ଦେଶରେ ଜରୁରୀ ସ୍ଥିତିକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କରୋନା ସଂକ୍ରମଣ ଦେଶରେ ବଢୁଥିବା ବେଳେ ବିଭିନ୍ନ ରାଜ୍ୟରୁ ହସ୍ପିଟାଲ ବେଡ, ଅମ୍ଳଜାନ ଓ ମେଡିସିନ୍ ଅଭାବର ଅଭିଯୋଗ ଆସୁଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କୁ ଆଜି ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ଟିକାକରଣ ଓ ଅକ୍ସିଜେନ ସପ୍ଲାଏ ପାଇଁ ଜାତୀୟ ସ୍ତରରେ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଇଛନ୍ତି, ସେକଥା ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଶୁଣାଣି ବେଳେ ଦେଶରେ ଜାତୀୟ ଜରୁରୀ ସ୍ଥିତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କଥା ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ଆଜି ଗୋଟିଏ ଦିନରେ ୩.୧୪ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୦୪ ଜଣ ଙ୍କ ମୃତ ଘଟିଛି । ଏହା ଦୈନିକ ସଂକ୍ରମଣରେ ବିଶ୍ୱ ରେକର୍ଡ କରିଛି । ଏ ସବୁ ଭିତରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜାତୀୟ ପ୍ଲାନ ଉପରେ ପ୍ରଶ୍ନ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧକ୍ଷତାରେ ଗଠିତ ଖଣ୍ଡପୀଠ ନିଜ ଆଡୁ ଦେଶରେ ସୃଷ୍ଟି ହୋଇଥିବା କରୋନା ମହାମାରୀ ଉପରେ ଶୁଣାଣି କରିଛନ୍ତି । ଜଷ୍ଟିସ ବୋବଡେ କହିଛନ୍ତି, “ଆମେ ଜାଣିବାକୁ ଚାହୁଁଛୁ ଅକ୍ସିଜେନ ସପ୍ଳାଏ , ଜରୁରୀ ଔଷଧର ବିତରଣ, ଟିକାକରଣର ମେଥଡ ଓ ମ୍ୟାନର ଉପରେ କ’ଣ ସବୁ ବ୍ୟବସ୍ତା କରାଜାଇଛି? କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମେ ନିଜ ଆଡୁ ବିଚାର କରିବାକୁ ଚାହିଁଥିଲୁ ଏହି ସମୟରେ ଆମେ ଜାଣିବାକୁ ପାଇଛୁ ଦିଲ୍ଳୀ, ବମ୍ବେ, ସିକିମ, ମଧ୍ୟପ୍ରଦେଶ, କାଲକାଟା ଓ ଆହ୍ଲାବାଦ ହାଇକୋର୍ଟରେ ଏସବୁ ଶୁଣାଣି ଚାଲିଛି । ବର୍ତ୍ତମାନ ସେମାନେ ନିଜ ସୀମା ଭିତରେ ସମସ୍ତଙ୍କ ସ୍ୱାର୍ଥ ପାଇଁ ବଡ ପଦକ୍ଷେପ ନେଉଛନ୍ତି । କିନ୍ତୁ କିଛି ଦ୍ୱନ୍ଦ ଓ ଭିତ୍ତିଭୂମି ଡାଇଭର୍ସନ ସମସ୍ୟା ରହୁଛି । ତେଣୁ ଅକ୍ସିଜେନ ସପ୍ଲାଏ ଓ ଟିକାକରଣ ଉପରେ କେନ୍ଦ୍ରସରକାର ଜାତୟ ସ୍ତର ଉପରେ କଣ ପଦକ୍ଷେପ ନେଇଛନ୍ତି, ତାହା ଜାଣିବା ଜରୁରୀ ।” ବୋଲି କେନ୍ଦ୍ରସରକାରଙ୍କୁ କହିଛନ୍ତି ।

Related Posts