କର୍ମଚାରୀଙ୍କୁ ଦରମା ନଦେବାର ସୁନ୍ଦର ବାହାନା – ଟଙ୍କା ଚୋରୀ ଡ୍ରାମା ଧରାପଡିଗଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କର୍ମଚାରୀଙ୍କୁ ଦରମା ନଦେବା ପାଇଁ ଏକ ସୁନ୍ଦର ବାହାନା ରଚିଛନ୍ତି ମୁମ୍ବାଇର ଜଣେ ହୋଟେଲ ମାଲିକ। ଏଟିଏମ୍ ରୁ ଟଙ୍କା ଉଠାଇ ଆସୁଥିବା ବାଟରେ ଟଙ୍କା ଚୋରି ହୋଇଯାଇଥିବା କହି ସେ ହୋଟେଲ କର୍ମଚାରୀଙ୍କୁ ଦରମା ନଦେବା ପାଇଁ ଏଭଳି ଏକ ସୁନ୍ଦର ଡ୍ରାମା ଟିଏ ରଚିଥିଲେ। କିନ୍ତୁ ସେ ପୁଲିସ ହାତରେ ଧରାପଡି ଯାଇଛନ୍ତି।  ୨୦୧୯ ମସିହାରେ କର୍ମଚାରୀଙ୍କୁ ଦରମା ନଦେବା ବାହାନାରେ ମୁମ୍ବାଇର ଚାନ୍ଦିବାଲୀ ଏବଂ ପୋୱାଇ ଅଞ୍ଚଳରେ ଅବସ୍ଥିତ ଏକ ଜଣାଶୁଣା ହୋଟେଲର ମାଲିକ କ୍ରିତେଶ ପିପ୍ଲାନିଙ୍କୁ ସୋମବାର ମୁମ୍ବାଇ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ କରାଯାଇଥିଲା।  ପିପ୍ଲାନିଙ୍କୁ ତାଙ୍କ ଫୋନ୍ କଲ ରେକର୍ଡ ଆଧାରରେ ପୁଲିସ ଗିରଫ କରିଛି। ପିପ୍ଲାନି ପୋଲିସକୁ ଦେଇଥିବା ସୂଚନା ଅନୁଯାୟୀ, ନିଜ ହୋଟେଲ କର୍ମଚାରୀଙ୍କୁ ଦରମା ଦେବା ପାଇଁ ପୋୱାଇରେ ଥିବା ଏକ ଏଟିଏମ କିଓସ୍କରୁ ଟଙ୍କା ଉଠାଇ ଫେରିବା ବାଟରେ ତାଙ୍କୁ ୨୦୧୯ ନଭେମ୍ବର ୨୮ ରେ ତାଙ୍କୁ ଅପହରଣ କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ । ଏକ ମାରୁତି ଇକୋ କାରରେ ଦୁଇଜଣ ତାଙ୍କୁ ଟାଣି ନେଇଥିଲେ ଏବଂ ଯେତେବେଳେ ସେ ଆରେ ମିଲ୍କ କଲୋନୀରେ ରାସ୍ତା କଡ଼ରେ ନିଜର ଚେତା ଫେରି ପାଇଥିଲେ ସେତେବେଳେ ସେ ଏଟିଏମ ରୁ ଉଠାଇଥିବା ୬୦ ହଜାର ଟଙ୍କା ଚୋରି ହୋଇଯାଇଥିଲା ବୋଲି କହିଥିଲେ । ତାଙ୍କର ମନଗଢା କାହାଣୀକୁ ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋୱାଇର ଏଟିଏମ୍ କିଓସ୍କ ଏବଂ ଆରେ ମିଲ୍କ କଲୋନୀରେ ଥିବା ସିସିଟିଭି ରେକର୍ଡିଂ, ପିପ୍ଲାନୀଙ୍କ କଲ୍ ଡାଟା ରେକର୍ଡ ଆଧାରରୁ ପୋଲିସ ସ୍ପଷ୍ଟ ହୋଇଥିଲା ଯେ ସେହିଦିନ ଏମିତି କୌଣସି ଘଟଣା ସେଠାରେ ଘଟି ନଥିଲା। ତେବେ ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି । ୟୁନିଟ୍ 10 ର କ୍ରାଇମ ବ୍ରାଞ୍ଚ ଅଧିକାରୀ କହିଛନ୍ତି, “ପିପ୍ଲାନି ପରେ ସ୍ବୀକାର କରିଛନ୍ତି ଯେ ସେ ତାଙ୍କ ହୋଟେଲ କର୍ମଚାରୀଙ୍କୁ ଦରମା ନଦେବା ପାଇଁ ଏଭଳି ଡକାୟତି ଯୋଜନା ପ୍ରସ୍ତୁତ କରିଥିଲେ।”

Related Posts