୀଜିଉମାନଙ୍କର ସୁନାବେଶ ଦେଖିବା ପାଇଁ ପୁରୀରେ ପୁଣି ଥରେ ଜନ ଗହଳି ଆରମ୍ଭ ହୋଇଯାଇଛି । ବାହୁଡ଼ା ଯାତ୍ରା ଦେଖିବାକୁ ଆସିଥିବା ଅନେକ ଭକ୍ତ ପୁରୀରେ ଶୁକ୍ରବାର ରହିଯାଇଛନ୍ତି । ସେମାନେ ସୁନାବେଶ ଦେଖିବା ପରେ ନିଜ ନିଜ ଘରକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି । ଆଜି ସୁନାବେଶ ଶେଷ ହେବା ପରେ ରବିବାର ରଥ ଉପରେ ଅଧରପଣା ନୀତି ହେବ । ଶେଷରେ ସୋମବାର ଶ୍ରୀଜିଉମାନଙ୍କୁ ରତ୍ନବେଦୀରେ ବିରାଜମାନ କରାଯିବ ।

Related Posts