ଟି-୨୦ ବିଶ୍ୱକପ; ବାଂଲାଦେଶ ବିପକ୍ଷ ରୋମାଞ୍ଚକର ମ୍ୟାଚକୁ ୫ ରନରେ ଜିତି ଟେବୁଲ୍ ଟପର ହେଲା ଟିମ୍ ଇଣ୍ଡିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଟି-୨୦ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ଏକ ରୋମାଞ୍ଚକର ମ୍ୟାଚ୍ କୁ ୫ ରନରେ ଜିତି ନେଇଛି ଟିମ୍ ଇଣ୍ଡିଆ। ତେବେ ଭାରତ ଦ୍ଵାରା ଦିଆଯାଇଥିବା ୧୮୫ ରନର ପିଛା କରି ଭଲ ଆରମ୍ଭ କରିଥିଲା ବାଂଲାଦେଶ । ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲେ ଦଳର ବ୍ୟାଟ୍ସମ୍ୟାନ୍ ଲିଟନ୍‌ ଦାସ । ମାତ୍ର ୨୭ ବଲରୁ ସେ ବିସ୍ଫୋରକ ୬୦ ରନର ଇନିଂସ ଖେଳି ସୁଦ୍ଧା ପରାଜିତ ହୋଇଛି ବାଂଲାଦେଶ । ଏହି ମ୍ୟାଚରେ ଅଧାରୁ ବାଧା ଦେଇଥିଲା ବର୍ଷା । କିନ୍ତୁ ବର୍ଷା ପରେ ଭାରତ ବାଜିକୁ ପଲଟେଇ ଦେଇଥିଲା। ଗୋଟିଏ ପରେ ଗୋଟିଏ ଓ୍ବିକେଟ ନେଇ ସଂପୂର୍ଣ୍ଣ ମ୍ୟାଚର ମୋଡ ବଦଳାଇଦେଲେ ଭାରତୀୟ ବୋଲର । ଫଳରେ ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚକୁ ୫ ରନରେ ଜିତିନେଇଛି ଟିମ୍‌ ଇଣ୍ଡିଆ । ଏହାସହିତ ଭାରତ ଟେବୁଲ୍ ଟପର ମଧ୍ୟ ହୋଇଛି ଓ ଦଳର ସେମିଫାଇନାଲ ରାସ୍ତା ସହଜ ହୋଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲା ଟିମ୍‌ ଇଣ୍ଡିଆ । ଓପନର୍‌ ଲୋକେସ ରାହୁଲ ଏବଂ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୮୪ ରନ । ୧୮୫ ରନର ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ବାଂଲାଦେଶ । ବର୍ଷା ବାଧାପ୍ରାନ୍ତ ଏହି ମ୍ୟାଚ୍‌ ୧୬ ଓଭର ବିଶିଷ୍ଟ ହୋଇଥିଲା ଏବଂ ବାଂଲାଦେଶକୁ ୧୫୧ରନର ଟାର୍ଗେଟ୍‌ ମିଳିଥିଲା । କିନ୍ତୁ ଦଳ ୬ ଓ୍ବିକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ ହୋଇଛି । ଅର୍ଶଦୀପ ସିଂହ ଘାତକ ବୋଲିଂକରି ୨ ଓ୍ବିକେଟ ନେବାକୁ ସକ୍ଷମ ହୋଇଛନ୍ତି ।

ବାଂଲାଦେଶ ପକ୍ଷରୁ ଓପନର ନଜମୁଲ ହୋସେନ ସାନ୍ତୋ ୨୧ ରନ କରି ଆଉଟ ହୋଇଥିବା ବେଳେ ଲିଟନ୍‌ ଦାସ ୨୭ ବଲରୁ ୨୭ଟି ଚୌକା ଏବଂ ୩ଟି ଛକା ସହାୟତାରେ ୬୦ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ସାକିବ ଅଲ ହାସନ୍‌ ୧୩ରନ, ଆଫିଫ୍‌ ହୋସେନ ୩ରନ କରି ଆଉଟ ହୋଇଛନ୍ତି ।ସେହିଭଳି ୟାସିର୍‌ ଅଲୀ ୧ ରନ କରି ଆଉଟ ହୋଇଥିବା ବେଳେ ମୋସାଡିକ୍‌ ହୋସେନ୍‌ ୬ରନ କରି ପ୍ୟାଭିଲିୟନ ଫେରିଛନ୍ତି । ନୁରୁଲ ହାସନ ୨୫ ରନ ଏବଂ ତସ୍କିନ୍‌ ଅହମଦ ୧୨ରନ କରି ଅପରାଜିତ ଅଛନ୍ତି ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୪ ଓଭରରେ ୩୮ ରନଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ହାର୍ଦ୍ଧିକ ପାଣ୍ଡ୍ୟା ୩ ଓଭରରେ ୨୮ରନ ୨ ଓ୍ବିକେଟ, ମହମ୍ମଦ ସାମି ୩ ଓଭରରେ ୨୫ରନ ଦେଇ ୧ ଓ୍ବିକେଟ୍, ଭୁବନେଶ୍ବର କୁମାର ୩ ଓଭରରେ ୨୭ରନ, ଅକ୍ଷର ପଟେଲ ୧ ଓଭରରେ ୬ରନ ଏବଂ ରବିଚନ୍ଦ୍ରନ ଅଶ୍ବିନ ୨ ଓଭରରେ ୧୯ରନ ଦେଇଛନ୍ତି ।

Related Posts