ବେଙ୍ଗଲ ବିଧାନସଭା ନିର୍ବାଚନରେ ବିଜେପି ଟିକେଟ୍ ରୁ ଲଢି ପରାସ୍ତ ହୋଇଥିବା ସ୍ୱପନ ଦାସଗୁପ୍ତା ପୁଣି ଥରେ ରାଜ୍ୟସଭାକୁ ମନୋନୀତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ପୂର୍ବତନ ସାମ୍ବାଦିକ ସ୍ୱପନ ଦାସଗୁପ୍ତା ପୁଣି ଥରେ ରାଜ୍ୟସଭାକୁ ଯିବେ। ଏଥର ତାଙ୍କୁ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେପି ଟିକେଟରୁ ତାରକେଶ୍ୱର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ଟିଏମସି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ସମ୍ବିଧାନର ଅନୁଚ୍ଛେଦ ୮୦ର ଉପବନ୍ଧ (୧) ଭାଗ (ଏ) ତଥା ଏହି ଅନୁଚ୍ଛେଦର ଉପବନ୍ଧ ୩ରେ ପ୍ରଦତ୍ତ କ୍ଷମତା ଅନୁସାରେ ରାଷ୍ଟ୍ରପତି ଏହି ମନୋନୟନ କରିଛନ୍ତି। ଦାସଗୁପ୍ତାଙ୍କ ମନୋନୟନ ୨୪ ଏପ୍ରିଲ ୨୦୨୨ରେ ଶେଷ ହେଉଥିବା ତାଙ୍କ କାର୍ଯ୍ୟକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏପ୍ରିଲ 2016 ରେ ରାଜ୍ୟସଭାକୁ ମନୋନୀତ ହୋଇଥିବା ଦାସଗୁପ୍ତ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇନାହାଁନ୍ତି। ଅନ୍ୟପକ୍ଷରେ ଟିଏମସି ସାଂସଦ ମହୁଆ ମିତ୍ରଙ୍କ ସମେତ ଅନେକ ବିରୋଧୀଦଳ ନେତା ଦାସଗୁପ୍ତଙ୍କୁ ପୁଣି ଥରେ ମନୋନୀତ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।  ମାର୍ଚ୍ଚ 27 ରୁ ଏପ୍ରିଲ 29 ମଧ୍ୟରେ ହୋଇଥିବା ଆଠ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ​​ଦାସଗୁପ୍ତ ଟିଏମସିର ରାମେଣ୍ଡୁ ସିଘା ରୟଙ୍କ ଠାରୁ ପରାସ୍ତ ହୋଇଥିଲେ।  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧିନରେ ଟିଏମସି କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇଥିବାବେଳେ ଭାରତୀୟ ଜନତା ପାର୍ଟିକୁ ଶୋଚନୀୟ ପରାସ୍ତର ସାମ୍ନା କରିବାକୁ ପଡିଛି। ୨୯୨ ଆସନରୁ ବିଜେପି ମାତ୍ର ୭୭ ଟି ସିଟ୍ ଜିତିଥିଲା । ସୂଚନାଯୋଗ୍ୟ ବରିଷ୍ଠ ଓକିଲ ତଥା ପୂର୍ବତନ ବିଜେପି ନେତା ଶ୍ରୀରାମ ଜେଠମଲାନୀଙ୍କ ପୁତ୍ର ମହେଶ ଜେଠମଲାନୀଙ୍କୁ  ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟସଭା ସାଂସଦ ମନୋନୀତ କରିଛନ୍ତି। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଦାଶଗୁପ୍ତାଙ୍କ ଇସ୍ତଫାରେ ରିକ୍ତ ହୋଇଥିବା ଆସନରେ ତାଙ୍କୁ ସାଂସଦ ମନୋନୀତ କରାଯାଇଥିବା ସୂଚିତ କରାଯାଇଛି।

Related Posts