ଟି-୨୦ ବିଶ୍ଵକପ; ବାଂଲାଦେଶ ବିପକ୍ଷରେ ପୁଣି ବର୍ଷିଲେ ବିରାଟ, ୧୮୫ ରନର ବିଶାଳ ବିଜୟଲକ୍ଷ୍ୟ ଦେଲା ଭାରତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟି-୨୦ ବିଶ୍ଵକପରେ ଆଜି ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ବିରାଟ ଓ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ବାଂଲାଦେଶ ସାମ୍ନାରେ ୧୮୫ ରନର ବିଶାଳ ବିଜୟଲକ୍ଷ୍ୟ ରଖିଛି ଦଳ। ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ କିଛି ଓଭରରେ ଦମଦାର ପ୍ରଦର୍ଶନ କରିଥିଲା । ଏପରିକି ଭାରତ ବ୍ୟାଟିଂ ଆରମ୍ଭର କିଛି ସମୟ ପରେ ଅଧିନାୟକ ରୋହିତଙ୍କ ୱିକେଟ ମଧ୍ୟ ହରାଇଥିଲା ।

ତେବେ ଏହାପରେ ରାହୁଲଙ୍କର ବିସ୍ଫୋରକ ଇନିଂସ ଦେଖିଥିଲେ କ୍ରିକେଟପ୍ରେମୀ । ୩୨ ବଲରେ ୫୦ ରନର ଇନିଂସ ଖେଳି ପ୍ୟାଭିଲିୟନ ଫେରିବା ପୂର୍ବରୁ ଦୃଢ ସ୍ଥିତିରେ ପହଞ୍ଚିଥିଲା ଟିମ୍ ଇଣ୍ଡିଆ । ଏହାପରେ ବିଶ୍ୱକପ୍ ର ଅନ୍ୟ ମ୍ୟାଚ୍ ଗୁଡିକ ଭଳି ଆଜି ପୁଣିଥରେ କୋହଲିଙ୍କ ବ୍ୟାଟରୁ ହୋଇଥିଲା ରନ୍ ବର୍ଷା । ବାଂଲାଦେଶର ବୋଲରଙ୍କୁ ଜୋରଦାର ପ୍ରହାର କରି କୋହଲି ଭାରତର ସ୍କୋର ୧୮୪ ରନରେ ପହଞ୍ଚାଇଥିଲେ ।

ତେବେ ଆଜିର ଏହି ମ୍ୟାଚ୍ ଉଭୟ ଭାରତ ଓ ବାଂଲାଦେଶ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ଉଭୟ ଦଳ ଏହି ମ୍ୟାଚରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି । କେବଳ ଏତିକି ନୁହେଁ ଅର୍ଦ୍ଧଶତକ ସହ ବିରାଟ ଟି-୨୦ ବିଶ୍ୱକପର ସର୍ବାଧିକ ସ୍କୋର ହାସଲକାରୀ ଖେଳାଳୀ ପାଲଟିଛନ୍ତି । ଶ୍ରୀଲଙ୍କାର ମହେଲା ଜୟବର୍ଦ୍ଧନେଙ୍କ ନାଁରେ ଥିବା ସର୍ବାଧିକ ରନ୍ ସ୍କୋରର ରେକର୍ଡ ନିଜ ନାଁରେ କରିଛନ୍ତି କୋହଲି ।

Related Posts