କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ : ଜୁଲାଇ ୩୧ ସୁଦ୍ଧା ଲାଗୁ କର ‘ୱାନ୍ ନେସନ୍ , ୱାନ୍ ରାସନ କାର୍ଡ’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ସଙ୍କଟ ଓ ଲକଡାଉନ କଟକଣା ଯୋଗୁଁ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସବୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଜୁଲାଇ ୩୧ ସୁଦ୍ଧା ‘ୱାନ୍ ନେସନ୍ , ୱାନ୍ ରାସନ କାର୍ଡ’ ବାଧ୍ୟତାମୂଳକ ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଏନଆଇସି ସହଯୋଗରେ ଏକ ୱେବସାଇଟ୍ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।କୋର୍ଟ କହିଛନ୍ତି, ଜୁଲାଇ ୨୧ ପୂର୍ବରୁ ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ବିତରଣ ପାଇଁ ଯୋଜନା ଲାଗୁ କରାଯାଉ । ମହାମାରୀ ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ କମ୍ୟୁନିଟି କିଚେନ୍ ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ୍ ୧୯୭୯ ଆଧାରରେ ସମସ୍ତ ଠିକାଦାରଙ୍କୁ ପଞ୍ଜୀକୃତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅଶୋକ ଭୂଷଣ ଓ ଏମଆର ଶାହାଙ୍କ ପୀଠ ସାମାଜିକ କର୍ମୀଙ୍କ ଆବେଦନ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଖାଦ୍ୟ ସୁରକ୍ଷା, ନଗଦ ରାଶି ଦେବା ଓ ଅନ୍ୟ ଜନ କଲ୍ୟାଣକାରୀ ଯୋଜନା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts