
ନୂଆଦିଲ୍ଲୀ : ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବେ ନିଜ ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି । ଯୁବ ପିଢ଼ିକୁ ବେଶ୍ ଗୁରୁତ୍ୱ ଦେଇ ଆସୁଥିବା ମଲ୍ଲିକାର୍ଜୁନ ଖଡ଼ଗେ ଏବେ ପ୍ରୀୟଙ୍କଙ୍କ କାନ୍ଧ ଉପରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ଦେବା ନେଇ ଚିନ୍ତା କରୁଛନ୍ତି ।
ଅତ୍ୟନ୍ତ ଦୁର୍ବଳ ଥିବା ରାଜ୍ୟମାନଙ୍କରେ କଂଗ୍ରେସକୁ ସଜାଡ଼ିବା ପାଇଁ ସେ ପ୍ରାଥମିକତା ଦେବେ। ବିଶେଷ କରି ଓଡ଼ିଶା, ବିହାର ଓ ଆନ୍ଧ୍ରପ୍ରଦେଶରେ କଂଗ୍ରେସ ସଂଗଠନକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯିବ ବୋଲି ଏଆଇସିସି ସୂତ୍ରରୁ ଜଣାପଡ଼ିଛି।
ଏକଦା ପୂର୍ବ ଭାରତର ଉପରୋକ୍ତ ତିନି ରାଜ୍ୟ କଂଗ୍ରେସର ଦୁର୍ଗ ଥିଲା। କଂଗ୍ରେସ ବରିଷ୍ଠ ନେତାମାନଙ୍କ କହିବା ଅନୁସାରେ ଏବେ ବି ଓଡ଼ିଶା, ବିହାର ଓ ଆନ୍ଧ୍ରପ୍ରଦେଶର ଅନେକ ଅଂଚଳରେ କଂଗ୍ରେସର ଏକ ନିର୍ଦ୍ଦିଷ୍ଟ ଭୋଟ ବ୍ୟାଙ୍କ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧିଙ୍କ ନାଁରେ ରହିଛି। ଦଳ ପାଇଁ ଏକ ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକ୍ରମ ହାତକୁ ନେଲେ ଏହା ଫଳପ୍ରଦ ହେବ। ଉପରୋକ୍ତ ତିନି ରାଜ୍ୟରେ କଂଗ୍ରେସକୁ ମଜଭୁତ କରିବା ପାଇଁ ପ୍ରିୟଙ୍କାଙ୍କୁ ଦାୟିତ୍ବ ଦେବା ପାଇଁ ଏଆଇସିସିର କିଛି ବରିଷ୍ଠ ନେତା ମତ ଦେଇଛନ୍ତି। ଏମାନଙ୍କ ମତ ହେଲା ପ୍ରିୟଙ୍କାଙ୍କୁ ଗୋଟିଏ ରାଜ୍ୟରେ ସୀମିତ ନ ରଖି ତାଙ୍କୁ ଦଳର ‘ଜାତୀୟ ଆଇକନ୍’ ଭାବେ ଉପସ୍ଥାପନ କରାଯାଉ। ଶ୍ରୀ ଖଡ଼ଗେ ଦଳରେ ବ୍ୟାପକ ପରିବର୍ତ୍ତନ କରିବା ସମ୍ଭାବନା ପରିପ୍ରେକ୍ଷୀରେ ଏହି ପ୍ରସ୍ତାବ ଦିଆଯାଇଛି।
ଏପରିକି ପ୍ରିୟଙ୍କାଙ୍କୁ ସାଧାରଣ ସଂପାଦକ (ଯୁବ ବ୍ୟାପାର) ଦାୟିତ୍ବ ଦେବା ପାଇଁ ମଧ୍ୟ ପ୍ରସ୍ତାବ ଉଠିଲାଣି। ଅକ୍ଟୋବର ୩୧ରୁ ଓଡ଼ିଶାରେ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ ହେବ। ଏଥିରେ ପ୍ରିୟଙ୍କା ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି