ପିଲାଙ୍କଠାରେ ଦେଖାଯାଉଛି MI ସିଣ୍ଡ୍ରୋମ, କୋଭିଡ୍‌ରୁ ସୁସ୍ଥ ହେବା ପରେ ହେଉଛି ମୁଣ୍ଡ ବିନ୍ଧା ଓ ଝାଡାବାନ୍ତି : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ହେଉଥିବା ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ଶିଶୁମାନଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣର ଏକ ମାସ ପରେ ଜନ୍ମରୁ ୧୦ ବର୍ଷ ପିଲାଙ୍କ ଭିତରେ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ (Multi System Inflammatory Syndrome ବା MI Syndrome)

ର ସମ୍ଭାବନା ବଢିଯାଉଛି। ସେ କହିଛନ୍ତି ଯେ, ପ୍ରଥମ ଲହରରେ ଏହା ଚିହ୍ନଟ ହୋଇନଥିଲା । କିନ୍ତୁ ଦ୍ଵିତୀୟ ଲହରିରେ ଦେଖାଗଲା ଯେ ବହୁତ ପିଲା ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମରେ ପୀଡ଼ିତ ହୋଇ ଡାକ୍ତରଖାନାକୁ ଆସୁଛନ୍ତି।

କୋଭିଡରୁ ସୁସ୍ଥ ହେବାର ଏକ ମାସ ପରେ ସେମାନଙ୍କୁ ମୁଣ୍ଡବିନ୍ଧା, ଝାଡ଼ା ଓ ବାନ୍ତି ଆଦି ରୋଗ ହେଉଥିବା ଦେଖାଯାଉଛି। ଏହି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଇ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସବୁ ହସ୍ପିଟାଲରେ ପିଲାଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଓ ବେଡ୍ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଇସିୟୁ ଓ ଏଚଡିୟୁ ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ ଚାଲିଛି । ଖୁବଶୀଘ୍ର ସବୁ ହସ୍ପିଟାଲରେ ଏଭଳି ଚିକିତ୍ସା ସୁବିଧା ମିଳିବ । ବର୍ତ୍ତମାନ ସବୁ ମେଡିକାଲ କଲେଜରେ ଏହି ସୁବିଧା ଅଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୭୧କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୧୭ ଶିଶୁ ସଂକ୍ରମିତ ହୋଇଛନ୍ତି। 

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୪୩୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ ୭୦୪୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୯୯୧୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୮୬୬୪୦୭୪ ସାମ୍ପୁଲ ଟେଷ୍ଟ୍ ହୋଇଛି।

Related Posts