ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ , ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ଆଣିଲେ ପରିବାର ଲୋକ !

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ବ୍ରହ୍ମପୁର ସରକାରୀ ଆଇଟିଆଇ କଲେଜର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଇଲେକ୍ଟ୍ରୋନିକ୍ସ ବିଭାଗର ଛାତ୍ର ଶାଶ୍ୱତ ଦାସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ୬ ତାରିଖ ରାତିରେ ଛାତ୍ର ଜଣକ ଖାଇବା ନେଇ ମେସ୍ ଗାଡ଼ିରେ ଝୁଲିକି ଯାଉଥିବା ବେଳେ ଆଇଟିଆଇ ଲେଡିଜ୍ ହଷ୍ଟେଲ ସାମ୍ନାରେ ପଡ଼ି ଯାଇଥିଲେ। ଗାଡ଼ିରୁ ପଡ଼ିବା ଦ୍ବାରା ସେ ଅଚେତ ହୋଇଯାଇଥିଲେ। ଏହାପରେ ହଷ୍ଟେଲ ଷ୍ଟାଫ୍ ଓ ଅନ୍ୟମାନେ ଉଦ୍ଧାର କରି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ପରିବାର ଲୋକେ ପୁଅର ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଥିଲା ଏବଂ ପାଳି କରି ମହିଳା ହଷ୍ଟେଲକୁ ଖାଦ୍ୟ ପହଞ୍ଚାଇବା ପାଇଁ ପଠା ଯାଉଥିଲା ବୋଲି ଶାଶ୍ୱତଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଶାଶ୍ୱତ ହଷ୍ଟେଲରେ ସୁପରିଟେଣ୍ଡେଣ୍ଟଙ୍କ ଦାୟିତ୍ୱରେ ଥିବାବେଳେ ବାହାରକୁ କେମିତି ଗଲେ ? ଶାଶ୍ୱତଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ତାଙ୍କର ମୃତ୍ୟୁକୁ ନେଇ ଆଇଟିଆଇ ଶିକ୍ଷକଙ୍କ ତଥ୍ୟରେ ତାଳମେଳ ରହୁନଥିବା ଅଭିଯୋଗ ହୋଇଛି  । 

ତେବେ ଆଉ ଏକ ସନ୍ଦେହ ହେଉଛି ଯେ, ଶବ ବ୍ୟବଚ୍ଛେଦ ପାଇଁ ପଠାଯାଉଥିବା ବେଳେ ଆଇଟିଆଇର କୌଣସି ଅଧ୍ୟାପକ, ଛାତ୍ର ସେଠାରେ ଉପସ୍ଥିତ ନଥିଲେ। ଶାଶ୍ବତଙ୍କ ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି। ପରିବାର ଲୋକେ ଘଟଣାର ଉଚିତ୍ ତଦନ୍ତ ଦାବି କରିଛନ୍ତି। ଅପରପକ୍ଷରେ , ଆଇଟିଆଇ ଅଧ୍ୟକ୍ଷ କହିଛନ୍ତି ଯେ ସବୁ ଅଭିଯୋଗ ଗୁଡ଼ିକର ତଦନ୍ତ କରାଯିବ ବୋଲି ଆଇଟିଆଇ ଅଧ୍ୟକ୍ଷ କହିଛନ୍ତି। 

ଏହି ଘଟଣାର ତଦନ୍ତ ନେଇ ଆଇଟିଆଇର ୩ ଜଣ ବରିଷ୍ଠ ଅଧ୍ୟାପକଙ୍କୁ ନେଇ ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରାଯାଇଛି। ସୂଚନାଯୋଗ୍ୟ ଯେ ଶାଶ୍ୱତଙ୍କ ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ। ସେ ବ୍ରହ୍ମପୁର ଆଇଟିଆଇରେ ଇଲେକଟ୍ରୋନିକ୍ସ ବିଭାଗରେ ଦ୍ୱିତୀୟ ବର୍ଷରେ ପଢୁଥିଲେ ଏବଂ ହଷ୍ଟେଲରେ ରହୁଥିଲେ।  

Related Posts