
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ରବିବାର ଦିନ ଦଳର ରାଜ୍ୟ ୟୁନିଟର ପରିଚାଳନା କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଆଉ ଏହା ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଛି। ମାତ୍ର ଏହି ଚର୍ଚ୍ଚାକୁ ଖୋଦ ଆନନ୍ଦ ଏହାକୁ ଅସ୍ବୀକାର କରିଛନ୍ତି | ଏଥି ସହ ସେ କଂଗ୍ରେସ ପାଇଁ ପ୍ରଚାର ଜାରି ରଖିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଦେଶରେ କଂଗ୍ରେସ ଦଳ ପୁଣି ଲଢେଇ ପାଇଁ ପ୍ରସ୍ତୁତ ହେବ। ଶର୍ମା କହିଛନ୍ତି ଯେ ସେ କଂଗ୍ରେସରେ ୫୧ ବର୍ଷ କାଟିଛନ୍ତି ଏବଂ ତାଙ୍କ ଜୀବନର ଶେଷ ପର୍ଯ୍ୟାୟରେ ଦଳ ଛାଡିବାର ପ୍ରଶ୍ନ ଉଠୁନାହିଁ। ଯେହେତୁ ଏତେ ବର୍ଷ ଧରି ଗୋଟିଏ ଦଳରେ ରହିଛି, ତେଣୁ ଶେଷ ପର୍ଯ୍ୟନ୍ତ କଂଗ୍ରେସ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି |
ଆନନ୍ଦ ଆହୁରି କହିଛନ୍ତି, ବର୍ତ୍ତମାନ ଚିନ୍ତା କରିବାର ଏବଂ ପରିବର୍ତ୍ତନ ଆଣିବାର ସମୟ ଆସିଛି। ମୋତେ ସର୍ବୋଚ୍ଚ ପଦବୀରେ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ଦଳ ନିକଟରେ ସର୍ବଦା ୠଣୀ । ମୁଁ ଦଳ ପାଇଁ ଯେକୌଣସି କାର୍ଯ୍ୟ ଜାରି ରଖିବି। ତେବେ ଏହି ସମୟ ମଧ୍ୟରେ ସେ ଦଳକୁ ମଜବୁତ କରିବା ପାଇଁ ସାମୂହିକ ଚିନ୍ତାଧାରା ଏବଂ ନିଷ୍ପତ୍ତି ଗ୍ରହଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ କିଛି ଦିନ ପୂର୍ବରୁ ସେ ଭାରତୀୟ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କୁ ଭେଟିଥିଲେ। ଆଉ ଏହାକୁ ନେଇ ସେ କହିଥିଲେ ଯେ ଜଣେ ବ୍ୟକ୍ତି ଓ ତାଙ୍କ ବିରୋଧୀଙ୍କ ସହ ଆଦର୍ଶଗତ ପାର୍ଥକ୍ୟ ଥାଇପାରେ , କିନ୍ତୁ ବ୍ୟକ୍ତିଗତ ଶତ୍ରୁତା ନାହିଁ ।