ଇଡବ୍ଲ୍ୟୁଏସ ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ; ଆର୍ଥିକ ଅନଗ୍ରସରଙ୍କ ପାଇଁ ଜାରି ରହିବ ୧୦ ପ୍ରତିଶତ ସଂରକ୍ଷଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆର୍ଥିକ ଅନଗ୍ରସର ବର୍ଗ ( ଇଡବ୍ଲ୍ୟୁଏସ )ଙ୍କ ପାଇଁ ସଂରକ୍ଷଣ ଉପରେ ମୋହର ଲଗାଇଛନ୍ତି ସୁପ୍ରିମ କୋର୍ଟ । ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଜାରି ରହିବ । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠର ୪ ଜଣ ବିଚାରପତି ଏନେଇ ସହମତି ଜଣାଇବା ପରେ ଏହି ମୋହର ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସମ୍ବିଧାନର ଧାରା ୧୦୩ ସଂରକ୍ଷଣ ଅଧିନିୟମର ଏହା ବିରୋଧ କରୁଛି କି ନାଁ ଏହାକୁ ନେଇ ୫ଜଣ ବିଚାରପତିଙ୍କ ମଧ୍ୟରେ ଯୁକ୍ତି ହୋଇଥିଲେ । ଶେଷରେ ୫ଜଣଙ୍କ ମଧ୍ୟରୁ ୪ଜଣ ବିଚାରପତି ଇଡବ୍ଲୁଏସ୍ ସଂରକ୍ଷଣକୁ ଉଚିତ ବୋଲି ଯୁକ୍ତି ବାଢିଥିଲେ । ତେବେ ସମାଜର ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ବିଶେଷ ସଂରକ୍ଷଣ ସାମ୍ବିଧାନିକ ନିୟମକୁ ଉଲଂଘନ କରୁନାହିଁ ବୋଲି ଯୁକ୍ତି ବାଢିବା ସହ ଏହାକୁ ସମର୍ଥନ ଦେଇଥିଲେ । ଜଷ୍ଟିସ୍ ଦିନେଶ ମାହେଶ୍ୱରୀ, ଜଷ୍ଟିସ୍ ବେଲା ତ୍ରିବେଦୀଙ୍କ ସମେତ ୪ଜଣ ଜଷ୍ଟିସ୍ ଏହା ଉପରେ ସହମତି ପ୍ରକାଶ କରିବା ପରେ ଏହି ମାମଲାରେ ମୋହର ଲାଗିଛି ।

ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ୭ ଦିନ ଧରି ମାମଲାର ଶୁଣାଣି କରିବା ପରେ ଗତ ୨୭ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ଆର୍ଥିକ ଅନଗ୍ରସର ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ କରିଥିଲେ କେନ୍ଦ୍ର ସରକାର । ଏଥିପାଇଁ ସମ୍ବିଧାନରେ ୧୦୩ ତମ ସଂଶୋଧନ କରାଯାଇଥିଲା । ଇଡବ୍ଲୁଏସ କୋଟାକୁ ତାମିଲନାଡୁର ଶାସକ ଦଳ ଡିଏମକେ ଓ କିଛି ସଂଗଠନ ଅଣସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ୨୦୨୨ ମସିହା ସେପ୍ଟେମ୍ବର ୧୩ ତାରିଖରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ଆବେଦନକାରୀ ଓ ପ୍ରତିପକ୍ଷଙ୍କ ସବୁ ଦଲିଲ ଶୁଣିବା ପରେ ସେପ୍ଟେମ୍ବର ୨୭ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ।

Related Posts