ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଆଜି ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ତାଙ୍କ ବିରୋଧରେ ଚାଲିଥିବା ମାନହାନି ମାମଲା ଜାରି ରହିବ। ମାନହାନି ମାମଲା ବାତିଲ କରିବା ପାଇଁ କଙ୍ଗନାଙ୍କ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତେବେ ଚାଷୀ ଆନ୍ଦୋଳନ ସମୟରେ କଙ୍ଗନା ରାଣାୱତ ଚାଷୀଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ତେଣୁ ତାଙ୍କ ବିରୋଧରେ ମାନହାନି ମାମଲା ଦାୟର ହୋଇଥିଲା।

କଙ୍ଗନା ରାନାୱତଙ୍କ ବିରୋଧରେ ୨୦୨୧ ରେ ପଞ୍ଜାବର ଭଟିଣ୍ଡା କୋର୍ଟରେ ୭୩ ବର୍ଷୀୟ ମହିନ୍ଦର କୌରଙ୍କ ଦ୍ୱାରା ମାନହାନି ଅଭିଯୋଗ ଦାୟର କରାଯାଇଥିଲା। ଅଭିଯୋଗରେ କୁହାଯାଇଥିଲା ଯେ କଙ୍ଗନା ଏକ ପୋଷ୍ଟ କୁ ରିଟ୍ୱିଟ୍ କରିଥିଲେ ଏବଂ ମହିନ୍ଦର କୌରଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହା ତାଙ୍କୁ ବଦନାମ କରିଥିଲା। କଙ୍ଗନା ତାଙ୍କ ରିଟ୍ୱିଟ୍‌ରେ ମହିନ୍ଦର କୌରଙ୍କ ଫଟୋ ଥିବା ଟ୍ୱିଟ୍‌କୁ ରିଟ୍ୱିଟ୍ କରି ଲେଖିଥିଲେ ଯେ, ଏ ହେଉଛନ୍ତି ସେହି ଦାଦି, ଯିଏ ଶାହିନ ବାଗ ଆନ୍ଦୋଳନ ବେଳେ ବି ଥିଲେ। ଏବେ କୃଷକ ଆନ୍ଦୋଳନରେ ଅଛନ୍ତି | ଏମାନେ ୧୦୦ ଟଙ୍କାରେ ଉପଲବ୍ଧ।

ତେବେସୁପ୍ରିମକୋର୍ଟରେ କଙ୍ଗନା ରାଣାୱତଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ, ସେ କେବଳ ଏକ ଟ୍ୱିଟ୍ କୁ ରିଟ୍ୱିଟ୍ କରିଛନ୍ତି। ଅନେକ ଲୋକ ମଧ୍ୟ ସେହି ଟ୍ୱିଟ୍ କୁ ରିଟ୍ୱିଟ୍ କରିଥିଲେ। ଏହି ଯୁକ୍ତିର ଜବାବରେ, ସୁପ୍ରିମକୋର୍ଟ କହିଥିଲେ ଯେ, ଏହା କେବଳ ଏକ ରିଟ୍ୱିଟ୍ ନୁହେଁ, ବରଂ ଏଥିରେ କଙ୍ଗନା ନିଜର ମସଲା ବି ଯୋଡ଼ିଛନ୍ତି। ଏହି ମାମଲାର ବିଚାର ହେବା ଉଚିତ।

ତେବେ ସୁପ୍ରିମକୋର୍ଟ ପୂର୍ବରୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମଧ୍ୟ କଙ୍ଗନା ରାଣାୱତଙ୍କ ଆବେଦନକୁ ଖାରଜ କରିସାରିଛନ୍ତି। ଏବେ ସୁପ୍ରିମକୋର୍ଟ ମଧ୍ୟ ଏହାକୁ ଖାରଜ କରିଥିବାରୁ କଙ୍ଗନାଙ୍କ ଅଡୁଆ ବଢିଛି |