ହେଲାକି ସୁଶାନ୍ତଙ୍କ ମାନଭଞ୍ଜନ ?: କହିଲେ, ନାହିଁ ଅସନ୍ତୋଷ, ମୁଖ୍ୟମନ୍ତ୍ରୀ ଦେଇଛନ୍ତି ୯ ଜିଲ୍ଲାର ଦାଇତ୍ୱ

ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ): ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ପରେ ସବୁଠାରୁ ଚର୍ଚ୍ଚାରେ ଥିଲେ ପଶ୍ଚିମ ଓଡ଼ିଶାର ଯୁବ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ଭଟଲିର ବିଧାୟକ ସୁଶାନ୍ତ ସିଂ। ମନ୍ତ୍ରୀପଦ ନ ମିଳିବାରୁ ସୁଶାନ୍ତ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା | ଏପରିକି ପଶ୍ଚିମ ଓଡ଼ିଶାର ବରଗଡ଼ ଓ ବଲାଙ୍ଗୀ ଜିଲ୍ଲାର ଯୁବ ବିଜେଡି ସଭାପତି ସିଧାସଳଖ ଗଣମାଧ୍ୟମରେ ଅସନ୍ତୋଷ ଝାଡିଥିଲେ | ସମୂହ ଇସ୍ତଫା କଥା ମଧ୍ୟ କହିଥିଲେ | ହେଲେ ସୁଶାନ୍ତ ପରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ମଧ୍ୟ ଦୁଇ ଯୁବ ନେତା ଗଣମାଧ୍ୟମରେ ଦେଇଥିବା ବୟାନ ପଛରେ ସୁଶାନ୍ତଙ୍କ ହାତ ଥିବା କୁହାଯାଉଥିଲା |

ଏହାରି ଭିତରେ ଗତକାଲି ରାତିରେ ସୁଶାନ୍ତଙ୍କୁ ନବୀନ ନିବାସରୁ ଡାକରା ଆସିଥିଲା | କୁହାଯାଉଥିଲା ଯେ, ସୁଶାନ୍ତ ସିଂହଙ୍କ ଅସନ୍ତୋଷକୁ ପ୍ରଶମିତ କରିବାପାଇଁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶାନ୍ତଙ୍କ ମାନଭଞ୍ଜନ କରିଛନ୍ତି । ଏହାପରେ ଆଜି ସକାଳୁ ଶଙ୍ଖ ଭବନରେ ମଧ୍ୟ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।ମୁଖ୍ୟମନ୍ତ୍ରୀଙ୍କ ପରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ସୁଶାନ୍ତ ସିଂହଙ୍କ ଆଲୋଚନା ହୋଇଥିଲା ।

ତେବେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ସୁଶାନ୍ତ । ସେ କହିଛନ୍ତି, ମୁଁ ଅସନ୍ତୋଷ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ମୋତେ ଯାହା ନିର୍ଦ୍ଦେଶ ଦେଇଛନ୍ତି ମୁଁ ସେହି ଅନୁସାରେ କାମ କରିବି । ଭାବାବେଗରେ ଆସି ମୋ କାର୍ଯ୍ୟକର୍ତା ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କୁ ବୁଝାଇ ଦେଇଛି ।ମୋର ମନ୍ତ୍ରୀପଦରେ ଲୋଭ ନାହିଁ । ମୋ ଉପରେ ପଶ୍ଚିମ ଓଡିଶାର ୯ ଜିଲ୍ଲା ଦାଇତ୍ୱ । ମୁଖ୍ୟମନ୍ତ୍ରୀ ମୋତେ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ମନ୍ତ୍ରୀପଦ ପାଇଁ ଆଶାୟୀ ନଥିଲି। ସଙ୍ଗଠନ ଦାୟିତ୍ଵ ବୁଝିବାକୁ ନିଜ ଆଡୁ ଆଗ୍ରହ ପ୍ରକାଶ କରିଛି । ଯେଉଁ ସମର୍ଥକ ମାନେ କ୍ଷୁବ୍ଧ ଥିଲେ ବୁଝାଇ ଦେଇଛି । ଆଗାମୀ ନିର୍ବାଚନର ବିଜେଡି ପଶ୍ଚିମ ଓଡିଶାରେ ୩୫ ବିଧାନସଭା ଆସନରୁ ୩୧ଟିରେ ଜିତିବ । ସୁନ୍ଦରଗଡ଼ ଛାଡ଼ି ୯ ଜିଲ୍ଲା ବୁଝିବାକୁ ମୁଖ୍ୟମନ୍ତ୍ରୀ କରିଥିବା କହିଛନ୍ତି ସୁଶାନ୍ତ ସିଂହ । ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ପୁଣି କ୍ଷମତାକୁ ଆଣିବା ସହିତ ପଶ୍ଚିମ ଓପଡିଶାର ୫ ସାଂସଦ ଆସନ ଜିତିବାକୁ କାମ କାରିବୁ ବୋଲି ସେ କହିଛନ୍ତି |

ସେପଟେ ସୁଶାନ୍ତଙ୍କ ଏଭଳି ବୟାନ ପରେ ମନ୍ତ୍ରୀପଦ ବଦଳରେ ସଂଗଠନ ଦାଇତ୍ୱ ଦେଇ ସୁଶାନ୍ତଙ୍କ ମାନଭଞ୍ଜନ କରାଯାଇଥିବା କୁହାଯାଉଛି | ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏତିକିରେ ସୁଶାନ୍ତଙ୍କ ମାନଭଞ୍ଜନ ହେଉଛି ନା ଆଗକୁ ବିଜେଡି ପଶ୍ଚିମ ଓଡ଼ିଶାରେ ପୁଣି ଦଳୀୟ କନ୍ଦଳର ସାମ୍ନା କରୁଛି ତାହା ଦେଖିବାକୁ ବାକି ରହିଲା |

Related Posts